Latest Odisha News

ଭୁବନେଶ୍ୱର କେଶରୀ ମଲ୍‌ରେ ଅଗ୍ନିକାଣ୍ଡ: ସର୍ଟ ସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ

ଭୁବନେଶ୍ୱର: ଭୁବନେଶ୍ୱର ମାର୍କେଟ ବିଲ୍ଡିଂ ନିକଟରେ ଥିବା କେଶରୀ ମଲ୍‌ରେ ଅଗ୍ନିକାଣ୍ଡ । ମଲ୍‌ର ୬ରୁ ୭ଟି  ଶୋ ରୁମ୍‌ରେ ନିଆଁ ଲାଗିଥିବା ସୂଚନା ମିଳିଛି । ବିଳମ୍ବିତ ରାତିରେ ଏହି ନିଆଁ ଲାଗିଥିବା ଜଣାପଡ଼ିଛି ।

ମଲ୍‌ର ବାହାରକୁ ନିଆଁ ହୁତ ହୁତ ହୋଇ ଜଳିବା ପରେ ସ୍ଥାନୀୟ ଲୋକେ ନିଆଁ ଜଳୁଥିବାର ଦେଖି ପୁଲିସକୁ ଖବର ଦେଇଥିଲେ। ଏହାପରେ ଘଟଣାସ୍ଥଳରେ ପୁଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା।

ପ୍ରାୟ ଅଧଘଣ୍ଟାରୁ ୪୫ ମିନିଟ ପର୍ଯ୍ୟନ୍ତ ନିଆଁ ଲିଭା କାର୍ଯ୍ୟ ଜାରି ରହିଥିଲା। ହେଲେ ତଥାପି ଧୂଆଁ ବାହାରୁଥିବାରୁ ତନ୍ନ ତନ୍ନ କରି ଯାଞ୍ଚ କରିଥିଲା ଅଗ୍ନିଶମ ବାହିନୀ। ଧୂଆଁ ପ୍ରବଳ ବାହାରୁଥିବାରୁ ଶୋ ରୁମ୍ ସିଲିଂ ଭାଙ୍ଗି ଚେକ୍ କରିଥିଲେ ଅଗ୍ନିଶମ ବାହିନୀ। ତେବେ ନିଆଁ କାହିଁକି ଲାଗିଲା ସେ ନେଇ ସ୍ପଷ୍ଟ କାରଣ ଜଣାପଡ଼ି ନଥିବା ବେଳେ ଶର୍ଟ ସର୍କିଟ୍ ଯୋଗୁ ନିଆଁ ଲାଗିଥାଇପାରେ ବୋଲି ସନ୍ଦେହ କରାଯାଉଛି।

ଖବର ପାଇଁ ଘଟଣାସ୍ଥଳରେ ଭୁବନେଶ୍ୱର ବିଧାୟକ ଅନନ୍ତ ନାରାୟଣ ଜେନା ମଧ୍ୟ ପହଞ୍ଚିଥିଲେ। ସ୍ଥିତି ପରଖିବା ପରେ ନିଆଁ ଆୟତ ହୋଇଥିବା ସେ ସୂଚନା ଦେଇଥିଲେ। ସେଣ୍ଟ୍ରାଲ ଏସିରୁ ନିଆଁ ଲାଗିଥାଇ ପାରେ ବୋଲି ସନ୍ଦେହ କରାଯାଉଛି। ତେବେ ନିଆଁ ଲାଗିବାର ପ୍ରକୃତ କାରଣ ତଦନ୍ତ ହେଲେ ଜଣାପଡ଼ିବ ବୋଲି ବିଧାୟକ କହିଛନ୍ତି।

କ୍ଷୟକ୍ଷତି ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତି ଯେ ଯେଉଁ ଦୋକାନରେ ନିଆଁ ଲାଗିଥିଲା ସେଇ ଦୋକାନ ବ୍ୟତୀତ ଅନ୍ୟ କୌଣସି ଦୋକାନର କ୍ଷୟକ୍ଷତି ହୋଇ ନାହିଁଁ। ବର୍ତ୍ତମାନ ସ୍ଥିତି ବିପଦ ମୁକ୍ତ ଅଛି ବୋଲି ବିଧାୟକ ସୂଚନା ଦେଇଛନ୍ତି।

Comments are closed.