Latest Odisha News

ଚଳନ୍ତା ବସରେ ଲାଗିଲା ନିଆଁ : ୨୦ ଜୀବନ୍ତ ଦଗ୍ଧ, ୭ ଯାତ୍ରୀ ଗୁରୁତର

ଇସଲାମାବାଦ: ଚାହୁଁ ଚାହୁଁ ଜଳିଗଲା ବସ୍‌ । ପାକିସ୍ଥାନ ପଞ୍ଜାବ ପ୍ରାନ୍ତରେ ଏଭଳି ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି  । ପ୍ରାନ୍ତର ପିଣ୍ଡି ଭଟ୍ଟିୟା ସହରରେ ଏକ ଚଳନ୍ତା ବସ୍‌ରେ ନିଆଁ ଲାଗିଯାଇଛି  । ଫଳରେ ୨୦ଜଣ ଜୀବନ୍ତ ଦଗ୍ଧ ହୋଇଥିବାବେଳେ ୭ ଜଣ ଗୁରୁତର ହୋଇଛନ୍ତି  ।  ବସ୍‌ରେ ପାଖାପାଖି ୪୦ରୁ ଉର୍ଦ୍ଧ୍ବ  ଲୋକ ଯାତ୍ରା କରୁଥିବା ଜଣାପଡ଼ିଛି । ବସ୍‌ ଜଳୁଥିବାର ଏକ ଫଟୋ ମଧ୍ୟ ସାମ୍ନାକୁ ଆସିଛି ।

ବସଟି ପାକିସ୍ତାନର ଇସଲାମବାଦରୁ କରାଚି ଅଭିମୁଖେ ଯାତ୍ରା କରୁଥିବାବେଳେ ଏଭଳି ଅଘଟଣ ଘଟିଛି  । ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଥିବା ଅଧିକାରୀଙ୍କ କହିବା ଅନୁସାରେ ଦୁର୍ଘଟଣା ସେହି ସମୟରେ ହୋଇଥିଲା , ଯେଉଁ ସମୟରେ ବସ୍‌ଟି ପିଣ୍ଡି ଭଟ୍ଟିୟା ନିକଟରେ ପହଞ୍ଚିଥିଲା । ଏହି ସ୍ଥାନରେ ପହଞ୍ଚିବା ପରେ ବସ୍‌ରେ ହଠାତ ନିଆଁ ଲାଗିଯାଇଥିଲା । ବସରୁ ଭୟଙ୍କର ଭାବେ ନିଆଁ ବାହାରୁଥିବାର ମଧ୍ୟ ଦେଖାଯାଇଛି ।

ଅଗ୍ନିକାଣ୍ଡ ଏତେ ଭୟଙ୍କର ଥିଲା ଯେ  ସମ୍ପୂର୍ଣ୍ଣ ବସ୍‌ ଜଳିଯାଇଥିଲା । ତେବେ ପୋଲିସର ସୂଚନା ମୂତାବକ ବସଟି ଦ୍ରୁତଗତିରେ ଯାଉଥିବା ସମୟରେ ହଠାତ ଏକ ପିକଅପ୍‌ ସହ ଧକ୍କା ହୋଇଥିଲା । ଏହି ଭ୍ୟାନରେ ଅଧିକ ମାତ୍ରାରେ ଡିଜେଲ ଥିଲା । ଏହି କାରଣରୁ ଧକ୍କା ହେବା ପରେ ତୁରନ୍ତ ବସ୍‌ରେ ନିଆଁ ଲାଗିଥିଲା । ଫଳରେ ଘଟଣାସ୍ଥଳରେ ୨୦ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୭ ଜଣ ଗୁରୁତର ହୋଇଛନ୍ତି  । ଗୁରୁତର ଯାତ୍ରୀଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି  ।

Leave A Reply

Your email address will not be published.