ଧଉଳି –କଳିଙ୍ଗ ଉତ୍ସବର ଆରମ୍ଭ ହୋଇଥିଲା ଓଡିଶୀ “ଦଶାବତାର” ନୃତ୍ୟରୁ। ଶାନ୍ତି ଓ ସମତାର ପ୍ରତୀକ ଧଉଳି ଗିରି ପାଦଦେଶରେ ଓଡିଶା ଡାନ୍ସ ଏକାଡେମି ଦ୍ଵାରା ଆୟୋଜିତ ଏହି ଉତ୍ସବ ରାଜ୍ୟ ପର୍ୟଟନ ବିଭାଗର ସ୍ଵତନ୍ତ୍ର ମାନ୍ୟତା ପାଇଛି ଓ ଗତ କିଛି ବର୍ଷଧରି ରାଜ୍ୟ ସରକାର ଏହି ଉତ୍ସବ ଆୟୋଜନର ପ୍ରମୁଖ ଦାୟିତ୍ଵ ତୁଲାଉଛନ୍ତି। ଚଳିତ ବର୍ଷ ଫେବୃଆରୀ ୬ ତାରିଖରେ ଉତ୍ସବର ପ୍ରଥମ ପରିବେଷଣକୁ ଗୋଟେ ନିହାତି ସାଧାରଣ ଧାଡିରେ ବର୍ଣ୍ଣନା କରିବାର ଏକମାତ୍ର କାରଣ ହେଉଛି, “ଦଶାବତାର” ଓଡିଶୀ ନୃତ୍ୟର ସବୁଠୁ ଅଧିକ ପରିବେଷିତ ହେଉଥିବା କାର୍ୟକ୍ରମ। ଓଡିଶୀର ପ୍ରାଥମିକ ଛାତ୍ର ବି ଏହି ନୃତ୍ୟ ଶିଖିଥାଏ। ତା ହେଲେ, ଓଡିଶା ଡାନ୍ସ ଏକାଡେମି ଭଳି ଦେଶର ସର୍ବଶ୍ରେଷ୍ଠ ନୃତ୍ୟାନୁଷ୍ଠାନ ଏହାକୁ ପୁଣିଥରେ ପରିବେଷଣ କରିବାର କାରଣ କଣ? ଧଉଳି ଉତ୍ସବରେ ପରିବେଷିତ “ଦଶାବତାର” ଅନେକ ଦୃଷ୍ଟିରୁ ଏକ ଭିନ୍ନ ପରିକଳ୍ପନା ଓ ନୃତ୍ୟ ସଂରଚନା କ୍ଷେତ୍ରରେ ଏହା ଏକ ଅନନ୍ୟ ପଦକ୍ଷେପ।
ଐତିହାସିକ ଦୃଷ୍ଟିରୁ “ଦଶାବତାର” ଓଡିଶୀ ନୃତ୍ୟର ପ୍ରଥମ କୋରିଓଗ୍ରାଫି। ମହାକବି ଜୟଦେବଙ୍କ ଗୀତାଗୋବିନ୍ଦ ଆଧାରରେ ଏହି ନୃତ୍ୟକୁ ୧୯୪୭ରେ ଦୁର୍ଲ୍ଲଭଚନ୍ଦ୍ର ସିଂ ନିର୍ଦ୍ଦେଶନା ଦେଇଥିଲେ ଓ ଏହାକୁ ମଞ୍ଚରେ ପ୍ରଥମଥର ଲାଗି ପରିବେଷଣ କରିଥିଲେ ଓଡିଶୀ ନୃତ୍ୟର କିମ୍ବଦନ୍ତୀ ପୁରୁଷ କେଳୁଚରଣ ମହାପାତ୍ର ଓ ତାଙ୍କର ଧର୍ମପତ୍ନୀ ଲକ୍ଷ୍ମୀପ୍ରିୟା ଦେବୀ। ସେହି ଦିନଠାରୁ ଏହାକୁ ଅଜସ୍ର ଥର ଅନେକ ଗୁରୁ ନିଜ ଢଙ୍ଗରେ ରଚନା କରିଛନ୍ତି। ଧଉଳିରେ ପରିବେଷିତ “ଦଶାବତାର”ର ସଂରଚନା ଶର୍ମିଲା ବିଶ୍ଵାସ କରିଥିବା ବେଳେ ଏହାକୁ ପରିବେଷଣ କରିଥିଲେ ଓଡିଶା ଡାନ୍ସ ଏକାଡେମିର ଶିଳ୍ପୀମାନେ। କହିବା ଅନାବଶ୍ୟକ, ଓଡିଶା ଡାନ୍ସ ଏକାଡେମି, ଅନ୍ୟତମ ପ୍ରଭାବଶାଳୀ ଗୁରୁ ଅରୁଣା ମହାନ୍ତିଙ୍କର ଅନୁଷ୍ଠାନ। “ଦଶାବତାର” ନୃତ୍ୟ ପରିବେଷଣରେ ସମକାଳର ଦୁଇଜଣ ବଡ ନୃତ୍ୟଗୁରୁ ଏକାଠି କାମ କରିବା, ଏକ ଐତିହାସିକ ସଂଯୋଗ। ଏହି ନୃତ୍ୟର ପ୍ରଥମ ପରିବେଷଣ ସମୟରେ ଓଡିଶୀ ନୃତ୍ୟର ଚାରିଜଣ ମହାନ ଗୁରୁ ଏକାଠି କାମ କରିଥିଲେ- ଗୁରୁ ପଙ୍କଜ ଚରଣ ଦାସ, ଗୁରୁ କେଳୁଚରଣ ମହାପାତ୍ର, ଗୁରୁ ଦୁର୍ଲ୍ଲଭଚନ୍ଦ୍ର ସିଂ ଓ ଲକ୍ଷ୍ମୀପ୍ରିୟା ଦେବୀ।
ଶର୍ମିଲା ବିଶ୍ଵାସଙ୍କ “ଦଶାବତାର”ରେ ଯାହା ପ୍ରଥମେ ଦର୍ଶକଙ୍କୁ ଚକିତ କରିବ, ତା ହେଉଛି ପ୍ରତିଟି ଅବତାରର ପ୍ରତିଷ୍ଠା ବେଳେ ଭିନ୍ନ ଚଳନ ଓ ଲୟର ପ୍ରୟୋଗ। ତାଙ୍କ ପାଇଁ ଶ୍ଳୋକର ଘୋଷାପଦ ହେଉଛି “କେଶବ ଧୃତ, ମୀନ ଶରୀର, କଚ୍ଛପ ରୂପ” ଇତ୍ୟାଦି। ଅବଶ୍ୟ ଏହାର ଅନେକଟା ଶ୍ରେୟ ସଙ୍ଗୀତ ନିର୍ଦ୍ଦେଶକ ସୁବାସ ପାଣିଙ୍କ ପାଖକୁ ମଧ୍ୟ ଯିବ। ସଙ୍ଗୀତରେ ପ୍ରତ୍ୟେକ ଅବତାରର ବିଚାର ଓ ଦର୍ଶନକୁ ଉପସ୍ଥାପିତ କରିବାର ସୁଯୋଗ ସେ ନୃତ୍ୟ ନିର୍ଦ୍ଦେଶକଙ୍କ ଲାଗି ତିଆରି କରିଛନ୍ତି। ଆପାତତଃ ଏହା ଗୋଟିଏ କୋରିଓଗ୍ରାଫି ହୋଇଥିବା ବେଳେ ପ୍ରତ୍ୟେକ ଅବତାର ପାଇଁ ଏକ ଭିନ୍ନ ଶୈଳୀ ର ପ୍ରୟୋଗ ପାଇଁ ଶର୍ମିଲା ଚେଷ୍ଟା କରିଛନ୍ତି। ନୃତ୍ୟର ଉପସଂହାର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଓ ଏଇଠି ହିଁ ରହିଛି ସମୁଦାୟର ନୃତ୍ୟର ଚମକ। ଲାଲିତ୍ୟ ଓ ରୌଦ୍ରଭାବର ସମନ୍ଵୟ, ନୃତ୍ୟଶିଳ୍ପୀଙ୍କ ଗତି ଓ ଭଙ୍ଗୀରେ ଶ୍ରୁଙ୍ଖଳା ଏବଂ ସ୍ଥାୟୀ ଭାବ ରୂପେ ଭକ୍ତି କୁ ଅତି ସୁନ୍ଦର ଭାବରେ ଉପସ୍ଥାପନ କରିବାରେ, ନୃତ୍ୟଶିଳ୍ପୀମାନେ ସଫଳ ହୋଇଛନ୍ତି।
ଉତ୍ସବର ଦ୍ଵିତୀୟ ପରିବେଷଣ ଥିଲା ବିଶିଷ୍ଟ କଥକ ଶିଳ୍ପୀ ଅସୀମ ବନ୍ଦୋପାଧ୍ୟାୟଙ୍କ ଦଳଗତ ପ୍ରଦର୍ଶନ। ଶ୍ରୀମଦ ଭଗବତ ଗୀତାର ବିଶ୍ଵରୂପ ଦର୍ଶନ, ଅମୀର ଖୁସ୍ରୋଙ୍କ କବିତା ଓ କଥକ ନୃତ୍ୟର ପାରମ୍ପରିକ ପରନ୍ତ, ତତ୍କାର, ତାନକାରୀ ଓ ଲୟକାରୀ କୁ ନେଇ ଅସୀମବନ୍ଧୁ ତାଙ୍କର ପ୍ରସ୍ତୁତି ରଖିଥିଲେ। ଛୋଟ ଛୋଟ ନୃତ୍ୟର ଏକ ମିଶ୍ରଣ ପ୍ରସ୍ତୁତ କଲାବେଳେ ଏହାର ଏକ ଭାବ ମେଳକ ତିଆରି କରିବାକୁ ଚେଷ୍ଟା କରିଥିଲେ ମଧ୍ୟ, ପ୍ରତି ନୃତ୍ୟ ଏକକ ଅଲଗା ଲାଗୁଥିଲେ। ଏହାକୁ ଏକାଠି ନ କରି ଅଲଗା ବୋଲି କହିବାରେ କିଛି ଅସୁବିଧା ନାହିଁ। ସୁଫିୟାନା ଶୈଳୀରେ ଅସୀମବନ୍ଧୁଙ୍କର ଶିଳ୍ପୀମାନେ ବେଶ ପାରଙ୍ଗମ।
ଉତ୍ସବର ପ୍ରଥମ ସନ୍ଧ୍ୟାର ଶେଷ ପ୍ରସ୍ତୁତି ଥିଲା ମୟୂରଭଞ୍ଜ ଛଉ ନୃତ୍ୟ। ଖ୍ୟାତନାମା ଛଉ ନୃତ୍ୟଗୁରୁ ସଦାଶିବ ପ୍ରଧାନଙ୍କ ନିର୍ଦ୍ଦେଶନା ରେ ପରିବେଷିତ ହୋଇଥିଲା “କପଟ କଥା”। ମହାଭାରତର ବିଷୟବସ୍ତୁ କୁ ନେଇ, ଏହା ଥିଲା ଛଉ ନୃତ୍ୟର ଏକ ଚମତ୍କାର ପ୍ରୟୋଗ।
Comments are closed.