Latest Odisha News

BREAKING NEWS

୧୯,୬୦୦ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ ଶିଳାନ୍ୟାସ ଓ ଲୋକାର୍ପଣ କଲେ ମୋଦି

ଭୁବନେଶ୍ୱର: ପାଖେଇ ଆସିଲାଣି ନିର୍ବାଚନ। ସମସ୍ତ ରାଜନୈତିକ ଦଳ ମଧ୍ୟରେ ଚାଲିଛି ଜୋରଦାର ପ୍ରଚାର ପ୍ରସାର। ହେଲେ ନିର୍ବାଚନ ପୂର୍ବରୁ ଓଡ଼ିଶାକୁ ୧୯,୬୦୦ କୋଟିରୁ ଅଧିକ ଟଙ୍କାର ଉପହାର ଘୋଷଣା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆୟୋଜିତ କାର୍ଯ୍ୟକ୍ରମରେ ସମ୍ବୋଧନ କରି ମାନ୍ୟବର ପ୍ରଧାନମନ୍ତ୍ରୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଦୁଇଟି ଯାତ୍ରୀବାହୀ ଟ୍ରେନ୍ ଏବଂ ଗୋଟିଏ ମାଲବାହୀ ଟ୍ରେନ୍ ମଧ୍ୟ ଶୁଭାରମ୍ଭ କରିଛନ୍ତି। ଏହି ସମସ୍ତ ପ୍ରକଳ୍ପ ରେଳ, ତୈଳ ଏବଂ ଗ୍ୟାସ୍, ସଡକ, ପରିବହନ ଏବଂ ରାଜପଥ ଏବଂ ପରମାଣୁ ଶକ୍ତି ସହିତ ଜଡିତ।

ରେଳ, ଜାତୀୟ ରାଜପଥ ଆଦି ୧୬ଟି ପ୍ରକଳ୍ପର ଶିଳାନ୍ୟାସ୍‌ ଓ ଲୋକାର୍ପଣ କରିଛନ୍ତି। ପୁରୀ-ଆନ୍ଦବିହାର ଟର୍ମିନାଲ୍‌(ଦିଲ୍ଲୀ) ଏକ୍ସପ୍ରେସ୍‌ ଟ୍ରେନ୍‌ କେନ୍ଦୁଝରଗଡ଼ ଷ୍ଟେସନ୍‌ ଦେଇ ଚାଲିଲା। ଏହାଛଡ଼ା ପାରାଦୀପ- କେନ୍ଦୁଝର ପାସେଞ୍ଜର ଟ୍ରେନ୍‌କୁ ପ୍ରଧାନମନ୍ତ୍ରୀ ଲୋକାର୍ପଣ କରିଛନ୍ତି।

ସମାବେଶକୁ ସମ୍ବୋଧିତ କରି ମାନ୍ୟବର ପ୍ରଧାନମନ୍ତ୍ରୀ ଓଡିଶାର ଲୋକଙ୍କୁ ଅଭିନନ୍ଦନ ଜଣାଇବା ସହ ବିଭିନ୍ନ ମନ୍ତ୍ରଣାଳୟ ଅଧୀନରେ ଓଡିଶାରେ କରାଯାଉଥିବା ଅନେକ ବିକାଶମୂଳକ ପ୍ରକଳ୍ପର ତାଲିକାଭୁକ୍ତ କରିଥିଲେ। ସେ ସୂଚନା ଦେଇଛନ୍ତି ଯେ ଗତ ଦଶ ବର୍ଷ ମଧ୍ୟରେ ଓଡିଶା ପାଇଁ ରେଳ ବଜେଟ୍ ପ୍ରାୟ ୧୨ ଗୁଣ ବୃଦ୍ଧି କରାଯାଇଛି। ଏଥିସହ ସେ କହିଛନ୍ତି ଯେ ରାଜ୍ୟରେ ରେଳ-ରାଜପଥ-ବନ୍ଦର ସଂଯୋଗରେ ବହୁତ ଉନ୍ନତି ହୋଇଛି।

ମୋଦି ଆହୁରି କହିଛନ୍ତି, ପୂର୍ବ ଯୋଜନାରେ ପ୍ରକଳ୍ପ ଠିକ୍‌ ସମୟରେ ସରୁନଥିଲା। ଆମ ସରକାର ପ୍ରକଳ୍ପକୁ ନିର୍ଦ୍ଧାରିତ ସମୟରେ ସାରିବାକୁ ଗୁରୁତ୍ୱ ଦିଏ। ଆମ ସରକାର ପାରାଦୀପ ରିଫାଇନାରୀ କାମ ସାରିଥିଲା। ଓଡ଼ିଶାର ବିକାଶ ପାଇଁ ଆମେ ଗୁରୁତ୍ୱ ଦେଇଆସୁଛୁ। ଗଞ୍ଜାମରେ ଲୁଣି ଜଳ ପ୍ରକ୍ରିୟାକରଣ ପ୍ଲାଣ୍ଟ ଶିଳାନ୍ୟାସ ହୋଇଛି। ଲୁଣି ଜଳକୁ ପାନୀୟ ଉପଯୋଗୀ ଜଳରେ ପରିଣତ କରାଯିବ। ଏହାଦ୍ୱାରା ଦୈନିକ ୫୦ ଲକ୍ଷ ଲିଟର ପାନୀୟ ଜଳ ମିଳିବ ବୋଲି ମୋଦି କହିଛନ୍ତି।

ପ୍ରଧାନମନ୍ତ୍ରୀଙ୍କ ଭାଷଣ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ଭାରତୀୟ ଅର୍ଥନୀତିକୁ ପ୍ରଧାନମନ୍ତ୍ରୀ ନୂଆ ଗତି ଦେଇଛନ୍ତି। ଏବେ ଭାରତ ବିଶ୍ୱର ପଞ୍ଚମ ବୃହତ୍ତମ ଅର୍ଥନୀତି ହୋଇପାରିଛି। ଖୁବ୍‌ ଶୀଘ୍ର ଏହା ତୃତୀୟ ବୃହତ୍ତମ ଅର୍ଥନୀତି ହେବାକୁ ଯାଉଛି। ଓଡ଼ିଶାକୁ ଅନେକ ପ୍ରକଳ୍ପ ଭେଟି ଦେଇଥିବାରୁ କୃତଜ୍ଞତା ଜଣାଇଉଛି। ଓଡ଼ିଶାର ବିକାଶ ପାଇଁ ମୁଁ ପ୍ରଧାନମନ୍ତ୍ରୀଙ୍କ ସହଯୋଗ କାମନା କରୁଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Leave A Reply

Your email address will not be published.