Latest Odisha News

BREAKING NEWS

ଫ୍ଲାସବ୍ୟାକ୍ ୨୦୨୨: ବିଶ୍ୱ ଭୁଲିନପାରିବା ଭଳି କେତେକ ଘଟଣାବଳୀ

ବ୍ୟୁରୋ: ୨୦୨୩ ପାଖେଇ ଆସୁଛି । ବିଦାୟ ନେବ ୨୦୨୨ । ଚଳିତବର୍ଷ ସାରା ବିଶ୍ୱରେ ଚହଳ ପକାଇଥିବା କିଛି ଗୁରୁତ୍ୱପୂର୍ଣ୍ଣ ଘଟଣାକୁ ମନେ ରଖିବେ ବିଶ୍ୱବାସୀ । କିଛି ଘଟଣା ଇତିହାସ ହୋଇ ରହିବ ।

ଯେମିତିକି;

ଋଷ-ୟୁକ୍ରେନ ଯୁଦ୍ଧ

ଚଳିତବର୍ଷ ସାରା ବିଶ୍ୱକୁ ଦୋହଲାଇ ଦେଇଥିବା ଭଳି ଖବର ଥିଲା ଋଷ-ୟୁକ୍ରେନ ଯୁଦ୍ଧ । ଫେବୃୟାରୀ ୨୪ ତାରିଖରେ ୟୁକ୍ରେନ ବିପକ୍ଷରେ ଯୁଦ୍ଧ ଘୋଷଣା କରିଥିଲା ଋଷ । ଏବେ ଏହି ଯୁଦ୍ଧକୁ ୧୧ମାସ ହେବା ପାଇଁ ଯାଉଛି । ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ଏହି ଯୁଦ୍ଧ ଜିତିବାର ଦମ୍ଭୋକ୍ତି ଦେଖାଇଛନ୍ତି । ତେଣୁ ପରମାଣୁ ବୋମା ବିପଦ ମୁଣ୍ଡ ଟେକିଛି ।

ଇରାନ ବିରୋଧୀ ପ୍ରଦର୍ଶନ

ଇରାନରେ ହିଜାବ ବିରୋଧୀ ଆନ୍ଦୋଳନ ଜାରି ରହିଛି । ମହସା ଆମିନୀଙ୍କ ମୃତ୍ୟୁ ପରେ ଏହି ବିବାଦ ଘନେଇଛି । ୧୩ ସେପ୍ଟେମ୍ୱରରେ ମୋରେଲିଟି ପୋଲିସ ଆମିନୀଙ୍କୁ ଗିରଫ କରିଥିଲା । ପୋଲିସ ହେପାଜତରେ ତାଙ୍କ ମୃତ୍ୟୁ ହୋଇଥିଲା ।

ରାଣୀ ଏଲିଜାବେଥଙ୍କ ଦେହାନ୍ତ

ବ୍ରିଟେନ ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ଦେହାନ୍ତ ୮ ସେପ୍ଟେମ୍ୱର ୨୦୨୨ରେ ହୋଇଥିଲା । ୯୬ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଥିଲା । ଅନେକ ଦିନ ଧରି ତାଙ୍କର ସ୍ୱାସ୍ଥ୍ୟବସ୍ଥା ଭଲ ନଥିଲା । ତାଙ୍କ ଦେହାନ୍ତ ପରେ ତାଙ୍କ ପୁଅ ପ୍ରିନ୍ସ ଚାର୍ଲ୍ସଙ୍କୁ ବ୍ରିଟେନର ନୂଆ ରାଜା କରାଯାଇଥିଲା ।

ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ

ଭାରତୀୟ ବଂଶୋଦ୍ଭବ ତଥା କନଜରର୍ଭେଟିଭ୍ ପାର୍ଟି ନେତା ଋଷି ସୁନକ ବ୍ରିଟେନର ପ୍ରଥମ ହିନ୍ଦୁ ଓ ଅଶ୍ୱେତ ପ୍ରଧାନମନ୍ତ୍ରୀ ହୋଇଥିଲେ । ସେ ପେନି ମୋରଡାଣ୍ଟଙ୍କୁ ହରାଇ ବ୍ରିଟେନ ପ୍ରଧାନମନ୍ତ୍ରୀ ପଦରେ ନିର୍ବାଚିତ ହୋଇଥିଲେ । ଭାରତକୁ ୨ଶହରୁ ବେଶୀ ବର୍ଷ ପରାଧୀନ କରିଥିବା ବ୍ରିଟେନର ଶାସନ ଡୋରୀ ହାତକୁ ନେଇ ସେ ଭାରତୀୟଙ୍କୁ ଗୌରବାନ୍ୱିତ କରିଥିଲେ ।

ଟ୍ୱିଟର ସିଇଓ ଏଲନ୍ ମସ୍କ

୨୭ ଅକ୍ଟୋବରରେ ଟେସଲା ସିଇଓ ଏଲନ ମସ୍କ ସୋସିଆଲ ମିଡିଆ ଟ୍ୱିଟରକୁ କିଣିଥିଲେ । ୪୪ ବିଲିୟନ ଆମେରିକୀୟ ଡଲାରରେ ସେ ଟ୍ୱିଟର କିଣି ଏହାର ମାଲିକ ହୋଇଥିଲେ । ପରେ ତୁରନ୍ତ ସେ ସିଇଓ ପରାଗ ଅଗ୍ରଓ୍ୱାଲ ଓ ସିଏଫଓ ନେଡ୍ ସେଗଲଙ୍କୁ ବହିଷ୍କାର କରିଥିଲେ । ସେବେଠାରୁ ମସ୍କ ଟ୍ୱିଟରରେ ନିଲମ୍ୱନ ତଥା ଛଟେଇ ଜାରି ରଖିଥିବାବେଳେ ଅନେକ ପରିବର୍ତ୍ତନ ଆଣିଛନ୍ତି ।

ଚୀନରେ ସି ଜିନପିଙ୍ଗଙ୍କ ତୃତୀୟ ପାଳି

ଲଗାତାର ତୃତୀୟ ଥର ଶାସନ ଗାଦିରେ ବସି ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଇତିହାସର ସବୁଠାରୁ ଶକ୍ତିଶାଳୀ ନେତା ହୋଇଥିଲେ । ତାଙ୍କ ପୂର୍ବରୁ ଚୀନ ସଂସ୍ଥାପକ ମୋଓତ୍ସେ ତୁଙ୍ଗଙ୍କୁ ଚୀନର ଶକ୍ତିଶାଳୀ ଶାସକ କୁହାଯାଉଥିଲା । ଜିନପିଙ୍ଗଙ୍କୁ ବିରୋଧ କରି ଚୀନବାସିନ୍ଦା ଐତିହାସିକ ବିରୋଧ ପ୍ରଦର୍ଶନ କରିଥିଲେ ।

ନାସା ଜେମ୍ସ ଓ୍ୱେବ ସ୍ପେସ ଟେଲିସ୍କୋପ୍ ଲଞ୍ଚ କଲା

ଆମେରିକାର ଅନ୍ତରୀକ୍ଷ ଏଜେନ୍ସି ନାସା ଜେମ୍ସ ଓ୍ୱେବ୍ ସ୍ପେସ୍ ଟେଲିସ୍କୋପ୍ (JWST) ଲଞ୍ଚ କରିବାରେ ସକ୍ଷମ ହୋଇଥିଲା । ଯଦିଓ ସ୍ପେସ୍ ଟେଲିସ୍କୋପ୍ ୨୦୨୧ ଡିସେମ୍ୱର ୨୫ ତାରିଖରେ ଲଞ୍ଚ କରିଥିଲା, କିନ୍ତୁ ତାହାର ଫଟୋ ୨୦୨୨ରେ ମିଳିଥିଲା । JWST ବ୍ରହ୍ମାଣ୍ଡର ଅନେକ ଫଟୋ ଆକାଶରୁ ଉତ୍ତୋଳନ କରିଛି ।

ଶ୍ରୀଲଙ୍କାର ଆର୍ଥିକ ସଙ୍କଟ

୨୦୨୨ରେ ମହଙ୍ଗା ମାଡ଼ ଲୋକଙ୍କ ଅଣ୍ଟା ଭାଙ୍ଗିଥିଲା । ଶ୍ରୀଲଙ୍କାରେ ଏହାର ପ୍ରଭାବ ଅନେକ ପଡିଥିଲା । ଫଳରେ ସିଂହଳୀ ଦେଶ ଅତି ଗରୀବ ସ୍ତରକୁ ଖସିଥିଲା । ଦେଶର ଆର୍ଥିକ ସ୍ଥିତି ଗମ୍ଭୀର ଭାବେ ଖସିବାରୁ କାଙ୍ଗାଳସ୍ଥିତି ଦେଖାଦେଇଥିଲା । ବିଦେଶୀ ମୁଦ୍ରା ଭଣ୍ଡାର ଖାଲି ହେବାରେ ଲାଗିଥିଲା । ଫଳରେ ଲୋକେ ବିଦ୍ରୋହ କରିଥିଲେ । ମହିନ୍ଦା ରାଜପାକ୍ଷେ ଶେଷରେ ନିଜର ପଦ ତ୍ୟାଗ କରିଥିଲେ । ଲୋକେ ୯ ଜୁଲାଇ ରେ ସାଧାରଣ ଜନତା ରାଷ୍ଟ୍ରପତି ଭବନ କବଜାକୁ ନେଇଥିଲେ ।

ସିଞ୍ଜୋ ଆବେଙ୍କ ହତ୍ୟା

ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ଏକ ସଭାକୁ ସମ୍ୱୋଧନ କରିବା ବେଳେ ତାଙ୍କ ଉପରକୁ କେହି ଗୁଳି ମାଡ଼ କରିଥିଲେ । ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହେଲେ ତାଙ୍କର ମୃତ୍ୟୁ ଖବର ଦେଇଥିଲେ ଡାକ୍ତର ।

ପାକିସ୍ତାନରେ ବିନାଶକାରୀ ବନ୍ୟା

୨୦୨୨ରେ ଗ୍ଲୋବଲ ଓ୍ୱାର୍ମିଂର ଶିକାର ହୋଇଥିଲା ପାକିସ୍ତାନ । ଭୟଙ୍କର ବନ୍ୟାରେ ପ୍ଲାବିତ ହୋଇଥିଲା ପାକିସ୍ତାନ । ପ୍ରାୟ ୩ କୋଟିରୁ ବେଶୀ ନାଗରିକଙ୍କ ମୃତ୍ୟୁ ହୋଇଥିଲା । ପାକିସ୍ତାନର ରାସ୍ତାଘାଟ, ପୋଲ ଓ ବଡ ବଡ଼ କୋଠା କ୍ଷତିଗ୍ରସ୍ତ ହୋଇଥିଲା । ପୂର୍ବରୁ ଆର୍ଥିକ ସ୍ଥିତି ସହ ସଂଗ୍ରାମ କରୁଥିବା ପାକିସ୍ତାନ ଦେଶର ବନ୍ୟା ସ୍ଥିତିକୁ କାବୁ କରିବାରେ ନାକେଦମ ହୋଇଥିଲା । ପିଇବା ପାଣି ନପାଇ ଲୋକେ ଅସୁସ୍ଥ ହୋଇ ପ୍ରାଣ ହରାଇଥିଲେ ।

Leave A Reply

Your email address will not be published.