Latest Odisha News

BREAKING NEWS

ଅଷ୍ଟମୀ ପିଠା, ମନର କଥା

ଡ଼ି ଶୁଭମ୍‌ 

ଆମେ ଓଡ଼ିଆ , ଭାରି ବଢ଼ିଆ – ଏ ଉକ୍ତିଟି ବୋଧହୁଏ ସମସ୍ତେ କଥାକଥାରେ ବ୍ୟବହାର କରୁଥିବେ । ଓଡ଼ିଆତ୍ୱର ବିଶେଷତା ସାରା ବିଶ୍ୱରେ ଅନନ୍ୟ । ଏ ମାଟିର ବାସ୍ନା ଅଲଗା , ଆମ ରାଇଜର ପବନର ଶିହରଣ ବି ଅଲଗା । ଏଠି ପୂଜା, ପର୍ବଠୁ ଆରମ୍ଭ କରି ପିଠା ,ମିଠା ଯାଏଁ ସବୁକିଛି ସ୍ୱତନ୍ତ୍ରତାର ଗାଥା ଗାଏ । ଓଡ଼ିଆ , ଏକ ଜାତିର ଅସ୍ମିତା । ବାର ମାସରେ ତେର ପରବ , ଆମ ଓଡ଼ିଆଙ୍କ ମହନତାର ପରିଚୟ ।

ଓଡ଼ିଶା, ଏକ ରାଜ୍ୟ ନୁହେଁ ବରଂ ସ୍ପନ୍ଦନ ଆଉ ଅନୁଭବର ଏକ ଫେଣ୍ଟାଫେଣ୍ଟି ମିଶ୍ରଣ । ଏ ମାଟି ମାଣବସା ଗୁରୁବାର ହେଉ କି ରଜ ସଂକ୍ରାନ୍ତି ତ ପ୍ରଥମାଅଷ୍ଟମୀ ଏସବୁରେ ଓଡ଼ିଆ ମନ ଆଉ ପ୍ରାଣର ପ୍ରତିବେଦନ ଖୁବ ନିଆରା । ଆଉ ଆଜି ପ୍ରଥମାଷ୍ଟମୀ । ଓଡ଼ିଆଙ୍କ ପାଇଁ ଏ ପର୍ବ ବେଶ ଗୁରୁତ୍ୱ ବହନ କରେ । ଖାସ କରି ଘରର ବଡ଼ ପୁଅ ଆଉ ଝିଅଙ୍କ ପାଇଁ । ପ୍ରଥମାଷ୍ଟମୀରେ ଓଡ଼ିଆ ଘରର ରୀତିନୀତି ଅନୁଯାୟୀ ଘରର ବଡ଼ ପୁଅ ଆଉ ଝିଅ ନୂଆ ଡ଼୍ରେସ ପିନ୍ଧି ଏକ ଅହେତୁକ ମାଦକତାରେ ଭରିଯାଆନ୍ତି ।

ଶୀର୍ଷକ ଅଷ୍ଟମୀ ପିଠା କେବଳ ମୋ ପାଇଁ ନୁହଁ ମୋ ପରି ଘରର ସବୁ ବଡ଼ ପୁଅ ଝିଅଙ୍କ ପାଇଁ ଅଷ୍ଟମୀ ଦିନର ଏକ ନିତିଦିନଆ ପ୍ରଥା । ସକାଳ ହେଉ ହେଉ ହଳଦୀ ପତରରେ ତିଆରି ଏଣ୍ଡୁରି ପିଠା, ସୁଜି ମଣ୍ଡା,ସୁଜି କାକାରା ଆଉ ତା ସହ ଭଳିକି ଭଳି ମିଠା ଆସି ସକାଳ ଖାେଇବାରେ ପରଷାଯାଏ । ଗାଁ ଗହଳିରେ ଏସବୁର ମଜା ଆହୁରି ଅଲଗା । ସହରିଆ ସିନା ଗ୍ୟାସ ଚୁଲାରେ ପିଠା କରୁଛନ୍ତି ହେଲେ ଗାଁର ସେଇ ଚୁଲି ରନ୍ଧା ଖାଇବାଠୁ ପିଠା ଯାଏଁ ସବୁର ସ୍ୱାଦ ନିଆରା । ଚୁଲି ମୁହଁରୁ ଧୂଆଁ
ଆଖି ଯାଏ ଭାସିଆସେ ଆଉ ସେପଟୁ ପିଠାର ବାସ୍ନା । ବାସ୍ .. ଏତିକି ତ ମନ ଭିତରେ ପର୍ବପର୍ବାଣୀର ସେ ଦୃଶ୍ୟପଟ୍ଟକୁ ରୋମନ୍ଥନ କରିଦିଏ । ଆଗରୁ ମାମୁଁଘର ଡ୍ରେସକୁ ଅପେକ୍ଷା କରି ରହୁଥିଲେ ।

ମାମୁଁଘରୁ ଭାର ନେଇ ମାମୁଁ କି ମାମୁଁଘର ଲୋକ ଆସନ୍ତି । କିନ୍ତୁ ଏବେ ସେ ସମୟ ବଦଳିଯାଇଛି । ଆମ ମନୋଭାବ ବି ବଦଳିଛି । ଡ୍ରେସ ପିନ୍ଧିବାର ଢାଞ୍ଚା ବି ବଦଳିଛି । ଏବେ ଡିଜିଟାଲ ଯୁଗ ସହ ତାଳଦେଇ ଆମେ ଗତିକରୁଛେ । ଆଜି ଆଉ ସେ ପିଠାର ମହକ ନାହିଁ । କାଁ ଭାଁ ହଳଦିପତର ବଜାରରେ ଦେଖାଯାଉଛି । ଆଉ କିଏ ହଳଦୀପତରରେ ଏଣ୍ଡୁରିପିଠା କରିବାର କଥା ଭାବିବେ ବା କାହିଁ , ଏବେ ତ ଅନଲାଇନରେ ସ୍ଵିଗି ଆଉ ଜୋମାଟୋ ଅଛି । ଡିଜିଟାଲରେ ବି ଟଙ୍କା ପଠାଇହଉଛି
ଆଉ ଅନଲାଇନରେ ଡ୍ରେସ୍ । ସବୁକିଛି ଏବେ ଆଧୁନିକତାକୁ ସ୍ପର୍ଶ କରି ସାରିଲାଣି । ଆଉ କାହାରି ସେ ସୁଜି କାକାରା ଖାଇବାକୁ ମନ ନାହିଁ । ସମୟ ସହ ଏ ପ୍ରଥା ବି ଏବେ ଲୋପ ପାଇବାକୁ ବସିଲାଣି ।

ସକାଳୁ ଯେବେ ଆଜି ମୋବାଇଲ ଫୋନ ଖୋଲିଛି , ସମସସ୍ତଙ୍କ ସୋସିଆଲ ମିଡ଼ିଆରେ ଭଳିକି ଭଳି କ୍ୟାପ୍ସନ୍ ,ନୂଆ ଡ୍ରେସର
ଝଲକ । ଏସବୁ ଦେଖି ପିଲାଦିନର ଅଷ୍ଟମୀ ପାଳନର କଥା ମନେପଡ଼ିଗଲା । ଆଉ ସେ ଦିନ ସବୁ ନାହିଁ । ମୋର ମନେ ଅଛି ମୁଁ ଯେବେ ପିଲା ହୋଇଥିଲି ମାମୁଁଘରେ ସେ ଚୁଲିମୁଣ୍ଡ ପାଖରେ ବସିବାର ସ୍ମୃତି ଏବେ ବି ତାଜା ଅଛି । ଆଖିରୁ ପାଣି ଆସିଯାଉଥିବ ହେଲେ ସେଠୁ ଉଠିବାକୁ ମନ କହୁନଥିବ । ଏଇଟା ହିଁ ତ ଚୁଲି ଆଉ ଗ୍ୟାସ ଭିତରର ଫରକ । ଅଷ୍ଟମୀ ଆଉ ମାମୁଁଘର ଏ ଦୁଇଟା ଶବ୍ଦ ଘରର ବଡ଼ ପୁଅ ଝିଅଙ୍କ ପାଇଁ ଖୁବ୍‌ ଜଣାଶୁଣା । କିନ୍ତୁ ଆଉ ଏବେ ପାଠପଢ଼ାର ବ୍ୟସ୍ତତା ତଥା ଅନ୍ୟାନ୍ୟ କାମ ଯୋଗୁଁ ଆଉ ସେ ପିଠାର ସ୍ୱାଦ ପାଇପାରୁନି । ଇଚ୍ଛା ଥିଲେ ବି ବାହାରର ସେ ପିଠା ଆଉ ଗାଁର ପିଠା ଭିତରେ ଅନେକ ଫରକ ଦେଖିବାକୁ ପାଉଛି । ଆଉ ସେ ମହକ ବି ମନରେ ଆସୁନି । ସବୁଦିନ ପରି ଅଷ୍ଟମୀ ବି ଗୋଟେ ସାଧାରଣ ଦିନ ପରି ବିତିଯାଉଛି । ନା ଅଛି ହଳଦୀପତରର ବାସ୍ନା । ଆଧୁନିକତାର ଚାକଚକ୍ୟ ଭିତରେ ଏବେ ଆମ ମନ ଭିତରୁ ଏସବୁ ଲିଭିବାକୁ ଲାଗିଲାଣି ।

ଆଜିକାଲିର ପିଲାଙ୍କୁ ଏ ପର୍ବର ବିଶେଷତା କଥା ପଚାରିଲେ ବି ଉଣାଅଧିକେଙ୍କ ଛଡ଼ା ଆଉ କେହି ଜାଣିନଥିବେ । ଆଜିର ଦିନରେ ଏ ପ୍ରସଙ୍ଗକୁ ଉଠାଇବାର ଅର୍ଥ ଏହା କି ସାମ୍ପ୍ରତିକ ସମୟରେ ଯୁବଗୋଷ୍ଠୀ ଆଧୁନିକତା ସହ ଆମ ପରମ୍ପରାକୁ ବି ସମ ଭାବରେ ନଜର ଦେବା ଆବଶ୍ୟକ । କାରଣ ପ୍ରଥା ଆଉ ପରମ୍ପରା ହିଁ ଆମ ଓଡ଼ିଆଙ୍କ ଏକ ପ୍ରମୁଖ ଆଧାର । ଆଜି ବି ଗାଁ
ମାନଙ୍କରେ ପ୍ରଥମାଷ୍ଟମୀର ଝଲକ ଦେଖିଲେ ମନେ ହୁଏ ଯେ ଆମ ଭିତରୁ ଅନେକ ଏବେ ବି ଏ ପରମ୍ପରାକୁ ମାନୁଛନ୍ତି । ଯୁଗ ଯଦିଓ ଆଧୁନିକତାକୁ ସ୍ପର୍ଶ କରିଛି ତଥାପି ଗାଁ ଗହଳିରେ ଏ ପ୍ରଥା ଏବେ ବି ବେଶ ସୁନ୍ଦର ଭାବରେ ପାଳନ କରାଯାୁଛି । ଘରର ବଡ଼ ପୁଅଙ୍କୁ ନୂଆ ଡ୍ରେସ ଦେବା ହଉ କି ପିଠାପଣା ଆଉ ମିଠାର ସମ୍ଭାର , ଏସବୁକୁ ବେଶ ଆଡ଼ମ୍ବର ସହକାରେ ମନାଯାଉଛି । ଆମେ ଓଡିଆ ବୋଲି ପରିଚୟ ଦେବାକୁ ଆଉ ଅଧିକ କ’ଣ ବା ପ୍ରମାଣ ଦିଆଯାଇପାରେ ?

କହିବା ବାହୁଲ୍ୟ ଯେ କେବଳ ପ୍ରଥମାଷ୍ଟମୀ ନୁହେଁ , ଏମିତି ଅନେକ ପରମ୍ପରାକୁ ଏବେ ଆଗକୁ ଆଣିବାର ସମୟ ଆସିଛି । ଓଡ଼ିଆ ବୋଲି ଏକ ସ୍ୱତନ୍ତ୍ର ପରିଚୟ ସମସ୍ତଙ୍କ ଆଗରେ ଦେଖାଇବାର ବେଳ ଆସିଛି । ଆଜି ପ୍ରଥମାଷ୍ଟମୀରେ ଆମେ ଏହାକୁ ପଣ କରିବା । ଆଗକୁ ସବୁ ଓଡ଼ିଆ ପର୍ବପର୍ବାଣିରେ ନିଜକୁ ଓଡ଼ିଆ ବୋଲି ପ୍ରମାଣିତ କରିବା । ଆଧୁନିକତା ଭିତରେ ବି ଆମ ପ୍ରଥା ଆଉ ପରମ୍ପରାକୁ ସମ୍ମାନ ଦେବା । ତାହେଲେ ଯାଇ ଗର୍ବରେ କହିପାରିବା – ମୁଁ ଓଡ଼ିଆ , ଭାରି ବଢ଼ିଆ ।

କୃଷି ସ୍ନାତକୋତ୍ତର , ମୃତ୍ତିକା ବିଜ୍ଞାନ ,
ସୋଆ , ଭୁବନେଶ୍ୱର, ମୋ -୯୪୩୮୪୬୭୦୭୯

Leave A Reply

Your email address will not be published.