ଭୁବନେଶ୍ୱର: ଚଳିତ ବର୍ଷ ଓଡ଼ିଶଆ ଗୋଟିଏ ପରେ ଗୋଟିଏ ବନ୍ୟା ସାମ୍ନା କରିଛି। ପ୍ରବଳ ବର୍ଷା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଛି। ଆଗକୁ ପୁଣି ବର୍ଷା ଓ ଲଘୁଚାପର ସମ୍ଭାବନା ଥିବାରୁ ସରକାର ସ୍ଥିତି ଉପରେ ନଜର ରଖିଛନ୍ତି । ଗତ ୧୫ ଦିନ ମଧ୍ୟରେ ରାଜ୍ୟର ୨୪ଟି ଜିଲ୍ଲା ବନ୍ୟାରେ ପ୍ରଭାବିତ ହୋଇଛି। ରାଜ୍ୟରେ ବନ୍ୟା କ୍ଷୟକ୍ଷତି ଆକଳନ ନେଇ ରାଜସ୍ଵ ମନ୍ତ୍ରୀ ଦେଇଛନ୍ତି ବଡ଼ ସୂଚନା। ମନ୍ତ୍ରୀ କହିଛନ୍ତି ଯେ, କିଛି ଜିଲ୍ଲାରେ ପୂର୍ଣ୍ଣାଙ୍ଗ ରିପୋର୍ଟ ଆସିଲାଣି। କୃଷି ବିଭାଗର ସାହାଯ୍ୟ ନେଇ କ୍ୟାବିନେଟରେ କ୍ଷୟକ୍ଷତି ଆଲୋଚନା ହେବ।
ଚାଷୀଙ୍କୁ ସ୍ୱଳ୍ପ ମିଆଦି ଧାନ ବିହନ ଯୋଗାଇ ଦିଆଯିବ। ସେହିପରି ପନିପରିବା ଚାଷୀଙ୍କ ପାଇଁ ମଧ୍ୟ ଅଧିକ ସାହାଯ୍ୟ ଦିଆଯିବ। କୃଷି, ସମବାୟ, ପଶୁସମ୍ପଦ ବିଭାଗ ଦ୍ୱାରା ସ୍ୱତନ୍ତ୍ର ପ୍ୟାକେଜ ଦିଆଯିବ। ସେଥିପାଇଁ ଡାଟା ବେସ୍ ପ୍ରସ୍ତୁତ କରାଯାଉଛି। ଯାହାର ଯାହା କ୍ଷତି ହୋଇଛି ସେଥିପାଇଁ ନିୟମାବଳୀ ହିସାବରେ କ୍ଷତିପୂରଣ ଦିଆଯିବ। କେହି ଯଦି ବଞ୍ଚିତ ହେଇଥାଆନ୍ତି ତେବେ ନିକଟସ୍ଥ ପଞ୍ଚାୟତ ଅଫିସ୍ କିମ୍ବା ନିକଟସ୍ଥ ବ୍ଲକ୍ ଅଫିସକୁ ଯାଇ ଜଣାଇପାରିବେ। କୌଣସି କେନ୍ଦ୍ରୀୟ ଟିମ୍ ଆସିବାର ଯୋଜନା ନାହିଁ। ଆବଶ୍ୟକ ହେଲେ କେନ୍ଦ୍ରକୁ ଅଧିକ ସହାୟତା ମାଗିବୁ। ଏବେ ସେକଥା ଚିନ୍ତା କରାଯାଇନି। କ୍ଷୟକ୍ଷତିର ଆକଳନ ପରେ ଜଣାପଡ଼ିବ ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ କହୁଛନ୍ତି।
ରିପୋର୍ଟ ଅନୁଯାୟୀ, ୨୪ ଜିଲ୍ଲାର ୧୫୪ଟି ବ୍ଲକ୍ ଅଧୀନରେ ୮୭୯ଟି ଗ୍ରାମ ପଞ୍ଚାୟତ ଏବଂ ୨,୮୫୫ଟି ଗାଁ ବନ୍ୟା ଯୋଗୁଁ କ୍ଷତିଗ୍ରସ୍ତ ହୋଇଛି । ସହରାଞ୍ଚଳର ୨୦୯ଟି ୱାର୍ଡରେ ପ୍ରାୟ ୧୩ ଲକ୍ଷ ୭୧ ହଜାର ୩୩୮ ଜଣ ଲୋକ ପ୍ରଭାବିତ ହୋଇଛନ୍ତି । ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ୩୬୬ଟି ଗାଁରୁ ପର୍ଯ୍ୟାୟକ୍ରମେ ୭ ଲକ୍ଷ ୨୨ ହଜାର ୭୩୨ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ୭୮୩ଟି ରିଲିଫ୍ କ୍ୟାମ୍ପ ଖୋଲାଯାଇଥିବା ବେଳେ ଏଠାରେ ୭ ଲକ୍ଷ ୨୬ ହଜାର ୪୪୧ ଜଣ ଲୋକଙ୍କୁ ସହାୟତା ଯୋଗାଇ ଦିଆଯାଇଛି। ୩୧ଟି ସ୍ଥାନରେ ପଶୁସମ୍ପଦକୁ ମଧ୍ୟ ସୁରକ୍ଷିତ ସ୍ଥାନକୁ ନିଆଯାଇଛି ।
ରାଜସ୍ଵ ମନ୍ତ୍ରୀ କହିଛନ୍ତି ଯେ, ଲଘୁଚାପ ପ୍ରଭାବରେ ପୁଣି ଆସିପାରେ ବନ୍ୟା। ଓଡ଼ିଶାରେ ଗୋଟିଏ ପରେ ଗୋଟିଏ ବନ୍ୟା ଆସୁଛି। ବର୍ଷା ଓ ଲଘୁଚାପର ପୁଣି ସମ୍ଭାବନା ଅଛି। ବନ୍ୟା ବି ହେଉଛି। ଗତ ୧୫ ଦିନ ଭିତରେ ୨୪ଟି ଜିଲ୍ଲାର ୧୫୪ଟି ବ୍ଲକର ୮୭୯ଟି ଗ୍ରାମ ପଞ୍ଚାୟତ ଏବଂ ୨୮୫୫ଟି ଗାଁ ବନ୍ୟା ଯୋଗୁଁ କ୍ଷତିଗ୍ରସ୍ତ ହୋଇଛି। ସହରାଞ୍ଚଳରେ ୨୦୯ଟି ୱାର୍ଡରେ ୧୩ ଲକ୍ଷ ୭୧ ହଜାର ୩୩୮ ଲୋକ ପ୍ରଭାବିତ ହୋଇଛନ୍ତି। ୭ ଲକ୍ଷ ୨୨ ହଜାର ୭୩୨ ଲୋକଙ୍କୁ ପର୍ଯ୍ୟାୟକ୍ରମେ ୩୬୬ଟି ଗାଁରୁ ସ୍ଥାନାନ୍ତରିତ କରାଯାଇଛି। ୭୯ ହଜାର ୮୨୪ ହେକ୍ଟର ଚାଷ ଜମି , ୫୦୪୪ ଘର କ୍ଷତିଗ୍ରସ୍ତ ହୋଇଛି। ସରକାରଙ୍କ ପକ୍ଷରୁ ୭୮୩ ରିଲିଫ୍ କ୍ୟାମ୍ପ ଖୋଲାଯାଇଥିଲା। ଏହାଦ୍ବାରା ୭ ଲକ୍ଷ ୨୬ ହଜାର ୪୪୧ ଲାଭାର୍ଥୀ ସାହାଯ୍ୟ ସହଯୋଗ ନେଇଥିଲେ। ୩୧ ସ୍ଥାନରେ ପଶୁ ସମ୍ପଦକୁ ସ୍ଥନତରିତ କରାଯାଇଥିଲା। ୯୦.୫ କ୍ଵିଣ୍ଟାଲ ଚଉଳ, ୩୫୬.୩ ଗୁଡ଼ ଦିଆଯାଇଛି। ପ୍ରଭାବିତ ଲୋକଙ୍କୁ ୮୭୦୮ ପଲିଥିନ ଦିଆଯାଇଛି । ୧୧୦ କୋଟି ଟଙ୍କା ବିଭିନ୍ନ ଜିଲ୍ଲାକୁ ଦିଆଯାଇଛି। ଆହୁରି ୨୬ କୋଟି ଟଙ୍କା ଅଧିକ ସାହାଯ୍ୟ ଦିଆଯାଇଛି।
