Latest Odisha News

BREAKING NEWS

ଦକ୍ଷିଣ ଓଡିଶାରେ ସୁଧୁରୁଛି ବନ୍ୟା ସ୍ଥିତି

ଭୁବନେଶ୍ୱର: ଦକ୍ଷିଣ ଓଡିଶାରେ ଗତ ୧୨ ଘଣ୍ଟା ମଧ୍ୟରେ ବର୍ଷାର ପରିମାଣ ସାମାନ୍ୟ କମିଥିବା ଯୋଗୁଁ ମାଲକାନଗିରି ଓ ରାୟଗଡାରେ ଉପୁଜିଥିବା ବନ୍ୟା ପରିସ୍ଥିତି ଧିରେଧିରେ ସୁଧୁରିବାରେ ଲାଗିଛି ।

ମାଲକାନଗିରି ଜିଲ୍ଲାର ପୋଟେରୁ, କାଙ୍କରମୁଣ୍ଡା ଓ ଏମଭି-୯୦ ଅଞ୍ଚଳରେ ଜଳସ୍ତର କମିଥିବାରୁ ଲୋକମାନଙ୍କୁ ସାମାନ୍ୟ ଆଶ୍ୱସ୍ତୀ ମିଳିଛି । ଅପରପକ୍ଷରେ ବର୍ଷା ଯୋଗୁଁ ୩୨୬ ନଂ ଜାତୀୟ ରାଜପଥରେ ଯାତାୟାତ ସମ୍ପୂର୍ଣ୍ଣ ରୂପେ ବନ୍ଦ ରହିଥିବାବେଳେ ଏବେ ଆନ୍ଧ୍ରପ୍ରଦେଶ ଓ ମୋଟୁକୁ ଗମନାଗମନ କରିହେଉଥିବା ଜଣାପଡିଛି ।

ଆହୁରି ମଧ୍ୟ ମାଥିଲି ବ୍ଲକ୍ ଅନ୍ତର୍ଗତ ମହୁପଦର ଓ ଖଇରପୁଟ ଅଞ୍ଚଳ ସମେତ ଅନେକ ପଞ୍ଚାୟତରେ ଜଳସ୍ତର ହ୍ରାସ ପାଇନଥିବାବେଳେ ସାବେରୀ ନଦୀ ପୋଲ ଉପରେ ପ୍ରାୟ ୮ ଫୁଟର ପାଣି ଚାଲୁଥିବା ନେଇ ସୂଚନା ମିଳିଛି । ଯାହାଫଳରେ ଏଠାରୁ ଛତିଶଗଡକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି ।

ଏଭଳି ସ୍ଥିତିକୁ ଦୃଷ୍ଟିରେ ରଖି ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ମଧ୍ୟ ସମସ୍ତ ସ୍କୁଲ ଗୁଡିକରେ ଛୁଟି ଘୋଷଣା କରାଯାଇଛି । ଅପରପକ୍ଷରେ ପ୍ରାୟ ୫ ହଜାର ଲୋକଙ୍କୁ ବନ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି । ସମସ୍ତଙ୍କୁ ଶୁଖିଲା ଓ ରନ୍ଧା ଖାଦ୍ୟ ପ୍ରଦାନ ଲାଗି ବ୍ୟବସ୍ଥା କରାଯିବା ସହ ପାଖାପାଖି ୨୪ ଟି ଫ୍ରି କିଚେନର ମଧ୍ୟ ବ୍ୟବସ୍ଥା କରାଯାଇଥିବା ନେଇ ସୂଚନା ମିଳିଛି ।

Leave A Reply

Your email address will not be published.