Latest Odisha News

BREAKING NEWS

ସବୁଠି ନିନ୍ଦା ପରେ ଗାଜାକୁ ଆକାଶ ମାର୍ଗରୁ ଖାଦ୍ୟ ଦେବ ଇସ୍ରାଏଲ

ନୂଆଦିଲ୍ଲୀ: ଗାଜା ଷ୍ଟ୍ରିପରେ କ୍ଷୁଧାରେ ପୀଡିତ ଲୋକଙ୍କ ପାଇଁ ଏବେ ଆକାଶ ମାର୍ଗରୁ ସାହାଯ୍ୟ ଆସିବ। ଶନିବାର ବିଳମ୍ବିତ ରାତିରେ ଇସ୍ରାଏଲୀ ସେନା ଘୋଷଣା କରିଛି ଯେ ସେମାନେ ଗାଜାରେ ଖାଦ୍ୟ ଯୋଗାଣ ପାଇଁ ‘ଏୟାରଡ୍ରପ୍’ ଅର୍ଥାତ୍ ବାୟୁ ମାର୍ଗରୁ ସହାୟତା ଆରମ୍ଭ କରିବେ।

ଏହା ସହିତ ଜାତିସଂଘର ମାନବିକ ରିଲିଫ୍ ପାଇଁ ନୂତନ କରିଡର ଖୋଲାଯିବ। ଗାଜାରେ ଅନାହାର ଘଟଣା ବୃଦ୍ଧି ପାଉଛି ଏବଂ ଏହାକୁ ନେଇ ଅନ୍ତର୍ଜାତୀୟ ସମ୍ପ୍ରଦାୟ ଓ ଇସ୍ରାଏଲର ନିକଟତମ ସହଯୋଗୀମାନେ ମଧ୍ୟ ମାନବିକ ସଙ୍କଟକୁ ଚିନ୍ତା ପ୍ରକାଶ କରୁଛନ୍ତି। ଅନ୍ତର୍ଜାତୀୟ ସ୍ତରରେ ତୀବ୍ର ସମାଲୋଚନାର ଶିକାର ପରେ ଇସ୍ରାଏଲ ନରମ ମନୋଭାବ ପୋଷଣ କରିଛି। ଅପରପକ୍ଷରେ ମିଳିତ ଜାତିସଂଘର ଶିଶୁ ପାଣ୍ଠି ଏବଂ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପରି ଅନ୍ତର୍ଜାତୀୟ ସଂସ୍ଥାଗୁଡ଼ିକ ଗାଜାର ପରିସ୍ଥିତିକୁ ନେଇ ବାରମ୍ବାର ସତର୍କବାଣୀ ଜାରି କରିଛନ୍ତି ।

ରିପୋର୍ଟ ଅନୁସାରେ, ଗାଜାର ବାସ୍ତବତା ଭୟଙ୍କର ହୋଇଗଲାଣି। ଖାଦ୍ୟ ଅଭାବରୁ କୁପୋଷଣ ବ୍ୟାପିଛି। ପିଲାମାନଙ୍କର ହାଡ଼ ଦେଖାଦେବା ଆରମ୍ଭ ହୋଇଛି। ଡାକ୍ତରମାନେ ନିଜେ ଭୋକିଲା ରହି ରୋଗୀଙ୍କ ଚିକିତ୍ସା କରୁଛନ୍ତି ଏବଂ ଲୋକମାନେ ଗୁଳିଚାଳନା ମଧ୍ୟରେ କେବଳ ଗୋଟିଏ ବସ୍ତା ଅଟା ପାଇବା ପାଇଁ ଦୌଡୁଛନ୍ତି। ଶନିବାର ଦିନ ଗୋଟିଏ ଦିନରେ ୫୩ ପାଲେଷ୍ଟାଇନୀଙ୍କ ମୃତ୍ୟୁ ଘଟିଥିଲା।

ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ, ଅନେକ ଲୋକ ଟ୍ୟାଙ୍କକୁ ରିଲିଫ୍ ଟ୍ରକ୍ ଭାବି ନେଇଥିଲେ ଏବଂ ସେଗୁଡ଼ିକ ପାଖକୁ ଆସିବା ମାତ୍ରେ ଗୁଳିଚାଳନା ଆରମ୍ଭ ହୋଇଯାଇଥିଲା। ଗାଜା ସିଟିର ଏକ କୋଠା ଉପରେ ଆକ୍ରମଣରେ ଚାରି ଜଣ ପ୍ରାଣ ହରାଇଥିବା ବେଳେ ଖାନ ୟୁନିସରେ ଏକ ଟେଣ୍ଟରେ ଚାରି ଜଣ ନିର୍ଦ୍ଦୋଷ ଶିଶୁଙ୍କ ସମେତ ଆଠ ଜଣ ପ୍ରାଣ ହରାଇଛନ୍ତି।

 

Comments are closed.