ନୂଆଦିଲ୍ଲୀ: ଭାରତର ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କୁ ନେଇ ଦେଶରେ ରାଜନୈତିକ ଝଡ଼ ସୃଷ୍ଟି ହୋଇଥିବା ବେଳେ ଶନିବାର ଦିନ ନିର୍ବାଚନ ଆୟୋଗଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଦିଲ୍ଲୀଠାରେ ଆୟୋଜିତ ଏହି ଉଚ୍ଚସ୍ତରୀୟ ବୈଠକରେ ସିଇସି ଜ୍ଞାନେଶ କୁମାରଙ୍କ ସମେତ ଅନ୍ୟ ଦୁଇ ନିର୍ବାଚନ କମିଶନର ଡକ୍ଟର ସୁଖବୀର ସିଂହ ସନ୍ଧୁ ଏବଂ ଡକ୍ଟର ବିବେକ ଯୋଶୀ ସାମିଲ ହୋଇଥିଲେ । ଆୟୋଗ ଭିତରେ ମତଭେଦ ଓ ବିବାଦ ଥିବା ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଏହି ତ୍ରିପାକ୍ଷିକ ବୈଠକ ବେଶ୍ ତାତ୍ପର୍ଯ୍ୟପୂର୍ଣ୍ଣ ବୋଲି କୁହାଯାଉଛି ।
ନିକଟରେ ଏକ ଖବରକାଗଜ ରିପୋର୍ଟରେ ଦାବି କରାଯାଇଥିଲା ଯେ, ଗତ ୧୦ ମାସ ମଧ୍ୟରେ ଫର୍ମ-୬ରେ ପରିବର୍ତ୍ତନ, ଭୋଟର ତାଲିକାରୁ ନାମ ବାଦ୍ ଦେବା ଏବଂ ନିର୍ବାଚନ ଆୟୋଗର କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିକୁ ନେଇ କମିଶନର ସୁଖବୀର ସିଂହ ସନ୍ଧୁ ଓ ବିବେକ ଯୋଶୀ ପ୍ରାୟ ୧୪ ଥର ଆପତ୍ତି ଜଣାଇଥିଲେ ।
ସେମାନଙ୍କ ଅଜାଣତରେ ଏହି ନିଷ୍ପତ୍ତିଗୁଡ଼ିକ ନିଆଯାଇଥିବା ଅଭିଯୋଗ ହୋଇଥିଲା । ତେବେ ଶନିବାରର ବୈଠକରେ ଫର୍ମ-୬କୁ ନେଇ ଚାଲିଥିବା ବିବାଦର ଅନ୍ତ ଘଟାଇବାକୁ ପ୍ରୟାସ କରାଯାଇଛି । ଆୟୋଗ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ଫର୍ମ-୬କୁ ନେଇ କୌଣସି ପ୍ରମୁଖ ସମସ୍ୟା ନାହିଁ ଏବଂ ସୁପ୍ରିମକୋର୍ଟ ମଧ୍ୟ ଏହି ଫର୍ମର ଡିକ୍ଲାରେସନକୁ ସମ୍ପୂର୍ଣ୍ଣ ବୈଧ ବୋଲି ମାନିଛନ୍ତି । ଏହାସହ କ୍ୟାବିନେଟ୍ ସଚିବଙ୍କୁ ଲେଖାଯାଇଥିବା ଏକ ଚିଠି ସହ ନିର୍ବାଚନ ଆୟୋଗଙ୍କ ନୀତିଗତ ନିଷ୍ପତ୍ତିର କୌଣସି ସମ୍ପର୍କ ନାହିଁ ବୋଲି ବୈଠକରେ ସ୍ପଷ୍ଟ କରାଯାଇଛି ।
ଗରିବ, ଶ୍ରମିକ ଏବଂ ବାସହୀନ ଲୋକଙ୍କ ପାଇଁ ନାଇଟ୍ ସେଲ୍ଟର ନିକଟରେ ସ୍ୱତନ୍ତ୍ର ହେଲ୍ପ ଡେସ୍କ ଓ କ୍ୟାମ୍ପ୍ ଲଗାଇବାକୁ ସମସ୍ତ ଜିଲ୍ଲା ନିର୍ବାଚନ ଅଧିକାରୀ ମାନଙ୍କୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି, ଯାହାଦ୍ୱାରା ଏହି ଅବହେଳିତ ବର୍ଗ ସହଜରେ ଭୋଟର ତାଲିକାରେ ନିଜ ନାମ ସାମିଲ କରିପାରିବେ ।
ସୂଚନାଯୋଗ୍ୟ ଯେ, ସିଇସି ଜ୍ଞାନେଶ କୁମାରଙ୍କ ବିରୋଧରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସମେତ ସମଗ୍ର ବିରୋଧୀ ‘ଇଣ୍ଡିଆ’ ମେଣ୍ଟ ମୋର୍ଚ୍ଚା ଖୋଲିଛନ୍ତି । ନିର୍ବାଚନରେ ଭୋଟ୍ ଚୋରି ଭଳି ସଙ୍ଗିନ ଅଭିଯୋଗ ଆଣି ବିରୋଧୀମାନେ ତାଙ୍କ ଇସ୍ତଫା ଏବଂ ଗିରଫଦାରୀ ଦାବି କରୁଛନ୍ତି । ଜ୍ଞାନେଶ କୁମାରଙ୍କୁ ପଦରୁ ହଟାଇବା ପାଇଁ ଆସନ୍ତା ୩୦ ତାରିଖରେ ‘ଇଣ୍ଡିଆ’ ମେଣ୍ଟର ଏକ ବଡ଼ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି, ଯେଉଁଥିରେ ସଂସଦରେ ମହାଭିଯୋଗ ପ୍ରସ୍ତାବ ଆଣିବା ନେଇ ରଣନୀତି ପ୍ରସ୍ତୁତ ହେବ । ଏଭଳି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ଆୟୋଗଙ୍କ ଆଭ୍ୟନ୍ତରୀଣ ବୈଠକ ଏବଂ ତିନି ନିର୍ବାଚନ କମିଶନରଙ୍କ ଏକାଠି ଆଲୋଚନା କରିବା ରାଜନୈତିକ ମହଲରେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି ।

