ଭୁବନେଶ୍ବର: ପୂର୍ବତନ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ ଅସୁସ୍ଥ । ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ନେଇ ସୂଚନା ମିଳିଛି । ଅଧିକ ଚିକିତ୍ସା ପାଇଁ ତାଙ୍କୁ ହାଇଦ୍ରାବାଦ ପଠାଇବାକୁ ପ୍ରସ୍ତୁତି କରାଯାଉଛି । ତେବେ ଶ୍ରୀ ହରିଚନ୍ଦନଙ୍କ ଅସୁସ୍ଥତା ନେଇ ସୂଚନା ଦେଇଛନ୍ତି ପୁଅ ପୃଥ୍ବୀରାଜ ହରିଚନ୍ଦନ ।
ଓଡ଼ିଶାର ବରିଷ୍ଠ ରାଜନେତା ତଥା ଆନ୍ଧ୍ରପ୍ରଦେଶ ଓ ଛତିଶଗଡ଼ର ପୂର୍ବତନ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ ଅସୁସ୍ଥ ଅଛନ୍ତି । ବୟସାଧିକ କାରଣରୁ ବିଶ୍ବଭୂଷଣଙ୍କ ବିଭିନ୍ନ ସ୍ୱାସ୍ଥ୍ୟ ଗତ ସମସ୍ୟା ଦେଖାଦେଇଛି । ତେଣୁ ତାଙ୍କୁ ପରିବାର ପକ୍ଷରୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅସୁସ୍ଥତାବଶତଃ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବିଶ୍ବଭୂଷଣଙ୍କୁ ହାଇଦ୍ରାବାଦ ପଠାଇବାକୁ ପ୍ରସ୍ତୁତ କରାଯାଉଛି ।
ସୂଚନାଯୋଗ୍ୟ, ଗତବର୍ଷ ସେପ୍ଟେମ୍ବର ମାସରେ ମଧ୍ୟ ଅସୁସ୍ଥତା କାରଣରୁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ଛତିଶଗଡ଼ର ପୂର୍ବତନ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ । ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ବିଶ୍ବଭୂଷଣ ହରିଚନ୍ଦନଙ୍କୁ ହସ୍ପିଟାଲରେ ଭେଟି ତାଙ୍କର ଆଶୁ ଆରୋଗ୍ୟ କାମନା କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
ବିଶ୍ୱଭୂଷଣ ହରିଚନ୍ଦନ ଭାରତୀୟ ଜନତା ପାର୍ଟିର ଜଣେ ବରିଷ୍ଠ ନେତା । ସେ ୨୦୧୯ ମସିହାରେ ଆନ୍ଧ୍ର ପ୍ରଦେଶର ରାଜ୍ୟପାଳ ରୂପେ ନିଯୁକ୍ତ ହୋଇଥିଲେ । ସକ୍ରିୟ ରାଜନୀତିରେ ଥାଇ ସେ ୫ଥର ଓଡ଼ିଶା ବିଧାନ ସଭାକୁ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି ଓ ରାଜ୍ୟ ସରକାରରେ ମନ୍ତ୍ରୀ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି ।
Comments are closed.