Latest Odisha News

BREAKING NEWS

ଆତ୍ମହତ୍ୟା କଲେ ଆନ୍ଧ୍ରପ୍ରଦେଶର ପୂର୍ବତନ ବାଚସ୍ପତି କୋଦେଲା ଶିବପ୍ରସାଦ ରାଓ

ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶ ବିଧାନସଭାର ପୂର୍ବତନ ବାଚସ୍ପତି କୋଦେଲା ଶିବପ୍ରସାଦ ରାଓ ତାଙ୍କ ହାଇଦ୍ରାବାଦସ୍ଥିତ ବାସଭବନରେ ନିଜ ବେକରେ ରଶି ଲଗାଇ ଆତ୍ମହତ୍ୟା କରିବା ପାଇଁ ଉଦ୍ୟମ କରିଥିଲେ। ପରେ ତାଙ୍କ ପରିବାର ସଦସ୍ୟମାନେ ତାଙ୍କୁ ସଙ୍ଗେସଙ୍ଗେ ଗୁରୁତର ଅବସ୍ଥାରେ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ମଧ୍ୟାହ୍ନ ୧୨ଟା ୧୫ ସମୟରେ ଶ୍ରୀ ରାଓଙ୍କୁ ଡାକ୍ତରମାନେ ମୃତ ଘୋଷଣା କରିଛନ୍ତି । ମୁତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା।

ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ, ଆତ୍ମହତ୍ୟାର କାରଣ ସ୍ପଷ୍ଟ ହୋଇନଥିଲେ ମଧ୍ୟ ଶିବପ୍ରସାଦ ନିଜ ପରିବାର ଓ ଟିଡିପି ଦଳକୁ ନେଇ ମାନସିକ ସ୍ତରରେ ଅବସାଦ ଗ୍ରସ୍ତ ରହିଥିଲେ ।

ସ୍ୱର୍ଗତ ଶିବପ୍ରସାଦ ୧୯୮୨ରେ ତେଲଗୁ ଦେଶମ୍‌ ପାର୍ଟି (ଟିଡିପି)ର ଜନ୍ମକାଳରୁ ସଂପୃକ୍ତ ରହିବା ସହ ଏହାର ପ୍ରତିଷ୍ଠାତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ୍‌. ଟି ରାମା ରାଓଙ୍କର ଜଣେ ଘନିଷ୍ଠ ସହଯୋଗୀ ଥିଲେ ।

ଶିବପ୍ରସାଦ ୬ ଥର ପାଇଁ ବିଧାୟକ ଭାବେ ନିର୍ବାଚିତ ହୋଇଥିବା , ୨୦୧୯ ରେ ନିଜ ସିଟ୍ ହାରି ଯାଇଥିଲେ।୧୯୮୩ରୁ ସ୍ୱର୍ଗତ ରାଓ ଗୁଣ୍ଟୁର ଜିଲ୍ଲାର ନାରାସାଓପେଟା ବିଧାନସଭା କ୍ଷେତ୍ରରୁ କ୍ରମାଗତ ଭାବେ ୫ ଥର ପାଇଁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ସେ ସାତେନାପଲ୍ଲୀ ବିଧାନସଭା କ୍ଷେତ୍ରର ବିଧାୟକ ରହିଥିଲେ। ଏନ୍‌ ଟି ରାମା ରାଓ ଓ ଚନ୍ଦ୍ରବାବୁ ନାଇଡ଼ୁଙ୍କ ମନ୍ତ୍ରିମଣ୍ଡଳରେ ସେ ଗୃହ, ପଞ୍ଚାୟତିରାଜ ପ୍ରଭୃତି ଗୁରୁତ୍ୱପୂର୍ଣ୍ଣ ବିଭାଗର କ୍ୟାବିନେଟ୍‌ ମନ୍ତ୍ରୀ ରହିବା ପରେ ୨୦୧୪ରେ ସେ ଆନ୍ଧ୍ରପ୍ରଦେଶ ବିଧାନସଭାର ବାଚସ୍ପତି ରୂପେ ନିର୍ବାଚିତ ହୋଇଥିଲେ।

Leave A Reply

Your email address will not be published.