Latest Odisha News

ମାଓବାଦୀ ଲିଙ୍କ ମାମଲା: ପୂର୍ବତନ ପ୍ରଫେସର ଜିଏନ୍ ସାଇବାବା ନିର୍ଦ୍ଦୋଷରେ ଖଲାସ

ନୂଆଦିଲ୍ଲୀ: ଦିଲ୍ଲୀ ବିଶ୍ୱବିଦ୍ୟାଳୟର ପୂର୍ବତନ ପ୍ରଫେସର  ଜିଏନ୍ ସାଇବାବାଙ୍କୁ ବମ୍ୱେ ହାଇକୋର୍ଟ ନିର୍ଦ୍ଦୋଷରେ ଖଲାସ କରିଛନ୍ତି।  ମାଓବାଦୀ ଲିଙ୍କ ମାମଲାରେ ଆଜୀବନ କାରାଦଣ୍ଡକୁ ବମ୍ୱେ ହାଇକୋର୍ଟ ଆଜି ରଦ୍ଦ କରିଛନ୍ତି । ପ୍ରଫେସର ସାଇବାବା ବର୍ତ୍ତମାନ ନାଗପୁର କେନ୍ଦ୍ରୀୟ ଜେଲରେ ଅଛନ୍ତି ।

ସୂଚନାଯୋଗ୍ୟ,୨୦୨୨ ମସିହା ୧୪ ଅକ୍ଟୋବରରେ ଦିବ୍ୟାଙ୍ଗ ପ୍ରଫେସର ସାଇବାବାଙ୍କୁ ବମ୍ୱେ ହାଇକୋର୍ଟ ନିର୍ଦ୍ଦୋଷରେ ଖଲାସ କରିଥିଲେ ।  ହେଲେ ସୁପ୍ରିମକୋର୍ଟ ଏହି ନିଷ୍ପତ୍ତିକୁ  ପ୍ରତ୍ୟାଖ୍ୟାନ କରି ନୂତନ ଶୁଣାଣି ପାଇଁ ବମ୍ୱେ ହାଇକୋର୍ଟକୁ ପଠାଇଥିଲା ।

୨୦୧୪, ମେ ୯ ତାରିଖରେ ମାଓବାଦୀ ଲିଙ୍କ ମାମଲାରେ ସାଇବାବାଙ୍କୁ ଗିରଫ କରାଯାଇ କୋର୍ଟରେ ଉପସ୍ଥାପନା କରାଯାଇଥିଲା। ଏହାପରେ ତାଙ୍କୁ ନ୍ୟାୟିକ ହେପାଜତକୁ  ପଠାଯାଇଥିଲା । ୨୦୧୭ ମାର୍ଚ୍ଚରେ ମହାରାଷ୍ଟ୍ରର ଗାଡଚିରୋଲିର ସ୍ୱତନ୍ତ୍ର କୋର୍ଟରେ ସାଇବାବା  ଓ ଅନ୍ୟ ପାଞ୍ଚ ଜଣଙ୍କୁ ଭାରତୀୟ ଦଣ୍ଡବିଧି ଆଇନ ଅନୁଯାୟୀ ଦୋଷୀ ସାବ୍ୟସ୍ତ କରିଥିଲେ ।  ସାଇବାବା ଏବଂ ଅନ୍ୟ ଜାରି ଜଣଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଥିଲେ । ଆଉ ଜଣେ ଦୋଷୀଙ୍କୁ ଦଶ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା । ଏହାପରେ ସାଇବାବା ସ୍ୱତନ୍ତ୍ର କୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଚ କରି ବମ୍ୱେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।

Comments are closed.