Latest Odisha News

BREAKING NEWS

ଜମ୍ମୁ-କାଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକଙ୍କୁ ସିବିଆଇର ସମନ, ଇନସ୍ୟୁରାନ୍ସ ସ୍କାମ ମାମଲାରେ ୨୮ରେ ହେବେ ହାଜର

ନୂଆଦିଲ୍ଲୀ : ଜମ୍ମୁ କାଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକଙ୍କୁ ଶୁକ୍ରବାର ସିବିଆଇ ନୋଟିସ ଜାରି କରିଛି । ଜମ୍ମୁ କାଶ୍ମୀରରେ ତାଙ୍କ କାର୍ଯ୍ୟକାଳରେ ଲାଗୁ ହେବାକୁ ଥିବା ରିଲାଏନ୍ସ ଇନ୍ସୁରାନ୍ସ ଦୁର୍ନୀତି ନେଇ ପଚରାଉଚରା କରିବାକୁ ସିବିଆଇ ନୋଟିସ ପଠାଇଥିବା ଜଣାପଡ଼ିଛି । ସିବିଆଇ ସତ୍ୟପାଲ ମଲ୍ଲିକଙ୍କୁ ଆସନ୍ତା ୨୮ ତାରିଖରେ ସିବିଆଇ କାର୍ଯ୍ୟାଳୟରେ ହାଜର ହେବାକୁ ସମନରେ କହିଛି ।

ସୂଚନାଯୋଗ୍ୟ, ଗତ ଏପ୍ରିଲ ୧୪ ତାରିଖରେ ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲ୍ଲିକ, ବରିଷ୍ଠ ସାମ୍ବାଦିକ କରଣ ଥାପରଙ୍କୁ ଏକ ବିସ୍ଫୋରକ ସାକ୍ଷାତକାର ଦେଇଥିଲେ, ଯେଉଁଥିରେ ସେ ଜାତୀୟ ନିରାପତ୍ତା ଏବଂ ଦୁର୍ନୀତି ପ୍ରତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଭିମୁଖ୍ୟ ବିଷୟରେ ଅନେକ ଖୁଲାସା କରିଥିଲେ । ଏଥିସହ ସାକ୍ଷାତକାରରେ ଭାରତୀୟ ଜନତା ପାର୍ଟି (ବିଜେପି) ଏବଂ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସ୍‌ଏସ୍‌) ନେତା ରାମ ମାଧବ ତାଙ୍କୁ ରିଲାଏନ୍‌ସ ଇନସ୍ୟୁରାନ୍‌ସ ଦ୍ୱାରା ପ୍ରସ୍ତାବିତ ଏକ ଯୋଜନାକୁ କାର୍ଯ୍ୟକାରୀ କରାଇବାକୁ ଚେଷ୍ଟା କରିଥିଲେ। ତେବେ, ଯେତେବେଳେ ମଲ୍ଲିକ ସ୍ପଷ୍ଟ କରିଥିଲେ ଯେ ଏହି ଯୋଜନା ବାତିଲ ହୋଇଛି ଏବଂ କାଗଜପତ୍ର ପ୍ରସ୍ତୁତ ହୋଇଯାଇଛି, ମାଧବ ନିରାଶ ହୋଇ ଫେରି ଯାଇଥିଲେ।

ସାକ୍ଷାତକାରରେ ସତ୍ୟପାଲ ମଲ୍ଲିକ ଏହା ମଧ୍ୟ ସୂଚନା ଦେଇଥିଲେ ଯେ, ସମ୍ପୃକ୍ତ ଇନ୍ସୁରାନ୍ସରେ ସରକାରୀ କର୍ମଚାରୀଙ୍କୁ ବାର୍ଷିକ ସାଢେ ୮ ହଜାରରୁ ଅଧିକ ଟଙ୍କା ଦେବାକୁ ପଡ଼ିଥାନ୍ତା । ଯାହାକୁ ନେଇ ବିରୋଧ ମଧ୍ୟ ହୋଇଥିଲା । ଏଥିସହ ଇନ୍ସୁରାନ୍ସ ପାଇଁ ଯେଉଁଠି ଚିକିତ୍ସା କରାଯାଇଥାନ୍ତା ସେଗୁଡିକ ନିମ୍ନ ମାନର ହସ୍ପିଟାଲ ବୋଲି ସତ୍ୟପାଲ ମଲ୍ଲିକ କହିଥିଲେ । ସାକ୍ଷାତକାରରେଏଭଳି ବୟାନ ଦେବା ପରେ ଗଣମାଧ୍ୟମରେ ବଡ଼ ଚର୍ଚ୍ଚା ହୋଇଥିଲା । ଏପରିକି ତାଙ୍କ ପାଖକୁ ସିବିଆଇ ନୋଟିସ ଆସିପାରେ ବୋଲି ସତ୍ୟମାଲ ମଲ୍ଲିକ ଗଣମାଧ୍ୟମରେ ମତ ପ୍ରକାଶ କରିଥିଲା ବେଳେ ଆଜି(ଶୁକ୍ରବାର) ତାଙ୍କୁ ଏନେଇ ସିବିଆଇ ନୋଟିସ କରିଛି ।

 

Leave A Reply

Your email address will not be published.