Latest Odisha News

BREAKING NEWS

ସ୍ବର୍ଗତ ସୂର୍ଯ୍ୟ ପାତ୍ରଙ୍କ ଶେଷ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ: କହିଲେ ସୂର୍ଯ୍ୟଙ୍କ ବିୟୋଗ ରାଜ୍ୟ ରାଜନୀତିରେ ଏକ ବିରାଟ ଶୂନ୍ୟତା

ଭୁବନେଶ୍ବର: ସୂର୍ଯ୍ୟ ଅସ୍ତ ହେବା ସହ ସହ ଓଡ଼ିଶାର ରାଜନୀତି ରୁ ମଧ୍ୟ ସୂର୍ଯ୍ୟ ଅସ୍ତ ହୋଇଛି  । ଗତକାଲି ଇହଲୀଳା ସମ୍ବରଣ କରିଛନ୍ତି ପୂର୍ବତନ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର  । ମୃତ୍ୟୁବେଳକୁ ତାଙ୍କୁ ୭୫ ବର୍ଷ ହୋଇଥିଲା । ଦୀର୍ଘଦିନ ଧରି ସେ ଅସୁସ୍ଥ ଥିଲେ । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଗତକାଲି ସନ୍ଧ୍ୟା ୭ଟା ୩୧ ମିନିଟ ସମୟରେ ତାଙ୍କର ଦେହାନ୍ତ ଘଟିଛି । ତାଙ୍କ ବିୟୋଗରେ ଗଞ୍ଜାମ ଜିଲ୍ଲା ସମେତ ସାରା ରାଜ୍ୟରେ ଶୋକର ଛାୟା ଖେଳିଯାଇଛି ।

ବିଜୁ ପଟ୍ଟନାୟକ ଙ୍କ ସମୟରେ ରାଜନୀତି କୁ ପ୍ରବେଶ କରିଥିଲେ ସୂର୍ଯ୍ୟ  । ଜଣେ ବରିଷ୍ଠ ନେତା ଭାବେ ସାରା ଓଡ଼ିଶାରେ ପରିଚିତ ହୋଇଥିଲେ  । ନିଜର ବଳିଷ୍ଠ ନେତୃତ୍ୱ ଓ ଦକ୍ଷ ଶାସନ ନୀତି ଯୋଗୁଁ ନିଜର ସ୍ଵତନ୍ତ୍ର ସ୍ଥାନ ତିଆରି କରିପାରିଥିଲେ ସୂର୍ଯ୍ୟ ପାତ୍ର  । ବିଜୁ ବାବୁଙ୍କର ଥିଲେ ଅତ୍ୟନ୍ତ ଘନିଷ୍ଠ  । କେବଳ ବାଚସ୍ପତି ନୁହେଁ , ଭିନ୍ନ ଭିନ୍ନ ବିଭାଗର ମନ୍ତ୍ରୀ ଓ ୪ ଥର ମୋହନା ଓ ୩  ଥର ଦିଗପହଣ୍ଡି ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ  । ଗଞ୍ଜାମ ରେ ଥିଲା ସୂର୍ଯ୍ୟଙ୍କ ସ୍ଵତନ୍ତ୍ର ଦବ ଦବା  । ବିଧାନସଭା ରେ କାର୍ଯ୍ୟ କରୁଥିବା ସମୟରେ ଗୃହରେ କୌଣସି ବାଧା ଉପୁଜିଥିଲେ,  ସ୍ଵତନ୍ତ୍ର ବୈଠକ ଡକାଇ ସମାଧାନ  କରୁଥିଲେ  ।ଯେଉଁ ସମୟରେ ସେ ଯେଉଁ ବି ଦାୟିତ୍ଵ ତୁଲାଇଛନ୍ତି , ସେ ସବୁକୁ ନିଖୁଣ ଭାବେ ତୁଲାଇ ପାରିଛନ୍ତି  ।

କେବଳ ଜଣେ ରାଜନେତା ନୁହେଁ ବରଂ ଜଣେ ଭଲ ମଣିଷ ଭାବେ ସାରା ରାଜ୍ୟ ଜାଣିଥିଲା ସୂର୍ଯ୍ୟଙ୍କୁ  । ନିଜର ମେଲାପି ଗୁଣ ଯୋଗୁଁ କେବଳ ଶାସକ ଦଳ ନୁହେଁ, ବରଂ ବିରୋଧୀ ଦଳର ନେତା ମାନଙ୍କ ର ମଧ୍ୟ ଆଦର୍ଶ ସାଜି ପାରିଥିଲେ  । ସେ ଦୀର୍ଘ ଦିନ ଧରି କିଡନୀ ଜନିତ ରୋଗରେ ଆକ୍ରାନ୍ତ ହୋଇ ଅସୁସ୍ଥ ଥିଲେ  । ଅସୁସ୍ଥତା ସତ୍ତ୍ୱେ ମଧ୍ୟ ନିଜର ଦୃଢ଼ ମନୋଭାବ ଦେଖାଇ ସେ ବନ୍ଧୁ ମାନଙ୍କ ସହ ବେଶ ସକ୍ରିୟ ଥିଲେ  । ଶେଷରେ ଅନେକ ଦିନର ଲଢେଇ ପରେ ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ଗତକାଲି ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି  ।

ପ୍ରଥମେ ହସ୍ପିଟାଲ କୁ ଚୁଟିଥିଲା ବିଶିଷ୍ଟ ନେତା ଓ ପ୍ରଶଂସକ ମାନଙ୍କ ସୁଅ  । ପରେ ମୃତ ଶରୀରକୁ ତାଙ୍କ ବାସଭବନ କୁ ଅଣାଯାଇଥିଲା  । ବାସଭବନରେ ଶେଷ ଦର୍ଶନ ପାଇଁ ପ୍ରଣବ ପ୍ରକାଶ ଦାସ, ଦେବୀ ମିଶ୍ର, ଚାଉ ପଟ୍ଟନାୟକ, ରଣେନ୍ଦ୍ର ପ୍ରତାପ ସ୍ଵାଇଁ, ପ୍ରିୟଦର୍ଶୀ ମିଶ୍ର, ସୁଶାନ୍ତ ରାଉତ, ମୁନ୍ନା ଖାଁ ,ଅନନ୍ତ ନାରାୟଣ ଜେନା , ପ୍ରଣବ ବଳବନ୍ତରାୟ , ପ୍ରଫୁଲ୍ଲ ସାମଲ ଓ ବିରୋଧୀ ଦଳ ନେତା ବୈଜୟନ୍ତ ପଣ୍ଡା, ବାବୁ ସିଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ ମଧ୍ୟ ଶେଷ ଦର୍ଶନ କରିଛନ୍ତି  । ଏଥିସହ ବିଭିନ୍ନ ରାଜନୀତିକ ମହଲ ରୁ ନେତା ମାନେ ଟ୍ୱୀଟ କରି ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି  ।

ଆଜି   ମୁଖ୍ୟମନ୍ତ୍ରୀ  ତାଙ୍କ ବାସଭବନ ରେ ଶେଷ ଦର୍ଶନ କରିଛନ୍ତି  । ପରେ  ତାଙ୍କୁ ବିଜେଡି ପାର୍ଟି ଅଫିସ ଓ ବିଧାନସଭା କୁ ନିଆଯାଇଛି  । ସେଠାରେ ଦଳୀୟ ନେତା ମାନେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ପରେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିକୁ ନିଆଯିବ। ସେଠାରେ ଅପରାହ୍ନ ପ୍ରାୟ ୩ଟା ବେଳେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯିବ। ତେବେ ବାସଭବନରେ ଉପସ୍ଥିତ ସମସ୍ତ ନେତା ଓ ପ୍ରଶଂସକ ମାନେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ଆତ୍ମ ର ସଦଗତି ପାଇଁ ପ୍ରାର୍ଥନା କରିଛନ୍ତି  । ମୃତ୍ୟୁ ପରେ ତାଙ୍କ ପରିବାର ଲୋକ ତାଙ୍କ ଆଖିକୁ ମଧ୍ୟ ଦାନ କରିଛନ୍ତି  ।  ସେ ଯାହା ବି ହେଉନା କାହିଁକି ସୂର୍ଯ୍ୟ ଙ୍କ ବିୟୋଗ ସାରା ଓଡ଼ିଶା ପାଇଁ ଏକ ଅପୂରଣୀୟ କ୍ଷତି  ।

Leave A Reply

Your email address will not be published.