Latest Odisha News

BREAKING NEWS

ଉପରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ରାଜଧାନୀରେ ଅଭେଦ୍ୟ ଦୁର୍ଗ! ଆକାଶରୁ ସ୍ଥଳଭାଗ ଜଗିବେ ଶତାଧିକ ବରିଷ୍ଠ ପୋଲିସ ଅଧିକାରୀ

ଭୁବନେଶ୍ୱର: ମାନ୍ୟବର ଉପରାଷ୍ଟ୍ରପତି ଶ୍ରୀ ସି. ପି. ରାଧାକୃଷ୍ଣନଙ୍କ ଆସନ୍ତାକାଲି ହେବାକୁ ଥିବା ହାଇପ୍ରୋଫାଇଲ୍ ଭୁବନେଶ୍ୱର ଗସ୍ତକୁ ନେଇ କମିଶନରେଟ୍ ପୋଲିସ ହାଇଆଲର୍ଟରେ ରହିଛି। ଉପରାଷ୍ଟ୍ରପତିଙ୍କ ନିରାପତ୍ତାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ସମଗ୍ର ରାଜଧାନୀକୁ ଏକ ଅଭେଦ୍ୟ ସୁରକ୍ଷା ବଳୟ ମଧ୍ୟକୁ ଅଣାଯାଇଛି। ବିମାନବନ୍ଦର ଠାରୁ ଆରମ୍ଭ କରି କାର୍ଯ୍ୟକ୍ରମ ସ୍ଥଳ ଏବଂ ଯାତାୟାତ ରୁଟ୍‌ରେ ଜିରୋ-ଏରର ସୁରକ୍ଷା ବ୍ୟବସ୍ଥା ନିଶ୍ଚିତ କରିବା ପାଇଁ ପୋଲିସ ବିଭାଗ ପକ୍ଷରୁ ଏକ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ କରାଯାଇଛି।

 

ଏହି ଭିଭିଆଇପି ଗସ୍ତ ଅବସରରେ ରାଜଧାନୀର ପ୍ରମୁଖ କେନ୍ଦ୍ର ଯଥା ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର, ଲୋକସେବା ଭବନ, ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ କୃଷି ଶିକ୍ଷା ସଦନ ଏବଂ ଜଟଣୀ ସ୍ଥିତ ନାଇଜର ପରିସରକୁ ବ୍ୟାପକ ସୁରକ୍ଷା ବଳୟରେ ରଖାଯାଇଛି। ସମ୍ଭାବ୍ୟ ବିପଦ ଏବଂ ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖିବା ପାଇଁ ସ୍ୱତନ୍ତ୍ର ଭାବେ ୮୦ଟି ୱାଚ୍ କମ୍ପୋନେଣ୍ଟ ଗଠନ କରାଯାଇଥିବା ବେଳେ ମୋଟ ୯୮ ସେକ୍ସନ୍ ଫୋର୍ସ ମୁତୟନ କରାଯାଇଛି। ସମଗ୍ର ସୁରକ୍ଷା ବ୍ୟବସ୍ଥାର ନେତୃତ୍ୱ ନେବା ପାଇଁ ୫ ଜଣ ଡିସିପି/ଏସପି/କମାଣ୍ଡାଣ୍ଟ, ୬ ଜଣ ଆଡିସନାଲ ଡିସିପି, ୨୪ ଜଣ ଏସିପି/ଡିଏସପି, ୪୩ ଜଣ ଇନ୍ସପେକ୍ଟର ଏବଂ ୧୩୫ ଜଣ ଏସଆଇ/ଏଏସଆଇ ପାହ୍ୟାର ବରିଷ୍ଠ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି।

 

ଉପରାଷ୍ଟ୍ରପତିଙ୍କ କାରକେଡ୍ ଯାତାୟାତ ସମୟରେ ସାଧାରଣ ଯାତ୍ରୀ ଯେପରି ଅସୁବିଧାରେ ନପଡ଼ିବେ ଏବଂ ଟ୍ରାଫିକ୍ ଜାମ୍ ନହେବ, ସେଥିପାଇଁ ପୃଥକ ଭାବେ ୩ ସେକ୍ସନ୍ ଫୋର୍ସ, ୨ ଜଣ ଇନ୍ସପେକ୍ଟର, ଜଣେ ଏସିପି ଏବଂ ଜଣେ ଡିସିପିଙ୍କୁ କେବଳ ଟ୍ରାଫିକ୍ ଓ ପାର୍କିଂ ପରିଚାଳନା ଦାୟିତ୍ୱରେ ରଖାଯାଇଛି।

 

ଏହା ବ୍ୟତୀତ ଯେକୌଣସି ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ସେଫ୍ ହାଉସ୍, ମେଡିକାଲ୍ ଟିମ୍, ସ୍ୱତନ୍ତ୍ର ସୁରକ୍ଷିତ ଯାନ, ଆକୋମୋଡେସନ୍ ଏବଂ ଟ୍ରାନ୍ସପୋର୍ଟେସନ୍ ବ୍ୟବସ୍ଥା ନିମନ୍ତେ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନୋଡାଲ୍ ଅଧିକାରୀମାନଙ୍କୁ ଦାୟିତ୍ୱ ଅର୍ପଣ କରାଯାଇଛି। ଏହି ଗସ୍ତ କାର୍ଯ୍ୟକ୍ରମକୁ ଶାନ୍ତିପୂର୍ଣ୍ଣ, ସୁରକ୍ଷିତ ଏବଂ କୌଣସି ପ୍ରକାର ବାଧାବିଘ୍ନ ବିନା ସଫଳ କରିବା ପାଇଁ କମିଶନରେଟ୍ ପୋଲିସ ନିଜର ସମସ୍ତ ଚୂଡ଼ାନ୍ତ ପ୍ରସ୍ତୁତି ଶେଷ କରିଥିବା ବେଳେ ସହରବାସୀଙ୍କୁ ସହଯୋଗ କରିବାକୁ ଅନୁରୋଧ କରାଯାଇଛି।

Leave A Reply

Your email address will not be published.