ନୂଆଦିଲ୍ଲୀ: ଆନ୍ତର୍ଜାତୀୟ କ୍ରିକେଟରୁ ୩ ଦିନରେ ଭିନ୍ନ ଭିନ୍ନ ଫର୍ମାଟରୁ ୪ ଷ୍ଟାର ଖେଳାଳି ନେଲେଣି ଅବସର । ସବୁଠାରୁ ବଡ କଥା ଏହି ୪ଜଣ ଖେଳାଳି ନିଜ ଦେଶ ପକ୍ଷରୁ ଚମତ୍କାର ପ୍ରଦର୍ଶନ କରିଛନ୍ତି । ଏମାନେ ହେଲେ ବେନ ଷ୍ଟୋକ୍ସ, ତାମିମ ଇକବାଲ, ଲେଣ୍ଡଲ ସିମନ୍ସ ଓ ଦିନେଶ ରାମଦୀନ । ବାଂଲାଦେଶର ଷ୍ଟାର ଓପନର ତାମିମ ୱେଷ୍ଟଇଣ୍ଡିଜ ଗସ୍ତରେ ଚମତ୍କାର ପ୍ରଦର୍ଶନ କରିବା ପରେ ହଠାତ ଟି୨୦ରୁ ଅବସର ଘୋଷଣା କରିଥିଲେ । ବାଂଲାଦେଶ ବୋର୍ଡ ସହିତ ତାଙ୍କର ମତଭେଦ ଏହାର ଏକ କାରଣ ଭାବେ ବର୍ଣ୍ଣନା କରାଯାଉଛି । ତାମିମ ବାଂଲାଦେଶ ପକ୍ଷରୁ ୬୯ ଟେଷ୍ଟ, ୨୨୮ ଦିନିକିଆ ଓ ୭୮ ଟି୨୦ ମ୍ୟାଚ ଖେଳିଛନ୍ତି ।
ଇଂଲଣ୍ଡକୁ ବିଶ୍ୱ ଚାମ୍ପିୟନ କରାଇଥିବା ଅଲରାଉଣ୍ଡର ବେନ ଷ୍ଟୋକ୍ସ ମଧ୍ୟ ଏ ଭଳି ଏକ ନିଷ୍ପତି ନେଇଛନ୍ତି । ସେ ଦିନିକିଆ କ୍ରିକେଟକୁ ଅଲବିଦା କହିଛନ୍ତି । ଅବଶ୍ୟ ଟି୨୦ ଏବଂ ଟେଷ୍ଟ କ୍ରିକେଟ ଖେଳିବା ଜାରୀ ରଖିବେ । ୱେଷ୍ଟଇଣ୍ଡିଜର ପୂର୍ବତନ ଅଧିନାୟକ ତଥା ୱିକେଟ କିପର ବ୍ୟାଟ୍ସମ୍ୟାନ ଦୀନେଶ ରାମଦୀନ କ୍ରିକେଟକୁ ସମ୍ପୂର୍ଣ୍ଣ ଭାବେ ଅଲବିଦା କହିଛନ୍ତି । ୨୦୧୯ ପରଠାରୁ ସେ ୱେଷ୍ଟଇଣ୍ଡିଜ ପକ୍ଷରୁ ଗୋଟିଏ ହେଲେ ମ୍ୟାଚ ଖେଳି ନାହାନ୍ତି । ୨୦୧୨, ୨୦୧୬ ଟି୨୦ ବିଶ୍ୱ ଚାମ୍ପିୟନ ଦଳର ସେ ସଦସ୍ୟ ଥିଲେ । ସେହିପରି ଲେଣ୍ଡଲ ସିମନ୍ସ ମଧ୍ୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ସେ ସୋସିଆଲ ସାଇଟ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି ।
Comments are closed.