Latest Odisha News

BREAKING NEWS

ଗୋଟିଏ ମେଡିକାଲ ସିଟକୁ ୨୦ ଲକ୍ଷ ଟଙ୍କାରେ ବିକ୍ରି ହେଉଥିଲା: ସିବିଆଇ

ନୂଆଦିଲ୍ଲୀ: ସାରା ଦେଶରେ ମେଡିକାଲ ପାଠ୍ୟକ୍ରମରେ ନାମଲେଖା ପାଇଁ ହୋଇଥିବା ଏନଇଇଟି ପରୀକ୍ଷାରେ ବ୍ୟାପକ ଦୂର୍ନୀତି ହୋଇଥିବା ସାମ୍ନାକୁ ଆସିଛି। ତଦନ୍ତ ଅଧିକାରୀ ସଂସ୍ଥା ସିବିଆଇ ଏ ନେଇ ଏକ ବଡ଼ ଖୁଲାସା କରିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଗୋଟିଏ ଲେଖାଏଁ ମେଡିକାଲ ସିଟ୍ ୨୦ ଲକ୍ଷ ଟଙ୍କାରେ ବିକ୍ରି ହୋଇଛି।

ଚାରି ରାଜ୍ୟରେ ଏ ନେଇ ଏକ ରାକେଟ ଚାଲିଥିବା ନେଇ ଜଣାପଡିଛି। ଏହି ମାମଲାରେ ସିବିଆଇ ୮ ଜଣଙ୍କୁ ଗିରଫ କରିଛି। ଖବର ଅନୁଯାୟୀ ଦିଲ୍ଲୀରୁ କିଛି ଲୋକଙ୍କୁ ମଧ୍ୟ ଗିରଫ କରାଯାଇଛି। ରିପୋର୍ଟ ଅନୁଯାୟୀ, ପ୍ରତ୍ୟେକ ସିଟର ମୂଲ୍ୟ ୨୦ ଲକ୍ଷ ଟଙ୍କା, ସେଥିମଧ୍ୟରୁ ୫ ଲକ୍ଷ ଟଙ୍କା ଦେଲେ ଛାତ୍ରଙ୍କ ବଦଳରେ ଅନ୍ୟ ଜଣେ ପରୀକ୍ଷାରେ ବସି ପ୍ରଶ୍ନପତ୍ରର ଉତ୍ତର ଦେଉଥିଲା। ଅବଶିଷ୍ଟ ୧୫ ଲକ୍ଷ ଟଙ୍କା ମଧ୍ୟସ୍ଥି ଥିବା ଅନ୍ୟ ଲୋକଙ୍କ ମଧ୍ୟରେ ଭାଗି ବାଣ୍ଟି ନିଆଯାଉଥିଲା ବୋଲି ଜଣାପଡିଛି।

ପରୀକ୍ଷା ଦେଉଥିବା ପରୀକ୍ଷାର୍ଥୀଙ୍କ ୟୁଜର ଆଇଡି ଏବଂ ପାସଓ୍ୱାର୍ଡ ସନ୍ଦିଗ୍ଧ ବ୍ୟକ୍ତି ସଂଗ୍ରହ କରିଥିଲେ ଏବଂ ଯୋଜନା ଅନୁୟାୟୀ ଇଛାକୃତ ପରୀକ୍ଷା କେନ୍ଦ୍ର ପାଇବା ପାଇଁ ଆବଶ୍ୟକ ସଂଶୋଧନ କରାଉଥିଲେ । ନାମ ଗୋପନ ରଖିବାକୁ ଅନୁରୋଧ କ୍ରମେ ‘ହିନ୍ଦୁସ୍ଥାନ ଟାଇମ୍ସକୁ’ ସିବିଆଇର ଜଣେ ଅଧିକାରୀ ସୂଚନା ଦେଇ କହିଛନ୍ତି,  ସେମାନେ ପରୀକ୍ଷାରେ ଅଂଶଗ୍ରହଣ କରିବା ପାଇଁ ନକଲି ପରୀକ୍ଷାର୍ଥୀଙ୍କୁ ପରୀକ୍ଷା ହଲରେ ବସାଇବାକୁ ଯାଇ ଫଟୋ ଏଡିଟ୍ କରୁଥିଲେ। ପରେ ଜାଲ୍ ଆଇଡି କାର୍ଡ ତିଆରି କରିବା ଉଦ୍ଦେଶ୍ୟରେ ପ୍ରାର୍ଥୀଙ୍କ ପରିଚୟ ପତ୍ରର ନକଲ ସଂଗ୍ରହ କରୁଥିଲେ।

ନକଲି ପ୍ରାର୍ଥୀ ଭାବେ ହଲରେ ବସିବାକୁ ଥିବା ପରୀକ୍ଷାର୍ଥୀ ଶନିବାର ଏବଂ ରବିବାର ଦିଲ୍ଲୀରେ ପହଞ୍ଚିଥିଲେ ଏବଂ ରାଜଧାନୀର କେତେକ ହୋଟେଲରେ ରହିଥିଲେ ବୋଲି ସିବିଆଇ ଏଫଆଇଆରରେ କହିଛି।

ସିବିଆଇ ମାଷ୍ଟରମାଇଣ୍ଡ ସୁଶୀଲ ରଞ୍ଜନଙ୍କ ବ୍ୟତୀତ ବ୍ରଜ ମୋହନ ସିଂହ, ପପୁ ଏବଂ ଉମା ଶଙ୍କର ଗୁପ୍ତାଙ୍କ ନାମ ମଧ୍ୟ ଏଫଆଇଆରରେ ଉଲ୍ଲେଖ କରିଛି।

ଗତବର୍ଷ ମଧ୍ୟ ସିବିଆଇ ଏନଇଇଟି ପରୀକ୍ଷା ସମୟରେ ଏଭଳି ଏକ ରାକେଟର ପର୍ଦ୍ଦାଫାଶ କରିଥିଲା, ଯେଉଁଥିରେ ନାଗପୁରର ଏକ କନସଲଟାନ୍ସି ମୂଳ ପରୀକ୍ଷାର୍ଥୀଙ୍କ ସ୍ଥାନରେ ଅନ୍ୟ ଜଣେ ପରୀକ୍ଷା ଦେଉଥିବାର ପ୍ରମାଣ ମିଳିଥିଲା।

ଏହି ମାମଲାର ମାଷ୍ଟରମାଇଣ୍ଡ ସୁଶୀଲ ରଂଜନଙ୍କୁ ସଫଦରଜଙ୍ଗରୁ ଗିରଫ ହୋଇଛି। ଯିଏକି ଏହି ସବୁ ମାମଲାକୁ ସୂଚାରୁରୂପେ ତୁଲାଇବା ପାଇଁ ଜଣେ ବ୍ୟକ୍ତିକୁ ନିଯୁକ୍ତ କରୁଥିଲା ଏବଂ ନିଜେ ଦେୟ ଗ୍ରହଣ କରୁଥିଲା। ଅଧିକାରୀଙ୍କ କହିବାନୁସାରେ, ଏହି ରାକେଟ ବିହାର, ଉତ୍ତରପ୍ରଦେଶ, ମହାରାଷ୍ଟ୍ର ଏବଂ ହରିଆଣାରେ ମଧ୍ୟ ସକ୍ରିୟ ରହିଛି। ଏହି ମାମଲାରେ ୧୧ ଜଣଙ୍କ ନାମ ରଖାଯାଇଛି ଏବଂ ଅନ୍ୟମାନଙ୍କୁ ଖୋଜା ଚାଲିଛି।

Leave A Reply

Your email address will not be published.