ଗୁରୁଗ୍ରାମ: ସ୍ପାଇସଜେଟ କମ୍ପାନୀର ଚେୟାରମ୍ୟାନ ଅଜୟ ସିଂଙ୍କ ବିରୋଧରେ ଠକେଇ ମାମଲା ରୁଜୁ ହୋଇଛି । ସୋମବାର ଗୁରୁଗ୍ରାମ ପୋଲିସରେ ଠକେଇ ଅଭିଯୋଗ ଆଧାରରେ ଅଜୟଙ୍କ ବିରୋଧରେ ଏତଲା ରୁଜୁ କରିଛି ।
ଅମିତ ଅରୋରା ନାମକ ମଦ ବ୍ୟବସାୟୀ ଅଜୟଙ୍କ ବିରୋଧରେ ଏତଲା ଦାଏର କରିଛନ୍ତି । ଅଜୟ ସ୍ପାଇସଜେଟର ୧୦ ଲକ୍ଷ ସେୟାର ବଣ୍ଟନ କରିବାକୁ କହି ଠକେଇ କରିଛନ୍ତି ।
ଏହି ଅଭିଯୋଗକୁ ନେଇ ସ୍ପାଇସଜେଟ ପ୍ରତିକ୍ରିୟା ଦେଇଛି । ଅଭିଯୋଗ ଭିତ୍ତିହୀନ ଏବଂ ମିଛ ବୋଲି ସ୍ପାଇସଜେଟ ମୁଖପାତ୍ର ସୂଚନା ଦେଇଛନ୍ତି । ସେ କହିଛନ୍ତି ଏଭଳି ଘଟଣା କେବେ ଘଟିନି । ସ୍ପାଇସଜେଟ ମୁଖ୍ୟ ଅଜୟ ସିଂ ଏବଂ ଅମିତ ଅରୋରାଙ୍କ ଭିତେର କେବେ ଭେଟଘାଟ ହୋଇନି ।
କମ୍ପାନୀ ଏବଂ ଅଧ୍ୟକ୍ଷଙ୍କ ଇଜ୍ଜତ/ସମ୍ମାନକୁ ଅପମାନ କରିବା ପାଇଁ ଏହି ଅଭିଯୋଗ ଉଦ୍ଦେଶ୍ୟ ପ୍ରଣୋଦିତ । ଅମିତଙ୍କ ବିରୋଧରେ କମ୍ପାନୀ ଏବଂ ଅଜୟଙ୍କ ପକ୍ଷରୁ ମାନହାନି ମକଦ୍ଦମା ଦାଏର କରାଯିବ ବୋଲି ସ୍ପାଇସଜେଟ ମୁଖପାତ୍ର କହିଛନ୍ତି ।
ଅମିତ ଅରୋରାଙ୍କ ଅଭିଯୋଗ ଯେ, ଅଜୟ ସିଂ ତାଙ୍କୁ ୧୦ ଲକ୍ଷ ସେୟାର ବଣ୍ଟନ କରିବା ପାଇଁ ଡିପୋଜିଟୋରୀ ସ୍ଲିପ୍ ପ୍ରଦାନ କରିଥିଲେ । ଯାହା ନକଲି ବୋଲି ଅମିତ ପରେ ଜାଣିବାକୁ ପାଇଥିଲେ । ତେଣୁ ସେ ଥାନାରେ ଅଭିଯୋଗ କରିଛନ୍ତି ।
ବିମାନ କମ୍ପାନୀ ପକ୍ଷରୁ ଅମିତଙ୍କ ଅଭିଯୋଗକୁ ଭିତ୍ତିହୀନ କହିବା ସହ ଚେୟାରମ୍ୟାନଙ୍କ ମାନହାନି କରିବା ପାଇଁ ଏତଲା ଦାଏର ହୋଇଛି ବୋଲି କୁହାଯାଇଛି । ଅଭିଯୋଗକାରୀଙ୍କ ନିକଟରେ କିଛି ପ୍ରମାଣ ନଥିବା କହିଛି ସ୍ପାଇସଜେଟ । ଆହୁରି ମଧ୍ୟ ତାଙ୍କ ପାଖରେ କିଛି ଲିଖିତ ରାଜିନାମା ନଥିବା କମ୍ପାନୀ ପକ୍ଷରୁ କୁହାଯାଇଛି ।
Comments are closed.