Latest Odisha News

BREAKING NEWS

ଏଣିକି କିଡନୀ ରୋଗୀଙ୍କୁ ଘର ପାଖରେ ମିଳିବ ବିନା ମୂଲ୍ୟରେ ଡାଏଲେସିସ୍‌ ସେବା

ଭୁବନେଶ୍ୱର: ୧୬ଟି ଉପଜିଲ୍ଲାସ୍ତରୀୟ ଡାକ୍ତରଖାନାରେ ଡାଏଲେସିସ୍‌ କେନ୍ଦ୍ର ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟରେ 5T ଉପକ୍ରମରେ ଉପଜିଲ୍ଲା ସ୍ତରରେ ୩୨ଟି ଡାଏଲେସିସ୍‌ କେନ୍ଦ୍ର ଖୋଲାଯିବ। ଏଣିକି କିଡନୀ ରୋଗୀଙ୍କୁ ଘର ପାଖରେ ବିନା ମୂଲ୍ୟରେ ମିଳିବ ଡାଏଲେସିସ୍‌ ସେବା। ଜିଲ୍ଲା ସ୍ତର ଓ ଉପଜିଲ୍ଲା ସ୍ତରରେ ୬୮ଟି ଡାଏଲେସିସ୍‌ କେନ୍ଦ୍ରରେ ବର୍ଷକୁ ୩.୭୦ ଲକ୍ଷ ଡାଏଲେସିସ୍‌ ସେସନ୍‌ କରାଯିବ। ଏଥିପାଇଁ ରାଜ୍ୟ ସରକାର ବର୍ଷକୁ ୫୦ କୋଟି ଟଙ୍କା ଖର୍ଚ୍ଚ କରିବେ।

ମାଗଣା ଡାଏଲେସିସ୍‌ ସେବା ଯୋଗାଇ ଦେବାରେ ଓଡିଶା ଦେଶର ପ୍ରଥମ ରାଜ୍ୟ। ଚିକିତ୍ସା ପାଇଁ ଲୋକଙ୍କ ଅର୍ଥ ଚିନ୍ତା ଦୂର ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ରାଜ୍ୟବାସୀଙ୍କୁ ଉତ୍ତମ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ଲକ୍ଷ୍ୟରେ ୨୦୧୮ରେ ମାଗଣା ଡାଏଲେସିସ୍‌ ସେବା- ସହାୟ ଆରମ୍ଭ ହୋଇଥିଲା।

ପ୍ରଥମ ପର୍ଯ୍ୟାୟରେ ଏହି ସେବା ସମସ୍ତ ଜିଲ୍ଲା ସଦର ମହକୁମା ଡାକ୍ତରଖାନାରେ ଆରମ୍ଭ ହୋଇଥିଲା ।ଏବେ 5T ଉପକ୍ରମରେ ଏହାକୁ ଉପଜିଲ୍ଲା ସ୍ତରୀୟ ଡାକ୍ତରଖାନା ପର୍ଯ୍ୟନ୍ତ ସଂପ୍ରସାରଣ କରାଯାଇଛି।ସୁସ୍ଥ ଓଡ଼ିଶା ସୁଖୀ ଓଡ଼ିଶା ଲକ୍ଷ୍ୟ ପୂରଣ ଦିଗରେ ଏହି କାର୍ଯ୍ୟକ୍ରମ ବିଶେଷ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ଦୃଢ ବିଶ୍ବାସ ପ୍ରକଟ କରିଥିଲେ।

ପୂର୍ବରୁ ୨୦୧୮ରେ ରାଜ୍ୟ ସରକାର ‘ସହାୟ-ଦେୟମୁକ୍ତ ଡାଏଲେସିସ୍‌ ସେବା’ ଆରମ୍ଭ କରିଥିଲେ। ଏଥିରେ ମେଡିକାଲ କଲେଜ ହସ୍ପିଟାଲ ଓ ଜିଲ୍ଲା ହେଡକ୍ୱାର୍ଟର୍ସ ହସ୍ପିଟାଲରେ ୩୬ଟି ଡାଏଲେସିସ୍‌ କେନ୍ଦ୍ର ଖୋଲିଥିଲେ। ବର୍ତ୍ତମାନ ଦ୍ୱିତୀୟ ପର୍ଯ୍ୟାୟରେ ଉପଜିଲ୍ଲା ସ୍ତରରେ ୩୨ଟି ଡାଏଲେସିସ୍‌ କେନ୍ଦ୍ର ଖୋଲା ଯିବାର ଲକ୍ଷ୍ୟ ରହିଛି। ଏଥିରୁ ମୁଖ୍ୟମନ୍ତ୍ରୀ ଆଜି ୧୬ଟି ଲୋକାର୍ପିତ ହୋଇଯାଇଛି । ବ୍ୟୟବହୁଳ କ୍ୟାନ୍‌ସର ଓ କିଡନୀ ରୋଗର ଚିକିତ୍ସା ବୋଝ ଲାଘବ କରିବା ପାଇଁ ମୁଖ୍ୟମନ୍ତ୍ରୀ ମାଗଣାରେ କ୍ୟାନ୍‌ସର ପାଇଁ କେମୋଥେରାପି ଓ କିଡନୀ ରୋଗ ପାଇଁ ଡାଏଲେସିସ୍‌ ସେବା ଆରମ୍ଭ କରିଛନ୍ତି ବୋଲି କହିଛନ୍ତି 5T ଅଧ୍ୟକ୍ଷ ଭି କେ ପାଣ୍ଡିଆନ୍।

Leave A Reply

Your email address will not be published.