Latest Odisha News

BREAKING NEWS

ଚାଉଳ ରାଜନୀତିର ହେବ କି ଅନ୍ତ ?

ଭୁବନେଶ୍ୱର: ଦୀର୍ଘ ବର୍ଷ ଧରି ରାଜ୍ୟ ରାଜନୀତିରେ ଚାଉଳ ଏକ ବିଶେଷ ରାଜନୈତିକ ପ୍ରସଙ୍ଗ ହୋଇ ରହି ଆସିଛି। ଲୋକଙ୍କୁ ଦୁଇ ଟଙ୍କିଆ ଚାଉଳ ଦେବା କିମ୍ବା ଚାଉଳ ଦେବାର ଶ୍ରେୟ ନେବା ପ୍ରସଙ୍ଗ ହେଉ ଏହାକୁ ନେଇ ବିଜେଡି ବିଜେପି ମଧ୍ୟରେ ଲଢେଇ ସବୁବେଳେ ହୁଏ। ଏପରିକି ନିର୍ବାଚନ ଆସିଲେ ଚାଉଳକୁ ନେଇ ରାଜନୀତି ଆହୁରି ତେଜିବା ସହ କେନ୍ଦ୍ରୀୟ ଅବହେଳାର କଥା ଆସେ।

ଧାନ ଉଠାନ, ଏମଏସପି ବୃଦ୍ଧି ଆଦି ପ୍ରସଙ୍ଗକୁ ନେଇ ବିଜେଡି କେନ୍ଦ୍ରକୁ ଟାର୍ଗେଟ କରେ। ଏବେ ନିର୍ବାଚନ ଆସନ୍ନ ଥିବାରୁ ପୁଣି ସେଭଳି ସ୍ଥିତି ସୃଷ୍ଟି ହୋଇଛି। ଚାଉଳ ପ୍ରସଙ୍ଗକୁ ନେଇ କେନ୍ଦ୍ର ବିରୋଧରେ ପୁଣିଥରେ ସ୍ୱର ଉଠାଇଛି ବିଜେଡି। ନିର୍ଦ୍ଧାରିତ ପରିମାଣର ଧାନଠୁ କମ ଧାନ ଉଠାନ ଏବଂ କେନ୍ଦ୍ର ଦେଉଥିବା ୫ କେଜି ମାଗଣା ଚାଉଳ ବନ୍ଦ କରିବା ପ୍ରସଙ୍ଗକୁ ନେଇ ରାଜ୍ୟବ୍ୟାପୀ ଆନ୍ଦୋଳନ କରିଛି ବିଜେଡି ।

ଭୁବନେଶ୍ୱର ସମେତ ପଞ୍ଚାୟତ, ବ୍ଲକ ଏବଂ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରିଛି ଦଳ। ଗରିବଙ୍କୁ ମିଳୁଥିବା ଚାଉଳ ବନ୍ଦ କରିଦେବା ଫଳରେ ଏହାର ପ୍ରଭାବ କୃଷକଙ୍କ ଏମଏସପି ଉପରେ ପଡ଼ିବ ବୋଲି ଅଭିଯୋଗ କରିଛି ବିଜେଡି।ଲୋକେ ଏବେ ସବୁ ସତ୍ୟାସତ୍ୟ ଜାଣି ହିଁ ନିଷ୍ପତ୍ତି ନେଉଛନ୍ତି ବୋଲି ରାଜନୀତି ସମୀକ୍ଷକ ମାନେ ମତ ରଖିଛନ୍ତି।

କରୋନା ମହାମାରୀ ଶେଷ ହେବା ପରେ ସ୍ୱତନ୍ତ୍ର ଭାବେ ମିଳୁଥିବା ମାଗଣା ରିଲିଫ୍ ଚାଉଳ ବନ୍ଦ ହେଲା। ତେଣୁ ଏହାକୁ ନେଇ ରାଜନୀତି କରିବା ଅନୁଚିତ ବୋଲି ବିଜେପି କହିସାରିଛି। ଏପରିକି କେନ୍ଦ୍ରର ବିଜେପି ସରକାର ପ୍ରଧାନମନ୍ତ୍ରୀ ଗରୀବ କଲ୍ୟାଣ ଅନ୍ନ ଯୋଜନାରେ ମିଳୁଥିବା ଚାଉଳକୁ ସଂପୂର୍ଣ୍ଣ ମାଗଣା କରିଦେଲେ। ବର୍ତମାନ ଚାଉଳ ଅର୍ଥ ସହ ସମସ୍ତ ପରିବହନ ଓ ଆନୁସଙ୍ଗିକ ଖର୍ଚ୍ଚକୁ କେନ୍ଦ୍ର ସରକାର ବହନ କରିବେ।

ତେଣୁ ବିଜେଡି ଆଉ ନିଜ ବ୍ରାଣ୍ଡ ବ୍ୟବହାର କରିବା ସମ୍ଭବ ନୁହେଁ ତେଣୁ ଦଳ ଏଭଳି ଆନ୍ଦୋଳନ କରୁଛି ବୋଲି ଅଭିଯୋଗ କରିଛି ବିଜେପି। ସେପଟେ ରାଜନୀତି ସମୀକ୍ଷକଙ୍କ କହିବା କଥା ନିର୍ବାଚନ ଆସିଲେ ଏ ସବୁ ଶ୍ରେୟ ରାଜନୀତି ହୁଏ। କିନ୍ତୁ ସାଧାରଣ ଲୋକେ ସବୁ ଜାଣିଥିବା ବେଳେ ନିଜ ବିଚାରରେ ହିଁ ନିଷ୍ପତ୍ତି ନେବେ ବୋଲି ସମୀକ୍ଷକ ମାନେ କହିଛନ୍ତି।

ଚାଉଳ ପ୍ରସଙ୍ଗ ଶାସକ ଦଳ ପାଇଁ ତୃଣମୂଳ ସ୍ତରରେ ଏକ ପ୍ରମୁଖ ପ୍ରସଙ୍ଗ ହୋଇଥିବା ବେଳେ ଦଳ ଏହାକୁ ନେଇ ଏବେ ଆନ୍ଦୋଳନକୁ ବ୍ୟାପକ କରିଛି। କିନ୍ତୁ କେନ୍ଦ୍ରର ବିଜେପି ସରକାରଙ୍କ ଏଭଳି ନିଷ୍ପତ୍ତି ବିରୋଧରେ ବିଜେଡିର ଆନ୍ଦୋଳନ କେତେ ଲାଭଦାୟୀ ହେବ ତାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି।

Leave A Reply

Your email address will not be published.