Latest Odisha News

BREAKING NEWS

ଫାଇଦା ଦେବ କି ଆଇନଶୃଙ୍ଖଳା ପ୍ରସଙ୍ଗ ?

ଭୁବନେଶ୍ୱର: ନବ ଦାସଙ୍କ ହତ୍ୟା ପ୍ରସଙ୍ଗକୁ ନେଇ ଆକ୍ରମନାତ୍ମକ ହୋଇଛି ବିଜେପି। ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଇସ୍ତଫା ଦାବିରେ ୧୪୭ ବିଧାନସଭା କ୍ଷେତ୍ରରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ ଏବଂ ଆନ୍ଦୋଳନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। କ୍ୟାବିନେଟ ମନ୍ତ୍ରୀ ନବ ଦାସଙ୍କୁ ଜଣେ ପୋଲିସ ଅଧିକାରୀ ହତ୍ୟା କରିବା ପ୍ରସଙ୍ଗକୁ ବିଜେପି ରାଜ୍ୟବ୍ୟାପୀ ସରକାର ବିରୋଧରେ ଏକ ବାତାବରଣ ତିଆରି କରିବାକୁ ଯୋଜନା କରିଛି।

ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ସଂପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଥିବାବେଳେ ଗୃହବିଭାଗ ଦାୟୀତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ନୀରବଦ୍ରଷ୍ଟା ସାଜିଥିବା ଅଭିଯୋଗ କରିଛି ଦଳ। ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡର ବହୁଦିନ ବିତିଯାଇଥିଲେ ସୁଦ୍ଧା ସତ୍ୟାସତ୍ୟ ସାମ୍ନାକୁ ଆଣିବାରେ ମୁଖ୍ୟମନ୍ତ୍ରୀ ବିଫଳ ହୋଇଥିବା ଅଭିଯୋଗ କରିଛି ବିଜେପି। ତେଣୁ ରାଜ୍ୟର ସମସ୍ତ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଜୋରଦାର ଆନ୍ଦୋଳନ ସହ ଏହି ଘଟଣାରେ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛି ଦଳ।

ପୂର୍ବରୁ ଇତିଶ୍ରୀ, ବେବିନା, କୁନ୍ଦୁଲି ପ୍ରସଙ୍ଗଠୁ ଆରମ୍ଭ କରି ମମିତା ମେହେର, ମାହାଙ୍ଗା ଡବଲ ମର୍ଡର, ପରୀ ହତ୍ୟା ଆଦି ପ୍ରମୁଖ ପ୍ରସଙ୍ଗରେ ବିଜେଡିକୁ ହରଡ଼ଘଣାରେ ପକାଇବାକୁ ଲଗାତର ଉଦ୍ୟମ କରି ଆସିଛି ବିଜେପି। ବିଶେଷ କରି ବିଜେପି ଏସବୁ ପ୍ରସଙ୍ଗକୁ ନେଇ ମାସ ମାସ ଧରି ଆନ୍ଦୋଳନ କରିଛି। ରାଜରାସ୍ତାରେ ବିକ୍ଷୋଭଠୁ ଆରମ୍ଭ କରି ଥାନା ଘେରାଓ, ରାଜଭବନ ସମ୍ମୁଖରେ ଧାରଣା, ନବୀନ ନିବାସ ଘେରାଓ, ବିକ୍ଷୋଭ ଆଦି କେତେ କଣ ହୋଇଛି। ବିଧାନସଭା ହୁଲସ୍ତୁଲ ମଧ୍ୟ ହୋଇଛି।

କିନ୍ତୁ ଏହାର ପରିଣାମ କଣ ହୋଇଛି। ଦଳ କିଛି ରାଜନୈତିକ ଲାଭ ପାଇଛି କି? କିମ୍ବା ଶାସକ ଦଳର ଭାବମୂର୍ତି ଜନମାନସରେ ମଳିନ ପଡିଛି କି? ଯେଉଁ ନେତାଙ୍କ ସଂପୃକ୍ତିର କଥା ଆସିବା ସହ ଯାହା ବିରୋଧରେ ବିଜେପି ଏତେ ଦିନ ଧରି ଆନ୍ଦୋଳନ କରିଛି ସେମାନଙ୍କର କିଛି କ୍ଷତି ହୋଇଛି କି? ସାଧାରଣ ଭାବେ ଦେଖିବାକୁ ଗଲେ ବିରୋଧୀଙ୍କ ବିରୋଧ ଶାସକ ଦଳ କିମ୍ବା ଶାସକ ଦଳ ସଦସ୍ୟଙ୍କର ସେମିତି କିଛି କ୍ଷତି କରିପାରି ନାହିଁ।

ଏପରିକି ବିଜେପିକୁ ଆଖିଦୃଷ୍ଟିଆ ରାଜନୈତିକ ଫାଇଦା ମଧ୍ୟ ଦେଇ ପାରି ନାହିଁ। ତେଣୁ ନବ ଦାସ ପ୍ରସଙ୍ଗରେ ବିଜେପିର ଆନ୍ଦୋଳନ କେତେ ପ୍ରଭାବ ପକାଇବ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ସେପଟେ ରାଜନୀତି ସମୀକ୍ଷକଙ୍କ କହିବା କଥା ବିଜେପି ଏ ସବୁ ପ୍ରସଙ୍ଗ ନେଇ ଲୋକଙ୍କ ପାଖକୁ ଯାଇଥିଲେ ମଧ୍ୟ ଏହା ଗ୍ରହଣୀୟ ହୋଇପାରିନି।

ଏଥିପାଇଁ ବିରୋଧୀଙ୍କୁ ପ୍ରଥମେ ଲୋକଙ୍କ ନିକଟରେ ନିଜର ଗ୍ରହଣୀୟତା ଓ ଦୃଢ଼ ନେତୃତ୍ୱ ନେଇ ଆଗକୁ ଆସିବାକୁ ପଡିବ ବୋଲି ରାଜନୀତି ସମୀକ୍ଷକ ମାନେ ମତ ରଖିଛନ୍ତି। ନବ ଦାସଙ୍କ ହତ୍ୟା ପ୍ରସଙ୍ଗ ଅନ୍ୟ ପ୍ରସଙ୍ଗ ଗୁଡିକ ଠାରୁ ଅଧିକ ସମ୍ବେଦନଶୀଳ ତଥା ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି। ଏଭଳି ସ୍ଥିତିରେ ବିଜେପିର ଏଭଳି ଆକ୍ରମନାତ୍ମକ କାର୍ଯ୍ୟକ୍ରମ ଦଳକୁ କେତେ ଫାଇଦା ଦେଉଛି ତାକୁ ନେଇ ଚର୍ଚ୍ଚା ଜୋର ଧରିଛି।

Leave A Reply

Your email address will not be published.