Latest Odisha News

BREAKING NEWS

କାମ ଦେବ କି କେଜ୍ରିଓ୍ବାଲଙ୍କ ‘ମାଗଣା’ ଘୋଷଣା?

ନୂଆଦିଲ୍ଲୀ: ଦିଲ୍ଲୀ ନିର୍ବାଚନରେ ଗେମଚେଞ୍ଜର ହେବ କି ସଂଜୀବନୀ ଯୋଜନା? ନିର୍ବାଚନ ପୂର୍ବରୁ ବରିଷ୍ଠ ନାଗରିକଙ୍କ ସ୍ବାସ୍ଥ୍ୟସେବା ନେଇ ବଡ ଘୋଷଣା କରିଛନ୍ତି ଅରବିନ୍ଦ କେଜ୍ରିଓ୍ବାଲ । ମାସେ ଭିତରେ ଆପ୍ ପକ୍ଷରୁ ମହିଳାଙ୍କଠାରୁ ବରିଷ୍ଠ ନାଗରିକ ପୁଣି ଅଟୋ ଡ୍ରାଇଭରଙ୍କ ପାଇଁ ଜନକଲ୍ୟାଣକାରୀ ଯୋଜନା ଘୋଷଣା କରିଛି ଆପ୍ । ଶାସକ ଆମ ଆଦମୀ ପାର୍ଟି ଏଥର ପୁଣି କ୍ଷମତାକୁ ଆସିବାକୁ ଜୋର ଲଗାଉଛନ୍ତି ତ ବିଜେପି ଶାସନ ବିରୋଧ ଲହରକୁ ନେଇ ଆପକୁ ଘେରିବାକୁ ଗୋଟି ଚଳାଉଛି । ଦିଲ୍ଲୀରେ କେନ୍ଦ୍ରର ଆୟୁଷ୍ମାନ ଯୋଜନା ଲାଗୁ ହୋଇନଥିବା ବେଳେ ବିଜେପି ଏହାକୁ ନେଇ ଆପକୁ ଟାର୍ଗେଟ୍ କରିଆସୁଥିଲା । ତେବେ ଏହାର କାଉଣ୍ଟରରେ ସଂଜୀବନୀ ଯୋଜନା ଆଣି ବଡ ଗୋଟି ଚଳାଇଛି ଆପ୍ ।

ଗେମଚେଞ୍ଜର ହେବ ସଂଜୀବନୀ ?

ସଂଜୀବନୀ ଯୋଜନାରେ ୬୦ବର୍ଷକୁ ଅଧିକ ବୟସ୍କ ନାଗରିକଙ୍କୁ ମାଗଣା ସ୍ବାସ୍ଥ୍ୟସେବା ଯୋଗାଇ ଦିଆଯିବ । ଯୋଜନା ପରିସରରେ ସମସ୍ତ ଘରୋଇ ଓ ସରକାରୀ ହସପିଟାଲ ଆସିବ । ହିତାଧିକାରୀଙ୍କ ପାଇଁ ନା ଆୟର ସୀମା ରହିବ ନା ଖର୍ଚ୍ଚର ଲିମିଟ୍ । ସବୁ ବର୍ଗର ବରିଷ୍ଠ ନାଗରିକ ଯୋଜନାର ଲାଭ ପାଇପାରିବେ । ଯେବେକି ଆୟୁଷ୍ମାନ ଭାରତରେ ବାର୍ଷିକ ୫ଲକ୍ଷ ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସେବାର ସୁବିଧା ରହିଛି । ସେହିପରି ଆୟୁଷ୍ମାନରେ ୭୦ବର୍ଷରୁ ଅଧିକ ବୟସ୍କଙ୍କ ପାଇଁ ମାଗଣା ଚିକିତ୍ସା ବ୍ୟବସ୍ଥା ଥିବା ବେଳେ ସଂଜୀବନୀରେ ବୟସସୀମା ୧୦ବର୍ଷ କମ୍ ରହିଛି । ଫ୍ରିଜ, ଗାଡି ଥିଲେ ମିଳିବନି ଆୟୁଷ୍ମାନ ଯୋଜନା, ହେଲେ ସଂଜୀବନୀ ପାଇଁ ସେଭଳି ପ୍ରତିବନ୍ଧକ ନାହିଁ । ସେପଟେ ପଂଜୀକରଣ ଟେନସନ୍ ବି ନାହିଁ । କାରଣ ଆପ ଭଲେଣ୍ଟିୟର ଘରକୁ ଘର ଯାଇ ଯୋଜନା ପାଇଁ ପଂଜୀକରଣ କରାଇବେ । ତେଣୁ ଯୋଜନା ନିର୍ବାଚନରେ ଗେମଚେଞ୍ଜର ହୋଇପାରେ ।

ପ୍ରଥମେ ମହିଳା ପରେ ବରିଷ୍ଠ ନାଗରିକ

ସଂଜୀବନୀ ପୂର୍ବରୁ ମହିଳାଙ୍କ ପାଇଁ ବି ବଡ ଘୋଷଣା କରିଥିଲା ଆପ୍ । ନିର୍ବାଚନ ଜିତିଲେ ଦିଲ୍ଲୀ ମହିଳାଙ୍କୁ ମାସକୁ ୨୧ଶହ ଟଙ୍କା ଦେବା ନେଇ ଡିସେମ୍ବର ୧୨ତାରିଖରେ ଘୋଷଣା କରାଯାଇଥିଲା। ଏହା ପୂର୍ବରୁ ୧୦ଡିସେମ୍ବରରେ ଦିଲ୍ଲୀର ଅଟୋ ଚାଳକଙ୍କ ପାଇଁ ୧୦ଲକ୍ଷ ଟଙ୍କାର ବୀମା ଘୋଷଣା କରିଥିଲେ । ଖାଲି ସେତିକି ନୁହେଁ ଅଟୋ ଚାଳକଙ୍କ ଝିଅ ବାହାଘର ପାଇଁ ୧ଲକ୍ଷ ଟଙ୍କା ସହାୟତା, ବର୍ଷରେ ଦୁଇ ଥର ଅଢେଇ ହଜାର ଟଙ୍କାର ବର୍ଦ୍ଦି ଭତ୍ତା ଓ ଅଟୋ ଚାଳକଙ୍କ ପିଲାଙ୍କ ପାଇଁ ମାଗଣା କୋଚିଂ ବ୍ୟବସ୍ଥା କରାଯିବ । ବରିଷ୍ଠ ନାଗରିକ ହୁଅନ୍ତୁ କି ମହିଳା କିମ୍ବା ଅଟୋ ଚାଳକ । ନୂଆ ଯୋଜନା ଘୋଷଣା କରି ସବୁ ବର୍ଗର ଭୋଟରଙ୍କ ମନ ଜିତିବାକୁ ଉଦ୍ୟମ କରିଚନ୍ତି କେଜ୍ରିଓ୍ବାଲ ।

ବିରୋଧୀଙ୍କୁ ମାତ୍ ଦେବାକୁ ରଣନୀତି

ଶାସନ ବିରୋଧୀ ଲହରକୁ ଅସ୍ତ୍ର କରି ଆମ ଆଦମୀ ପାର୍ଟିକୁ ଘେରିବାକୁ ବିରୋଧୀ ଉଦ୍ୟମ କରୁଥିବା ବେଳେ ନୂଆ ଯୋଜନା ଘୋଷଣା କରି ଦିଲ୍ଲୀ ରାଜନୀତିରେ ହଲଚଲ କରିଛନ୍ତି କେଜ୍ରିଓ୍ବାଲ। ଆୟୁଷ୍ମାନ ଯୋଜନାକୁ ଅସ୍ତ୍ର କରି ଆପକୁ ଘେରିବାକୁ ପ୍ଲାନ୍ କରୁଥିଲା ବିଜେପି । ହେଲେ ସଂଜୀବନୀ ଯୋଜନା ଘୋଷଣା କରି ବିଜେପିର ମୁହଁ ବନ୍ଦ କରିଛନ୍ତି କେଜ୍ରିଓ୍ବାଲ । ଓଲଟା ଆୟୁଷ୍ମାନଠାରୁ ସଂଜୀବନୀ ଯେ ଅଧିକ ଭଲ, ସେନେଇ ବି ପ୍ରଚାର କରୁଛି ଆପ୍ । ଦୁର୍ନୀତି ପ୍ରସଙ୍ଗରେ ବିରୋଧୀ କେଜ୍ରିଓ୍ବାଲଙ୍କୁ ଘେରୁଥିବା ବେଳେ ଜେଲରୁ ବାହାରି ମୁଖ୍ୟମନ୍ତ୍ରୀ ପଦରୁ ସେ ଇସ୍ତଫା ଦେଇଥିଲେ । ଯେପର୍ଯ୍ୟନ୍ତ ଦିଲ୍ଲୀ ଜନତା ତାଙ୍କୁ ଦୁର୍ନୀତିମୁକ୍ତ ବୋଲି ପ୍ରମାଣ ନକରିଦେବେ ସେପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ପଦରେ ବସିବେନି ବୋଲି କହି ଇମୋସନାଲ କାର୍ଡ ଖେଳିଥିଲେ କେଜ୍ରିଓ୍ବାଲ। ଅତିସୀଙ୍କୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦରେ ବସାଇ ନିଜେ ପଦଯାତ୍ରାରେ ବାହାରିଥିଲେ । ଦିଲ୍ଲୀ ରାସ୍ତା ମରାମତି ହେଉ କି ବାୟୁ ପ୍ରଦୂଷଣ, ନିର୍ବାଚନ ଯଥେଷ୍ଟ ପୂର୍ବରୁ ଡ୍ୟାମେଜ କଣ୍ଟ୍ରୋଲ ଉଦ୍ୟମ କରିଛନ୍ତି କେଜ୍ରିଓ୍ବାଲ । ସଫେଇ କର୍ମଚାରୀଙ୍କୁ ନିଜ ଘରକୁ ଡାକି ସମସ୍ୟା ବୁଝିବା ସହ ଆପ୍ ବିଧାୟକଙ୍କୁ ବି ଯୋଡି ହେବାକୁ ମନ୍ତ୍ର ଦେଇଛନ୍ତି ।

ବିଜେପି କେଜ୍ରିଓ୍ବାଲଙ୍କ ମାଗଣା ଘୋଷଣାକୁ ନେଇ ତାଙ୍କୁ ସମାଲୋଚନା କରିଆସୁଛି । ହେଲେ ନିଜ ଯୋଜନାକୁ ଜନକଲ୍ୟାଣକାରୀ କହିବା ସହ ନୂଆ ଯୋଜନା ଘୋଷଣା କରିଚାଲିଛନ୍ତି । ଦିଲ୍ଲୀରେ ବିଜେପି ଓ ଆପ୍ ମଧ୍ୟରେ କଡା ଟକ୍କର ହେଉଥିବା ବେଳେ କଂଗ୍ରେସ ଅଣବିଜେପି ଭୋଟବ୍ୟାଙ୍କ ଉପରେ ନଜର ରଖିଛି । ତ୍ରିମୁଖୀ ଲଢେଇରେ ପୁଣି ଶାସନ ଗାଦି ହାତେଇବାକୁ ସ୍ବତନ୍ତ୍ର ରଣନୀତିରେ ଆଗେଇ ଚାଲିଛନ୍ତି ଅରବିନ୍ଦ କେଜ୍ରିଓ୍ବାଲ ।

Leave A Reply

Your email address will not be published.