Latest Odisha News

BREAKING NEWS

ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଦୋଳଗୋବିନ୍ଦ ପ୍ରଧାନଙ୍କ ପରଲୋକ, ଗଭୀର ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶାର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ପୂର୍ବତନ ମନ୍ତ୍ରୀ ତଥା ଗାନ୍ଧୀବାଦୀ ତଥା ସାରସ୍ୱତ ସାଧକ ଦୋଳଗୋବିନ୍ଦ ପ୍ରଧାନଙ୍କ ରବିବାର ରାତିରେ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୯୩ ବର୍ଷ ହୋଇଥିଲା ।

ସ୍ୱାଧୀନତା ସଂଗ୍ରାମୀ ଦୋଳଗୋବିନ୍ଦ ପ୍ରଧାନଙ୍କ ମୃତ୍ୟୁ ଖବର ପ୍ରଚାରିତ ହୋଇଯିବା ପରେ ତାଙ୍କର ଭୁବନେଶ୍ୱରସ୍ଥିତ ବାସଭବନରେ ବରିଷ୍ଠ ରାଜନୈତିକ ନେତୃବୃନ୍ଦ, ସ୍ୱାଧୀନତା ସଂଗ୍ରାମୀ, ବୁଦ୍ଧିଜୀବୀ, ଲେଖକ ତଥା ସାମ୍ବାଦିକମାନେ ପହଞ୍ଚି ତାଙ୍କୁ ଶେଷ ଦର୍ଶନ କରିବା ସହିତ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।

ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଦୋଳଗୋବିନ୍ଦ ପ୍ରଧାନଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିବା ସହିତ ତାଙ୍କର ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି ।

ସେହିପରି ପୂର୍ବତନ ମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ବିୟୋଗରେ ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା ଓ ବିଧାନସଭା ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ ଗଭୀର ଶୋକ ପ୍ରକାଶ କରିବା ସହିତ ଶ୍ରୀ ପ୍ରଧାନଙ୍କ ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜ୍ଞାପନ କରିଛନ୍ତି ।

ସ୍ୱର୍ଗତଃ ଦୋଳଗୋବିନ୍ଦ ପ୍ରଧାନ ୧୯୨୯ ମସିହା ଜୁନ ୨୮ ତାରିଖରେ କଟକରେ ଜନ୍ମ ଗ୍ରହଣ କରିଥିଲେ । ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇ ସ୍ୱର୍ଗତଃ ପ୍ରଧାନ ୧୯୪୨ ମସିହାରେ କାରାବରଣ କରିଥିଲେ । ସେ ତାଙ୍କ ରାଜନୈତିକ ଜୀବନରେ ପ୍ରଥମେ ୱାର୍ଡ଼ମେମ୍ବର, ନାଏବ ସରପଞ୍ଚ, ସରପଞ୍ଚ, ବ୍ଲକ ଉପାଧ୍ୟକ୍ଷ, ବ୍ଲକ ଅଧ୍ୟକ୍ଷ ଏବଂ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ।

ବିଧାୟକରୁ ମନ୍ତ୍ରୀ ପଦ ପରି ଦାୟିତ୍ୱ ଗ୍ରହଣ କରି ନିଜର କର୍ତ୍ତବ୍ୟ ସମ୍ପାଦନ କରିଥିଲେ । ସେ ଓଡ଼ିଶାର ନଗର ଉନ୍ନୟନ ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ଜୀବନରେ ଗାନ୍ଧୀବାଦର ଆଦର୍ଶକୁ ଗ୍ରହଣ କରି ଜୀବନ ଯାପନ କରୁଥିଲେ । ପ୍ରତ୍ୟେହ ଯୋଗ ବ୍ୟାୟାମ କରିବା ସହିତ ଶ୍ରୀ ପ୍ରଧାନ ସାକାହାର ଖାଦ୍ୟ ଗ୍ରହଣ କରୁଥିଲେ ।

Leave A Reply

Your email address will not be published.