Latest Odisha News

୩୨ ମିଲିୟନ ଡଲାର ନେଇ ପାକିସ୍ତାନରୁ ଫେରାର ପତ୍ନୀଙ୍କ ସାଙ୍ଗ, ଇମ୍ରାନ ଖାନ୍ କରିଛନ୍ତି ସହଯୋଗ

ସାଙ୍ଗରେ ଧରିଛନ୍ତି ୯୦ ହଜାର ଡଲାରର ହ୍ୟାଣ୍ଡବ୍ୟାଗ, ଲୋକ କହିଲେ ‘ମଦର ଅଫ୍ ଅଲ୍ ସ୍କାଣ୍ଡେଲ୍ସ’

ଇସଲାମାବାଦ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପତ୍ନୀ ବୁଶ୍ରା ବିବିଙ୍କ ଜଣେ ବନ୍ଧୁ ପ୍ରାୟ ୩୨ ମିଲିୟନ ଆମେରିକୀୟ ଡଲାର ଠକେଇ କରି ଫେରାର ହୋଇଛନ୍ତି । ବୁଶ୍ରାଙ୍କ ବନ୍ଧୁ ଫରା ଖାନ୍ ଏକ ବିଳାସପୂର୍ଣ୍ଣ ବିମାନରେ ଯାତ୍ରା ସମୟର ଏକ ଫଟୋ ମଙ୍ଗଳବାର ପାକିସ୍ତାନ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଫଟୋ କ୍ୟାପ୍ସନରେ ଲେଖାଯାଇଛି ଯେ, ଫରା ୯୦ ହଜାର ଆମେରିକୀୟ ଡଲାରର ଏକ ବ୍ୟାଗ୍ ନେଇ ଫେରାର । ଫଟୋରେ ଏହି ବ୍ୟାଗଟି ଇଷତ୍ ସ୍ପଷ୍ଟ ।

BjdElectrycity

ବାଇଗଣୀ ରଙ୍ଗର ବ୍ୟାଗଟି ଫରା ତାଙ୍କ ଗୋଡ଼ ପାଖରେ ରଖିଛନ୍ତି । ଏହି ଫଟୋର ପ୍ରାଥମିକ ପୋଷ୍ଟ କରିଛନ୍ତି, ପାକିସ୍ତାନ ମୁସଲିମ ଲିଗ୍- ନୱାଜ ଦଳ ନେତା ରୋମିନା ଖୁର୍ସିଦ ଆଲମ । ରୋମିନା ଲେଖିଛନ୍ତି, ‘ଫରା ଖାନ, ବୁଶ୍ରାଙ୍କ ଘନିଷ୍ଠ ବନ୍ଧୁ ଯିଏ ଫେରାର । ତାଙ୍କ ପାଖରେ ଥିବା ବ୍ୟାଗର ମୂଲ୍ୟ ୯୦ ହଜାର ଆମେରିକୀୟ ଡଲାର । ହଁ ନବେ ହଜାର ଡଲାର । ’

ତେବେ ଏହି ଭାଇରାଲ ଫଟୋଟି ପାକିସ୍ତାନରେ ଗୁଡ଼େ ସମାଲୋଚନା ଟାଣି ଆଣିଛି । ନେଟିଜେନ ଲେଖିଛନ୍ତି, ପାକିସ୍ତାନରୁ ଦୁବାଇ ଗଲେ ୫୦ ହଜାର ଡଲାର ଖର୍ଚ୍ଚ ହେବ । ହେଲେ ଏଠି ବ୍ୟାଗର ମୂଲ୍ୟ ଏତେ ଯେ.. । ଏହି ପୋଷ୍ଟର କମେଣ୍ଟରୁ ଜଣାପଡ଼ିଛି ଯେ, ଫରାଙ୍କ ସ୍ୱାମୀ ତାଙ୍କ ଆଗରୁ ପାକିସ୍ତାନରୁ ଫେରାର ହୋଇଯାଇଛନ୍ତି ।

ବିରୋଧୀ ଦଳ ନେତା ମାନେ ଅଭିଯୋଗ କରିଛନ୍ତି ଯେ, ଫରା ଗୁଡ଼େ ଟଙ୍କା ପାକିସ୍ତାନୀ ଅଫିସରଙ୍କ ଠାରୁ ଉଠେଇଛନ୍ତି । ଉଚ୍ଚପଦସ୍ଥ ଅଧିକାରୀଙ୍କୁ ତାଙ୍କ ପସନ୍ଦର ପଦବୀ ଯୋଗାଡ଼ କରିଦେଇଛନ୍ତି ସେ । ଯାହା ବଦଳରେ ସେମାନଙ୍କଠାରୁ ମାତ୍ରାଧିକ ଟଙ୍କା ଉଠେଇଛନ୍ତି ଫରା । ଏସବୁ ଇମ୍ରାନ ଏବଂ ତାଙ୍କ ପତ୍ନୀ ବୁଶ୍ରାଙ୍କ ସହଯୋଗରେ ହୋଇଛି ବୋଲି ବିରୋଧୀ ନେତା ଅଭିଯୋଗ କରିଛନ୍ତି । ଏବେ ଫରାଙ୍କୁ ବିରୋଧୀ କହୁଛନ୍ତି, ‘ମଦର ଅଫ୍ ଅଲ୍ ସ୍କାଣ୍ଡେଲ୍ସ’ ।

ଅନ୍ୟପଟେ ଆହୁରି ଖବର ଆସୁଛି, ଇମ୍ରାନ ପ୍ରଧାନମନ୍ତ୍ରୀ ପଦରୁ ହଟିଯିବା ପରେ ତାଙ୍କର କିଛି ଘନିଷ୍ଠ ସହଯୋଗୀ ଦେଶ ଛାଡ଼ିବା ଚିନ୍ତାରେ ଅଛନ୍ତି । ସେପଟେ ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ଶରିଫଙ୍କ ଝିଅ ମରିୟମ କହିଛନ୍ତି ଯେ ଇମ୍ରାନ ଏବେ ଭୟାତୁର । ତାଙ୍କ ଗାଦି ଚାଲିଗଲେ ଇମ୍ରାନଙ୍କ ସବୁ ଠକେଇ ଆଉ ଚୋରି ଧରାପଡ଼ିଯିବ ।

Leave A Reply

Your email address will not be published.