Latest Odisha News

BREAKING NEWS

‘ନିଶାମୁକ୍ତ ଓଡ଼ିଶା’ ଗଠନ ପାଇଁ ସରକାରଙ୍କ ମେଗା ପ୍ଲାନ୍: ସ୍କୁଲରୁ ପଞ୍ଚାୟତ ଯାଏଁ ଛୁଟିବ ସଚେତନତାର ବାର୍ତ୍ତା, ଖର୍ଚ୍ଚ ହେବ ୪.୬୨ କୋଟି

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ବଢ଼ୁଥିବା ନିଶା କାରବାର ଉପରେ ଲଗାମ କଷିବା ଏବଂ ଯୁବପିଢ଼ିଙ୍କୁ ନିଶା କବଳରୁ ରକ୍ଷା କରିବା ପାଇଁ ରାଜ୍ୟ ସରକାର ଏକ ବଳିଷ୍ଠ ପଦକ୍ଷେପ ହାତକୁ ନେଇଛନ୍ତି।

 

ଓଡ଼ିଶାକୁ ସମ୍ପୂର୍ଣ୍ଣ ‘ନିଶାମୁକ୍ତ’ କରିବା ଲକ୍ଷ୍ୟରେ ୨୦୨୬-୨୭ ଆର୍ଥିକ ବର୍ଷ ନିମନ୍ତେ ୪ କୋଟି ୬୨ ଲକ୍ଷ ଟଙ୍କାର ଏକ ସ୍ୱତନ୍ତ୍ର ତଥା ସଂଶୋଧିତ ରାଜ୍ୟ କାର୍ଯ୍ୟଯୋଜନା ପ୍ରସ୍ତୁତ କରାଯାଇଛି। ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ପ୍ରସ୍ତୁତ ଏହି ମାଷ୍ଟର ପ୍ଲାନ୍‌କୁ ଅନୁମୋଦନ ନିମନ୍ତେ କେନ୍ଦ୍ର ସରକାରଙ୍କ ନିକଟକୁ ପଠାଯାଇଛି। କେନ୍ଦ୍ରର ସବୁଜ ସଙ୍କେତ ମିଳିବା କ୍ଷଣି ଏହା ସାରା ରାଜ୍ୟରେ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟକାରୀ ହେବ।

 

ନୂଆ ଖସଡ଼ା ଅନୁଯାୟୀ, କେବଳ ସଚେତନତା ସୃଷ୍ଟି ଓ ନିରାକରଣ ପାଇଁ ୧ କୋଟି ୬୫ ଲକ୍ଷ ଟଙ୍କା ବ୍ୟୟବରାଦ କରାଯାଇଛି। ପ୍ରାଥମିକ ପର୍ଯ୍ୟାୟରେ ରାଜ୍ୟର ୧୫୦ଟି ସ୍କୁଲ ଏବଂ କଲେଜକୁ ଚିହ୍ନଟ କରାଯାଇ ସେଠାରେ ‘ଗୁଡ୍ ଚଏସ୍ କ୍ଲବ୍’ (ଆଣ୍ଟି-ଡ୍ରଗ୍ କ୍ଲବ୍) ଗଠନ କରାଯିବ। ପିଲାମାନଙ୍କୁ ନିଶାର କୁପ୍ରଭାବ ସମ୍ପର୍କରେ ଜାଗ୍ରତ କରିବା ପାଇଁ ପ୍ରବନ୍ଧ, ଚିତ୍ରାଙ୍କନ, ବିତର୍କ ଓ କୁଇଜ୍ ଭଳି ବିଭିନ୍ନ ପ୍ରତିଯୋଗିତା କରାଯିବ। ଏହାସହ ସମସ୍ତ ୩୦ଟି ଜିଲ୍ଲାରେ ମାରାଥନ୍, ସାଇକେଲ୍ ରାଲି ଓ ୱାକାଥନ୍ ଭଳି କାର୍ଯ୍ୟକ୍ରମ ଆୟୋଜନ ହେବ। ମେଡିକାଲ କଲେଜ ଏବଂ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଯୁବବର୍ଗଙ୍କୁ ସିଧାସଳଖ ଏହି ଅଭିଯାନରେ ସାମିଲ କରାଯିବ।

 

ଏହି ଯୋଜନାକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ପାଇଁ ପଞ୍ଚାୟତଗୁଡ଼ିକୁ ମୁଖ୍ୟ ଅସ୍ତ୍ର କରାଯାଇଛି। ରାଜ୍ୟର ସମସ୍ତ ୩୧୪ଟି ବ୍ଲକରେ ଆଣ୍ଟି-ଡ୍ରଗ୍ କମିଟି ବୈଠକ ବସିବା ସହ ୩୦୦ଟି ଗ୍ରାମପଞ୍ଚାୟତରେ ବ୍ୟାପକ ସଚେତନତା ଅଭିଯାନ ଚାଲିବ। ଏଥିପାଇଁ ପ୍ରତି ଜିଲ୍ଲାରୁ ୫୦ ଜଣ ହିସାବରେ ମୋଟ ୧,୫୦୦ ସ୍ୱେଚ୍ଛାସେବୀଙ୍କୁ ‘ନଶା ମୁକ୍ତ ମିତ୍ର’ ଭାବେ ନିୟୋଜିତ କରାଯିବ। ଏହି ଗୋଷ୍ଠୀଭିତ୍ତିକ କାର୍ଯ୍ୟକ୍ରମ ପାଇଁ ୭୬.୪୦ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ।

 

ଆଇନଗତ କାର୍ଯ୍ୟାନୁଷ୍ଠାନକୁ ଆହୁରି ସୁଦୃଢ଼ କରିବା ପାଇଁ ପୋଲିସ ଏବଂ ଅବକାରୀ ଅଧିକାରୀମାନଙ୍କୁ ସ୍ୱତନ୍ତ୍ର ପ୍ରଶିକ୍ଷଣ ଦିଆଯିବ। ନିଶାଗ୍ରସ୍ତ ବ୍ୟକ୍ତିମାନଙ୍କୁ ସମାଜର ମୁଖ୍ୟସ୍ରୋତକୁ ଫେରାଇ ଆଣିବା ଉପରେ ବିଶେଷ ଧ୍ୟାନ ଦିଆଯାଇଛି। ସେମାନଙ୍କ ପାଇଁ ପରିବାର ପରାମର୍ଶ ଶିବିର, ପୁନଃ ନିଶାସେବନ ନକରିବା ପାଇଁ ସ୍ୱତନ୍ତ୍ର କ୍ୟାମ୍ପ ଏବଂ ବୃତ୍ତିଗତ ପୁନର୍ବାସ ସହାୟତା ଯୋଗାଇ ଦିଆଯିବାର ବ୍ୟବସ୍ଥା ରହିଛି।

 

ଗଣମାଧ୍ୟମ ଏବଂ ସୋସିଆଲ ମିଡିଆ ମାଧ୍ୟମରେ ଲୋକଙ୍କ ନିକଟରେ ପହଞ୍ଚିବା ପାଇଁ ଅଡିଓ-ଭିଜୁଆଲ ଫିଲ୍ମ, ରେଡିଓ ବାର୍ତ୍ତା, କାନ୍ଥ ଚିତ୍ର ଓ ପୋଷ୍ଟର ଆଦି ପାଇଁ ୫୦ ଲକ୍ଷ ଟଙ୍କାର ବଜେଟ୍ ରହିଛି। ସେହିପରି ଯୋଜନାର ସଫଳ ରୂପାୟନର ତଦାରଖ, ତ୍ରୈମାସିକ ସମୀକ୍ଷା ଏବଂ ତୃତୀୟ ପକ୍ଷ ମୂଲ୍ୟାଙ୍କନ ନିମନ୍ତେ ୮୪.୨୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ।

 

ସୂଚନାଯୋଗ୍ୟ ଯେ, ଗତ ‘ଆନ୍ତର୍ଜାତୀୟ ନିଶାଦ୍ରବ୍ୟ ଅପବ୍ୟବହାର ଓ ଅବୈଧ କାରବାର ବିରୋଧୀ ଦିବସ-୨୦୨୬’ ଅବସରରେ ରାଜ୍ୟର ୩୦ଟି ଜିଲ୍ଲାରେ ସାମାଜିକ ସୁରକ୍ଷା ଅଧିକାରୀଙ୍କ ମାଧ୍ୟମରେ ବ୍ୟାପକ କାର୍ଯ୍ୟକ୍ରମ କରାଯାଇଥିଲା। ଏଥିପାଇଁ ପୂର୍ବରୁ ମଞ୍ଜୁର ହୋଇଥିବା ୧ କୋଟି ଟଙ୍କାରୁ ପ୍ରାୟ ୯୦ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇସାରିଛି ବୋଲି ବିଭାଗୀୟ ରିପୋର୍ଟରେ ଦର୍ଶାଯାଇଛି।

Leave A Reply

Your email address will not be published.