Latest Odisha News

BREAKING NEWS

ଭାରତରେ ଟ୍ରେନିଂ ନେଉଥିବା ୧୩୦ ଆଫଗାନୀ ଯବାନଙ୍କ ଭବିଷ୍ୟତ ଅନ୍ଧାର ?

କାବୁଲ: ତାଲିବାନଙ୍କ ହାତକୁ କ୍ଷମତା ଚାଲିଯିବା ପରେ ଥରହର ଆଫଗାନିସ୍ତାନ । ଲୋକଙ୍କ ଭିତରେ ଭାଳେଣି ପଡ଼ିଛି, ତାଲିବାନୀଙ୍କ ବର୍ବରତା ଭିତରେ କେମିତି ରହିବେ ସେଠାରେ । ତାଲିବାନୀ ରାଜ ପରେ ଭାରତରେ ମିଲିଟାରୀ ଟ୍ରେନିଂ ନେଉଥିବା ୧୩୦ ଜଣ ଆଫଗାନୀ ଯବାନଙ୍କ ଭବିଷ୍ୟତ ଏବେ ଅନ୍ଧାରରେ । ସେମାନେ କଣ କରିବେ, କୁଆଡ଼େ ଯିବେ ? ୧୩୦ ଯବାନଙ୍କ ଆଗରେ ଏବେ ଅନିଶ୍ଚିତତାର କଳା ପାହାଡ଼ ଠିଆ ହୋଇଛି ।

ଇଣ୍ଡିଆନ୍ ମିଲିଟାରୀ ଏକାଡେମୀରେ ୮୦ ଜଣ ଏବଂ ଚେନ୍ନାଇ ଓ ପୁଣେ ସ୍ଥିତ ଏକାଡେମୀରେ ଅନ୍ୟ ଆଫଗାନୀ କ୍ୟାଡେଟ୍ସ ଟ୍ରେନିଂ ନେଉଛନ୍ତି । ଏମାନଙ୍କର ଟ୍ରେନିଂ ଓ ଅନ୍ୟାନ୍ୟ ଖର୍ଚ୍ଚ ଭାରତ ବହନ କରୁଛି । ୨୦୦୧ ପରେ ଆଫଗାନିସ୍ତାନରେ ରାଷ୍ଟ୍ର ନିର୍ମାଣରେ ସହାୟତା କରି ଆସୁଛି ଭାରତ ।

ଏବେ ଆଫଗାନିସ୍ତାନ ସେନା ତାଲିବାନଙ୍କ ଆଗରେ ଆତ୍ମସମର୍ପଣ କରିଛନ୍ତି । ଏଭଳି ସ୍ଥିତିରେ ଭାରତରେ ଟ୍ରେନିଂ ନେଉଥିବା ୧୩୦ ଯବାନଙ୍କ ଭବିଷ୍ୟତ ଅନ୍ଧକାର ଭିତରକୁ ଠେଲି ହୋଇଛି । ସେମାନେ ନିଜ ନିଜ ଭବିଷ୍ୟତକୁ ନେଇ ଏବେ ଅନିଶ୍ଚିତତା ଭିତରେ ଅଛନ୍ତି । ଏମିତି ବି ହୋଇପାରେ ଏମାନେ ବି ସେଠାକୁ ଗଲେ ତାଲିବାନଙ୍କ ଶରଣ ପଶିବେ । କାରଣ ସେଠାକାର ଅଧିକାଂଶ ସୈନିକ ତାଲିବାନଙ୍କ ସହ ସାମିଲ ହୋଇଛନ୍ତି ।

ପ୍ରତିବର୍ଷ ହାରାହାରି ୭୦୦-୮୦୦ ଆଫଗାନିସ୍ତାନ ଯବାନ ଭାରତରେ ମିଲିଟାରୀ ଟ୍ରେନିଂ ନେଇ ଥାଆନ୍ତି । ଏମାନଙ୍କ ସହ ଭୁଟାନ୍, ବାଂଲାଦେଶ, ମିଆଁମାର, ତାଜିକିସ୍ତାନ, ଶ୍ରୀଲଙ୍କା, ଭିଏତନାମ୍ ଆଦି ଦେଶର ଯବାନଙ୍କୁ ଭାରତ ଟ୍ରେନିଂ ଦେଇଥାଏ । ଏମାନଙ୍କ ଭିତରେ ଆଫଗାନିସ୍ତାନ ଯବାନଙ୍କ ସଂଖ୍ୟା ଅଧିକ ରହୁଥିଲା ।

Leave A Reply

Your email address will not be published.