Latest Odisha News

BREAKING NEWS

ମୋଦୀଙ୍କ ‘କଂଗ୍ରେସ ମୁକ୍ତ ଭାରତ’ ଅଭିଯାନ ବିରୋଧରେ ଗଡ଼କରୀ ?

ନୂଆଦିଲ୍ଲୀ: ଗୋଟିଏ ପଟେ ଦେଶରୁ କଂଗ୍ରେସ ହଟିବା ନେଇ ବିଜେପି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନାରା ଦେଉଛନ୍ତି ଅନ୍ୟପଟେ ଦଳର ବରିଷ୍ଠ ନେତା ତଥା କେନ୍ଦ୍ରମନ୍ତ୍ରୀ ନୀତୀନ ଗଡକରୀ କହିଛନ୍ତି, ଦେଶରେ କଂଗ୍ରେସ ସୁଦୃଢ ହେବା ଦରକାର । ପାଞ୍ଚ ରାଜ୍ୟରେ କଂଗ୍ରେସ ମୂଳପୋଛ ହେବା ପରେ ଗଡ଼କରୀଙ୍କ ଏହି ବୟାନ ବିରୋଧୀ ଦଳ କଂଗ୍ରେସ ପାଇଁ ଯେତିକି ଆଶ୍ୱସନା ଦେଇଛି ତାଠୁ ଅଧିକ ଅସନ୍ତୋଷ ସୃଷ୍ଟି କରିଛି ବିଜେପିରେ ।

ପୁଣେରେ ଏକ ଗଣମାଧ୍ୟମ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ କେନ୍ଦ୍ରମନ୍ତ୍ରୀ ନୀତୀନ ଗଡ଼କରୀ । ଏହି ସମୟରେ ଉପସ୍ଥାପକ କେନ୍ଦ୍ରମନ୍ତ୍ରୀଙ୍କୁ କିଛି ପ୍ରଶ୍ନ ପଚାରିଥିଲେ ଯେଉଁଥିରେ ମନ୍ତ୍ରୀ କହିଥିଲେ,  ଗଣତନ୍ତ୍ରର ଗାଡି ଦୁଇଟି ଚକରେ ଚାଲିଥାଏ। ଗୋଟିଏ ଚକ ଶାସକ ଦଳ ଓ ଅନ୍ୟଟି ବିରୋଧୀ ଦଳ। ଗଣତନ୍ତ୍ର ପାଇଁ ଏକ ଶକ୍ତିଶାଳୀ ବିରୋଧୀ ଦଳର ଆବଶ୍ୟକତା ରହିଛି । ସେଥିପାଇଁ ମୁଁ ହୃଦୟରୁ ଅନୁଭବ କରୁଛି ଯେ କଂଗ୍ରେସ ଜାତୀୟ ସ୍ତରରେ ଅଧିକ ଶକ୍ତିଶାଳୀ ହେବା ଉଚିତ । କଂଗ୍ରେସ ଦୁର୍ବଳ ହେଉଥିବା ବେଳେ ଅନ୍ୟ ଆଞ୍ଚଳିକ ଦଳମାନେ ଏହାର ସ୍ଥାନ ନେଉଛନ୍ତି। ଅନ୍ୟ ଆଞ୍ଚଳିକ ଦଳଗୁଡ଼ିକ କଂଗ୍ରେସର ସ୍ଥାନ ନେବା ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ ବୋଲି ସେ କହିଛନ୍ତି।

“କଂଗ୍ରେସର ଆଦର୍ଶକୁ ଅନୁସରଣ କରୁଥିବା ବ୍ୟକ୍ତିମାନେ ଦଳରେ ରହିବା ଉଚିତ ଏବଂ ଏହାର ଆଦର୍ଶ ଉପରେ ବିଶ୍ୱାସ ରଖିବା ଉଚିତ,” ବୋଲି ଗଡ଼କରୀ ଇଣ୍ଡିଆନ୍ ଏକ୍ସପ୍ରେସକୁ କହିଛନ୍ତି।

ସବୁଠାରୁ ରୋଚକ କଥା ହେଉଛି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବିଜେପିର ଅନେକ ବରିଷ୍ଠ ନେତା କଂଗ୍ରେସ ମୁକ୍ତ ଭାରତ ପାଇଁ ଆହ୍ୱାନ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଗତ ଫେବୃଆରୀ ମାସରେ ସଂସଦରେ ଭାଷଣ ଦେବା ସମୟରେ କହିଥିଲେ ଯେ ମହାତ୍ମା ଗାନ୍ଧୀଙ୍କ ଇଚ୍ଛା ବିରୋଧରେ କଂଗ୍ରେସ ରହିଛି।

ମହାରାଷ୍ଟ୍ର କଂଗ୍ରେସ ନେତା ସଚିନ ସାଓ୍ୱନ୍ତ କହିଛନ୍ତି, ଗଡକରୀଙ୍କ ମନ୍ତବ୍ୟକୁ ଆମେ ପ୍ରଶଂସା କରୁଛୁ। କିନ୍ତୁ ତାଙ୍କ ନେତା ମୋଦୀଙ୍କୁ କହୁନ୍ତୁ ଯେ ସେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାଗୁଡ଼ିକୁ ବିରୋଧୀ ଦଳର ନେତାଙ୍କ ବିରୋଧରେ ବ୍ୟବହାର କରିବେ ନାହିଁ । ଏପରି ହେଲେ ଦଳ ଆଗକୁ ବଢ଼ିପାରିବ।

Leave A Reply

Your email address will not be published.