ପୁରୀ: ଇସ୍କନର ଅଦିନିଆ ରଥଯାତ୍ରାକୁ ନେଇ ପୁଣି ପ୍ରତିକ୍ରିୟା ରଖିଛନ୍ତି ପୁରୀ ଗଜପତି ମହାରାଜ । ସେ କହିଛନ୍ତି ଯେ, ଇସ୍କନର ଅଦିନିଆ ରଥଯାତ୍ରା ଏକପ୍ରକାର ଅପପ୍ରଚାର । ଏଭଳି କରିବା ଦ୍ବାରା ଏକ ଖରାପ ପରମ୍ପରା ସୃଷ୍ଟି ହେଉଛି । ଶାସ୍ତ୍ର ମତ ଅନୁଯାୟୀ ରଥଯାତ୍ରା ପାଳନ ହେବା ଉଚିତ ।
ଇସ୍କନ ଠାରୁ ସମସ୍ତେ ଦେଖି ଅଦିନିଆ ରଥଯାତ୍ରା କରୁଛନ୍ତି । ଇସ୍କନର ଏଭଳି ନିଷ୍ପତ୍ତିକୁ ଆମେ ମାନିବୁ ନାହିଁ ବୋଲି କହିଛନ୍ତି ଗଜପତି ମହାରାଜ । ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଆଲୋଚନା ଉଦ୍ୟମ ଇସ୍କନ ସହ ବିଫଳ ହୋଇଛି । ଏବେ ଆଚାର୍ଯ୍ୟ ଓ ଭକ୍ତମାନେ ମତ ଦେବା ଆବଶ୍ୟକ ରହିଛି । ସେମାନେ ଚୁପ୍ ରହିବାରୁ ଇସ୍କନ ବାରମ୍ବାର ଏମିତି କରିଆସୁଛି ବୋଲି କହିଛନ୍ତି ଗଜପତି ।
ଇସ୍କନକୁ ଅନୁସରଣ କରି ଅନ୍ୟମାନେ ମଧ୍ୟ ସେଭଳି କରୁଛନ୍ତି । ଭାରତ ବାହାରେ ଅଦିନିଆ ରଥଯାତ୍ରା ବନ୍ଦ କରିବାକୁ କେହି ନାହାନ୍ତି । ଆମର ଓଡିଆ ଭାଇମାନେ ଅଦିନିଆ ରଥଯାତ୍ରାରେ ଅଂଶଗ୍ରହଣ କରିବା ସହ ଦକ୍ଷିଣା ଦେଉଛନ୍ତି । ଆଗକୁ ଅଦିନିଆ ରଥଯାତ୍ରା ଏକ ପରମ୍ପରାରେ ପରିଣତ ହୋଇଯିବ ବୋଲି କହି କ୍ଷୋଭ ପ୍ରକାଶ କରିଛନ୍ତି ପୁରୀ ଗଜପତି ।