ନୂଆଦିଲ୍ଲୀ : ଭାରତର ସ୍ବାଧିନତା ପୁର୍ତ୍ତିର ୭୫ ବର୍ଷ ପାଳନ ଉପଲକ୍ଷେ ପାଳିତ ହେଉଥିବା ”ଆଜାଦୀକା ଅମୃତ ମହୋତ୍ସବ” ଅବସରରେ ଭୁବନେଶ୍ୱରର ସୁଭଦ୍ରା ଆର୍ଟ ଗ୍ୟାଲେରୀ ଆନୁକୁଲ୍ୟରେ ଦିଲ୍ଲୀଠାରେ ଗାନ୍ଧୀ ଚିତ୍ରକଳା ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି।
ଏହି ଚିତ୍ରକଳା ପ୍ରଦର୍ଶନୀରେ ରାଜଧାନୀରେ ଅବସ୍ଥାପିତ ଏବଂ ଓଡ଼ିଶାରୁ ସ୍ବତନ୍ତ୍ର ନିମନ୍ତ୍ରଣରେ ଅନେକ ବିଶିଷ୍ଟ ଚିତ୍ରଶିଳ୍ପୀ ଅଂଶ ଗ୍ରହଣ କରିଥିଲେ। ସେଠାକାର କନଷ୍ଟିଚ୍ୟୁସନ୍ କ୍ଲବ ସ୍ଥିତ ଐତିହାସିକ ସ୍ପିକର ହଲଠାରେ ଗାନ୍ଧୀଜୀଙ୍କର ଜୀବନ ଓ ଦର୍ଶନ ଉପରେ ପ୍ରଦର୍ଶିତ ବିରଳ କଳା କଳାକୃତିଗୁଡ଼ିକ ଦିଲ୍ଲୀର ବହୁ ବରେଣ୍ୟ ବ୍ୟକ୍ତି, ପ୍ରବାସୀ ଓଡ଼ିଆ ନେତୃବୃନ୍ଦ ଓ ବୁଦ୍ଧିଜୀବିଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଥିଲା ।
ଏହି ଉତ୍ସବରେ ସୁଭଦ୍ରା ଆର୍ଟ ଗ୍ୟାଲେରୀର ଅଧକ୍ଷ ତଥା ମୁଖ୍ୟ ଆୟୋଜକ ସୂର୍ଯ୍ୟ ରଥ ପୌରହିତ୍ୟ କରି ମହାତ୍ମା ଗାନ୍ଧୀଙ୍କର ମହାନ୍ ଜୀବନ ଓ ମହତ୍ ଦର୍ଶନ ଦ୍ଵାରା ନୂତନ ପୀଢ଼ିର ଚିତ୍ରଶିଳ୍ପୀମାନେ ଅନୁପ୍ରାଣିତ ହେବାକୁ ଆହ୍ବାନ ଜଣାଇଥିଲେ।
ଆନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଭାସ୍କର୍ଯ୍ୟ ଶିଳ୍ପୀ ରବି ନାରାୟଣ ରଥଙ୍କ ଦ୍ଵାରା, “ବୈଷ୍ଣବ ଜନ ତୋ…”ଭଜନର ତାଳେ ତାଳେ ମାତ୍ର ୧୦ ମିନିଟ ମଧ୍ୟରେ ଗାନ୍ଧୀ ମୂର୍ତ୍ତି ନିର୍ମାଣ, ପ୍ରଦର୍ଶନୀର ମୁଖ୍ୟ ଆକର୍ଷଣ ଥିଲା। ପ୍ରସିଦ୍ଧ ଶିଳ୍ପୀ ସୁଧାଂଶୁ ସୂତାର, ଗାନ୍ଧୀବାଦୀ ଚିନ୍ତାଧାରା ତାଙ୍କର କଳା କଳ୍ପନା ଓ ସର୍ଜନକୁ କିଭଳି ବିଶେଷ ଭାବେ ପ୍ରଭାବିତ କରିଛି, ତାହା ବେଶ୍ ପ୍ରାଞ୍ଜଳ ଭାବେ ବର୍ଣ୍ଣନା କରିଥିଲେ।
ସମାବେଶରେ କବି ଶଙ୍କର୍ଷଣ ପରିଡ଼ା, ଲେଖିକା ସୁନିତୀ ମୁଣ୍ଡ ଓ ପ୍ରବାସୀ ଓଡ଼ିଆ ସମାଜସେବୀ ରିତା ପାତ୍ର ପ୍ରମୁଖ ଅତିଥି ଭାବରେ ଯୋଗ ଦେଇଥିଲେ। ସିଲଭର ଗାନ୍ଧୀ ଭାବେ ପ୍ରସିଦ୍ଧି ହାସଲ କରିଥିବା ମୋହନ ମହାପାତ୍ର, ମହାତ୍ମାଙ୍କ ବେଶରେ ଛିଡ଼ା ହୋଇ ତାଙ୍କର ସ୍ଵଭାବ ସୁଲଭ ଢଙ୍ଗରେ ଆଗନ୍ତୁକ ମାନଙ୍କୁ ହାର୍ଦ୍ଦିକ ସ୍ୱାଗତ ଜଣାଇବାର ଦୃଶ୍ୟ ବେଶ୍ ମର୍ମସ୍ପର୍ଶୀ ଥିଲା। ପ୍ରଦର୍ଶନୀରେ ଭାଗ ନେଇଥିବା ଚିତ୍ରଶିଳ୍ପୀ ଯଥା ସୁଧାଂଶୁ ସୂତାର, ପ୍ରବୋଧ ସ୍ବାଇଁ, ସଜଲ୍ ପାତ୍ର, ପ୍ରବୋଧ କୁମାର ସାହୁ, ତପନ ଦାସ, ଅନୁପ ଚାନ୍ଦ, ଶୁଭ୍ରା ଚାନ୍ଦ, ଡାଇନା ମହାପାତ୍ର, ମମତା ସାମନ୍ତରାୟ,ନିବେଦିତା ପଟ୍ଟନାୟକ, ଶଶିକାନ୍ତ ରାଉତ, ଟୁଟୁ ପଟ୍ଟନାୟକ, ମାନସ ରଂଜନ ଜେନା, ମନୋଜ ମହାନ୍ତି, ସ୍ଥିତାଧି ରଥ, କୁମୁଦ ଦାସ, ବନୋଜ ମହାନ୍ତି,ବିକ୍ରମ ନାୟକ, ସୌଭାଗ୍ୟ ମହାପାତ୍ର, ଜଗନ୍ନାଥ ମହାପାତ୍ର, ଚିନ୍ତାମଣି ବିଶ୍ଵାଳ, ଆଶିଷ ପାଣ୍ଡେ ଓ ସୁବାସ ପୂଜାରୀ ପ୍ରମୁଖଙ୍କୁ ଅତିଥି ମାନେ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ପ୍ରାରମ୍ଭରେ ଓଡ଼ିଶୀ ନୃତ୍ୟାଙ୍ଗନା ଅଭିପ୍ସା ଦାଶ ଗଣେଶ ବନ୍ଦନା ପରିବେଷଣ କରି ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲେ। ସମଗ୍ର କାର୍ଯ୍ୟକ୍ରମକୁ ସୁଭଦ୍ରା ଆର୍ଟ ଗ୍ୟାଲେରୀର ନିର୍ଦ୍ଦେଶକ ଅଶୋକ ନାୟକ ସୁଚାରୁ ରୂପେ ପରିଚାଳନା କରିବା ସହିତ ଆନୁଷ୍ଠାନିକ ଭାବେ ଧନ୍ୟବାଦ ଅର୍ପଣ କରିଥିଲେ। ଉପସ୍ଥିତ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ମଧ୍ୟରେ ଉତ୍କଳ ଭାରତୀର ମୁଖ୍ୟ ସଂପାଦକ ନିର୍ମଳ ପଟ୍ଟନାୟକ, କଳିଙ୍ଗ ଭାରତୀ ଫାଉଣ୍ଡେସନର ପ୍ରତିଷ୍ଠାତା ସଭାପତି ଅକ୍ଷୟ ସାମଲ ଏବଂ ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନର ସଭାପତି ବିପିନ ମିଶ୍ର ପ୍ରମୁଖ ଅନ୍ତର୍ଭୁକ୍ତ ଥିଲେ।
Comments are closed.