Latest Odisha News

BREAKING NEWS

ଗଣେଶ ଚତୁର୍ଥୀ: କିଛି ରହସ୍ୟ, କିଛି ରୋଚକ ତଥ୍ୟ !

ଭୁବନେଶ୍ୱର: ପ୍ରତ୍ୟେକ ବର୍ଷ ଭାଦ୍ରବ ମାସ ଶୁକ୍ଲପକ୍ଷ ଚତୁର୍ଥୀ ତିଥୀରେ ଗଣେଶ ଚତୁର୍ଥୀ ଉତ୍ସବ ପାଳନ ହୋଇଥାଏ । ପ୍ରଥମ ପୂଜ୍ୟ ଦେବତା ହୋଇଥିବାରୁ ହିନ୍ଦୁ ଧର୍ମରେ ପ୍ରତ୍ୟେକ ଶୁଭକାର୍ଯ୍ୟର ଆରମ୍ଭ ଗଣେଶଙ୍କ ପୂଜାଠୁ ଆରମ୍ଭ ହୋଇଥାଏ । ସାରା ଦେଶରେ ଧୁମଧାମରେ ଗଣେଶ ଚତୁର୍ଥୀ ପାଳନ ହୋଇଥାଏ । ହେଲେ ଏଥର କରୋନା ଚଡକ ସାଜିଛି ଉତ୍ସବ ପାଳନରେ ବାଧକ । ତେବେ ଆସନ୍ତୁ ଗଣେଶ ଚତୁର୍ଥୀକୁ ନେଇ କିଛି ରହସ୍ୟମୟ ଓ ରୋଚକ ତଥ୍ୟ ଉପରେ ଆଲୋକପାତ କରିବା ।

କାହିଁକି ନାମିତ ଗଣେଶ ? ଗଣ ର ଅର୍ଥ ବିଶେଷ ସମୁଦାୟ ଓ ଇଶର ଅର୍ଥ ସ୍ୱାମୀ । ଶିବଗଣ ଓ ଦେବଗଣଙ୍କ ସ୍ୱାମୀ ହୋଇଥିବାରୁ ତାଙ୍କୁ ଗଣେଶ କୁହାଯାଇଥାଏ । ଜ୍ୟୋତିଷ ଶାସ୍ତ୍ରରେ ତିନୋଟି ଗଣ ସମ୍ଭନ୍ଧରେ ଉଲ୍ଲେଖ ରହିଛି । ଦେବଗଣ, ମନୁଷ୍ୟଗଣ ଓ ରାକ୍ଷସଗଣ । ଏହି ତିନୋଟି ଗଣ ଭଗବାନ ଶିବଙ୍କୁ ପୂଜାର୍ଚ୍ଚନା କରିଥାନ୍ତି । ବୁଦ୍ଧିର ସ୍ୱାମୀ ହୋଇଥିବାରୁ ପ୍ରଭୁ ଗଣେଶ ବି ଏମାନଙ୍କ ଦ୍ୱାରା ପୂଜିତ । ଏହି କାରଣରୁ ଗଣେଶଙ୍କ ନାଁ ଏପରି ରହିଛି ।

କେମିତି ବନିଲେ ପ୍ରଥମ ପୂଜ୍ୟ ଦେବତା ? ପୌରାଣିକ କଥାନୁସାରେ ଥରେ ବ୍ରହ୍ମା ପ୍ରଥମ ପୂଜ୍ୟ ଦେବତା କିଏ ହେବ ସେ ନେଇ ତର୍ଜମା କରିବାକୁ ମନସ୍ତ କରିଥିଲେ । ଏଥିପାଇଁ ସେ ସର୍ତ୍ତ ରଖିଥିଲେ, ଯିଏ ବି ପ୍ରଥମେ ପୃଥିବୀ ପରିକ୍ରମ କରି ଫେରିବ, ସେ ହିଁ ସାଜିବ ପ୍ରଥମ ପୂଜ୍ୟ ଦେବତା । ଏହାପରେ ସମସ୍ତ ଦେବତା ପୃଥିବୀ ଚାରିପଟେ ଘୁରିବୁଲିଥିଲେ । ହେଲେ ଗଣେଶ କେବଳ ପ୍ରଭୁ ଶିବ ଓ ମାତା ପାର୍ବତୀଙ୍କ ଚାରିପଟେ ବୁଲିଆସିଲେ । ନିଜ ପିତାମାତାଙ୍କୁ ସେ ତିନିଲୋକ ସମାସ୍କନ୍ଦ ଭାବି କିଛି ଏପରି କରିଥିଲେ । ଏହା ଦେଖି ପ୍ରଭୁ ଶିବ ବେଶ ଖୁସୀ ହୋଇଥିଲେ । ଅନ୍ୟପଟେ ପ୍ରଭୁ ବ୍ରହ୍ମା ଗଣେଶଙ୍କ ବୁଦ୍ଧିରେ ପ୍ରସନ୍ନ ହୋଇ ତାଙ୍କୁ ପ୍ରଥମ ପୂଜ୍ୟ ଦେବତାର ମାନ୍ୟତା ଦେଇଥିଲେ ।

ଗଣେଶଙ୍କ ପରିବାର – ଧାର୍ମିକ ମାନ୍ୟତା ଅନୁସାରେ ପ୍ରଭୁ ଶିବ ଓ ମାତା ପାର୍ବତୀ ଗଣେଶଙ୍କ ପିତାମାତା । କାର୍ତ୍ତିକେୟ ତାଙ୍କ ଭାଇ, ରିଦ୍ଧି ଓ ସିଦ୍ଧି ତାଙ୍କ ସ୍ତ୍ରୀ, ଶୁଭ ଓ ଲାଭ ତାଙ୍କ ସନ୍ତାନ ଓ ଅଶୋକସୁନ୍ଦରୀ ତାଙ୍କ ଭଗିନୀ ।

କାହିଁକି ଗଣେଶଙ୍କୁ କୁହାଯାଏ ଲମ୍ବୋଧର ? ଗଣେଶଙ୍କ ଏହି ନାଁ ପଛରେ ଏକ ରୋଚକ କାହାଣୀ ଅଛି । ଥରେ ଇନ୍ଦ୍ରଙ୍କ ସହ ଲଢୁଥିବାବଳେ ଗଣେଶଙ୍କୁ ଭୋକ ଓ ଶୋଷ ଲାଗିଥିଲା । ଭୋକ ଓ ଶୋଷ ମେଣ୍ଟାଇବା ପାଇଁ ସେ ବହୁତ ଫଳ ଓ ପାଣି ପିଇଯାଇଥିଲେ । ଯାହା ଫଳରେ ତାଙ୍କ ପେଟ ବିରାଟକାୟ ଆକାର ନେଇଥିଲା । ସେବେଠୁ ତାଙ୍କୁ ଲମ୍ବୋଧର ଭାବେ ମଧ୍ୟ ନାମିତ କରାଯାଇଥିଲା ।

ଗଣେଶ ଲେଖିଥିଲେ ମହାଭାରତ ! ପୌରାଣିକ କଥା ଅନୁସାରେ ପ୍ରଭୁ ଗଣେଶ ମହାଭାରତ ଲେଖିଥିଲେ । ବେଦବ୍ୟାସ ଯେତେବେଳେ ମହାଭାରତର ରୂପରେଖା ପ୍ରସ୍ତୁତ କରିସାରିଥିଲେ, ସେତେବେଳେ ଲେଖିବା ପାଇଁ ସେ ଗଣେଶଙ୍କୁ ପ୍ରସ୍ତାବ ଦେଇଥିଲେ । ଶାସ୍ତ୍ରରେ ବର୍ଣ୍ଣନା ଅନୁସାରେ ଏପରି କରିବା ପାଇଁ ପ୍ରଭୁ ବ୍ରହ୍ମା ହିଁ ବେଦବ୍ୟାସଙ୍କୁ ପରାମର୍ଶ ଦେଇଥିଲେ । କୁହାଯାଏ ଗୋଟିଏ ଦାନ୍ତକୁ ସେ କଲମ ରୂପେ ବ୍ୟବହାର କରି ମହାଭାରତ ଲେଖିଦେଇଥିଲେ ।

ଗଣେଶଙ୍କ ପ୍ରତ୍ୟକ୍ଷ ସ୍ୱରୂପ ” ଓଁ ” –  ଓଁ ଗଣେଶଙ୍କ ପ୍ରତ୍ୟକ୍ଷ ସ୍ୱରୂପ ଭାବେ ବର୍ଣ୍ଣିତ । ଯେପରି ସମସ୍ତ ଶୁଭକାର୍ଯ୍ୟ ପୂର୍ବରୁ ଗଣେଶଙ୍କୁ ପୂଜାର୍ଚ୍ଚନା କରାଯାଇଥାଏ, ଠିକ୍ ସେହିପରି ପ୍ରତ୍ୟେକ ମନ୍ତ୍ରକୁ ଉଚ୍ଚାରଣ କରିବା ପୂର୍ବରୁ ଓଁ ର ଉଚ୍ଚାରଣ ସମସ୍ତ ମନ୍ତ୍ରର ପ୍ରଭାବକୁ ବଢାଇ ଦେଇଥାଏ । ଗଣେଶ ପୁରାଣରେ ଗଣେଶଙ୍କୁ ପରମ୍‌ବ୍ରହ୍ମା ରୂପେ ବିବେଚିତ କରାଯାଇଛି ଏବଂ ଓଁ ସେହି ଗଣେଶଙ୍କ ସ୍ୱରୂପର ପ୍ରତୀକ ।

Leave A Reply

Your email address will not be published.