ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’
ଦେବୀଚରଣ ବାବୁ ଧୀରେ ଧୀରେ ଦୁର୍ବଳ ହୋଇ ଯାଉଥିଲେ। ଅବଶ୍ୟ ଏହାର ଅନ୍ୟ କୌଣସି କାରଣ ନଥିଲା। ବାର୍ଦ୍ଧକ୍ୟଜନିତ ସମସ୍ୟାରେ ପୀଡ଼ିତ ଥିଲେ ସେ। ତା ସହିତ କିଶୋରାବସ୍ଥାରୁ ହିଁ ତାଙ୍କର ଗୋଟିଏ ବଦଭ୍ୟାସ ଥିଲା- ତମାଖୁ ଖାଇବା। ଗୁଣ୍ଡି ବା ଧୂଆଁ ପତ୍ରରୁ ତିଆରି ମସଲାକୁ ଏକ ଦାନିରେ ରଖି ଅଣ୍ଟାରେ ଖୋସିଥାନ୍ତି ସେ। ଦିନର ଅଧିକାଂଶ ସମୟ କଳରେ ଜାକିଥାନ୍ତି। ଯୁବାବୟସରେ ସିନା ଏ ସବୁ କିଛି ଜଣା ପଡ଼ିଲାନି, ହେଲେ ଏବେ ଧୀରେ ଧୀରେ ଗୋଟିଏ ପରେ ଗୋଟିଏ ଦାନ୍ତ ଝଡ଼ିଗଲାଣି ତାଙ୍କର। ବୟସ ବି ପଞ୍ଚସ୍ତରୀ ପାର ହେଲାଣି। ସେଥିପାଇଁ ବି ଦାନ୍ତ ଝଡ଼ି ଯାଉଥାଇପାରେ। ତେବେ ପରିଣତ ବୟସରେ ଝଡ଼ି ଯାଉଥିବା ଦାନ୍ତଗୁଡ଼ିକୁ ସେ ଫିଙ୍ଗି ନଦେଇ ଗୋଟିଏ ଛୋଟିଆ ଡବା ଭିତରେ ସାଇତି ରଖିଥାନ୍ତି। ଯେଉଁଆଡ଼େ ଗଲେ ବି ତାଙ୍କ କାନ୍ଧରେ ଝୁଲୁଥାଏ ଗୋଟିଏ ଝୁଲାମୁଣି। ସେହି ମୁଣି ଭିତରେ ଥାଏ ତାଙ୍କର କିଛି ବହିପତ୍ର, ଗୋଟିଏ ଲେଖନୀ (ଲୁହାରେ ତିଆରି) ଯେଉଁଥିରେ ତାଳପତ୍ରରେ ଲେଖିହୁଏ। ଗୋଟିଏ ଦୁଆତ, ଗୋଟିଏ ଝର କଲମ ଏବଂ କିଛି ଖାତା।
ଅତ୍ୟନ୍ତ ଈଶ୍ୱରବିଶ୍ୱାସୀ ଥିଲେ ଦେବୀଚରଣ। ସେଥିପାଇଁ ତାଙ୍କ ଖାତା ଯଦି କେହି କେବେ ଦେଖିବ, ସେଥିରୁ ମିଳିବ କେବଳ ଭଜନ, ଜଣାଣ, ସ୍ତୁତି ଇତ୍ୟାଦି। ନାନାପ୍ରକାର ଛନ୍ଦରେ ସେ ଗୀତ ଓ କବିତା ଲେଖନ୍ତି। ସେଥିପାଇଁ ନାତି ନାତୁଣୀ ସବୁ ତାଙ୍କ ପାଖ ଛାଡ଼ନ୍ତି ନାହିଁ। ଦିନେ କୌତୁହଳୀ ହୋଇ ତାଙ୍କ ଝୁଲାମୁଣିକୁ ଦରାଣ୍ଡିବାରେ ଲାଗିଲା ତାଙ୍କ ସାନ ନାତି ସାନୁ। ବହିପତ୍ର ଭିତରୁ ତାକୁ ମିଳିଗଲା ସେହି ଡବାଟି। ଯେଉଁ ଡବାରେ ଥିଲା ବାରଟି ଦାନ୍ତ। ପ୍ରଥମେ ସାନୁ ଜାଣି ପାରିଲାନି ଯେ, ସେ ସବୁ କଣ। କିନ୍ତୁ କିଛି ସମୟ ନିରୀକ୍ଷଣ ପରେ ଜାଣିଲା, ସେ ସବୁ ଜେଜେଙ୍କ ଝଡ଼ି ପଡ଼ିଥିବା ଦାନ୍ତ। ଅତି ଆଗ୍ରହର ସହ ସେ ଯାଇ ଜେଜେଙ୍କୁ ପଚାରିଲା, ଏଇ ଦାନ୍ତ ସବୁ କାହିଁକି ରଖିଛ ଜେଜେ ? ଚଟ୍ କରି ତା ହାତରୁ ସେଇ ଡବାଟିକୁ ନେଇଗଲେ ଦେବୀଚରଣ। କହିଲେ, ତତେ କଣ ମିଳିବ ସେଥିରୁ? ତା ସାଙ୍ଗରେ କାହିଁକି ଲାଗିଥିଲୁ? ତତେ କେତେ ଥର କହିଛି, ମୋ ଝୁଲାରେ ହାତ ଦେବୁନି। କେତେବେଳେ ମୋ ଖାତାପତ୍ର ତୁ ଚିରି ଦେବୁ ତ, ଆଉ କେତେବେଳେ ବହିସବୁ ଏପଟ ସେପଟ କରିବୁ। ତୁ ଯା .. ତୋ କାମ କର।
ଦେବୀଚରଣ ବୁଲାବିଲୁ କରିବାକୁ ବେଶ୍ ଭଲ ପାଆନ୍ତି। ସେଥିପାଇଁ ଅଧିକାଂଶ ସମୟରେ ସେ ଗାଁର ଆଖପାଖରେ ଥିବା ବିଭିନ୍ନ ମନ୍ଦିର, ତୀର୍ଥସ୍ଥାନ ବୁଲି ଯାଆନ୍ତି। ବର୍ଷରେ ଅନ୍ତତଃ ଦୁଇଥର ଗାଁରୁ ଚାଲି ଚାଲି ଶ୍ରୀକ୍ଷେତ୍ରରେ ପହଞ୍ଚି ଯାଆନ୍ତି। କହନ୍ତି, ଜଗନ୍ନାଥ ଦର୍ଶନ ନକଲେ ଜୀବନରେ ମୁକ୍ତି ନାହିଁ। ତେବେ କଥା ପ୍ରସଙ୍ଗରେ ବେଳେ ବେଳେ କହିଦିଅନ୍ତି, ସବୁ ହେଲା ଯେ, ହେଲେ ଜୀବନରେ ଟିକିଏ ଗଙ୍ଗାସ୍ନାନ କରିହେଲାନି। କେବେ ଯଦି ହରିଦ୍ୱାର ଯାଇ ଗଙ୍ଗାରେ ସ୍ନାନ କରିଦିଅନ୍ତି, ତାହେଲେ ପତିତପାବନୀ ଗଙ୍ଗା ମୋତେ ଏ ଜନ୍ମରୁ ଉଦ୍ଧାର କରିଦିଅନ୍ତା। ଏସବ କଥା ଶୁଣିଥାଏ ସାନୁ। ସେ ବି ମନେ ମନେ ଭାବୁଥାଏ, ଯେମିତି ହେଲେ ଜେଜେଙ୍କୁ ନେଇ ଗଙ୍ଗାସ୍ନାନ କରାଇବ ସେ। ଏଥିପାଇଁ ମନେ ମନେ ଅନେକ ଯୋଜନା ପ୍ରସ୍ତୁତ କରୁଥିଲା ସାନୁ। ପିଲାଲୋକଟା, ସ୍କୁଲରେ ପଢୁଛି। ଯୋଜନା ସିନା କରି ଦେଉଛି, ହେଲେ ଫଳବତୀ ହେବ କେମିତି? ଏମିତି ବିଚାର କରୁ କରୁ ସେ ବାପାଙ୍କୁ କହିଲା ତାର ଯୋଜନା ସମ୍ପର୍କରେ । ତା’ କଥା ଶୁଣି ବାପା ଖୁବ୍ ହସିଲେ। କହିଲେ, ଯାହା ହେଉ, ତୁ ଜେଜେଙ୍କ ବିଷୟରେ ଏତିକି ଚିନ୍ତା କରୁଛୁ ସେଇଟା ବଡ଼କଥା। ତେବେ ତୁ ଏନେଇ ଚିନ୍ତିତ ହେବା ଦରକାର ନାହିଁ। ଆମେ ଏକାଠି ଯିବା। କେବଳ ଖରାଛୁଟିକୁ ଟିକିଏ ଅପେକ୍ଷା କର। ସ୍କୁଲ ଛୁଟିହେଲେ ତୁ, ମୁଁ ଆଉ ଜେଜେ ଏକାଠି ଯିବା ଗଙ୍ଗାସ୍ନାନ ପାଇଁ। ସାନୁକୁ ବାପାଙ୍କ କଥା ବିଶ୍ୱାସ ହେଉନଥିଲା। ସେ ଭାବୁଥିଲା ବୋଧ ହୁଏ ବାପା ମଜା କରୁଛନ୍ତି।
ସତକୁ ସତ ଯେତେବେଳେ ଖରାଛୁଟି ହେଲା, ବାପା, ସାନୁ ଓ ଜେଜେଙ୍କୁ ନେଇ ବାହାରିଲେ ହରିଦ୍ୱାର। ଉତ୍କଳ ଏକ୍ସପ୍ରେସରେ ଭୁବନେଶ୍ୱରରୁ ସିଧା ହରିଦ୍ୱାର ପହଞ୍ଚିବା ପାଇଁ ଟିକେଟ କରାଯାଇଥିଲା। ପ୍ରଥମ ଥର ପାଇଁ ଏତେ ଲମ୍ବା ଟ୍ରେନ୍ ଯାତ୍ରା କରୁଥିବାରୁ ବେଶ୍ ଉତ୍ସାହିତ ଏବଂ ଉତ୍କଣ୍ଠିତ ଥିଲା ସାନୁ। ଭୁବନେଶ୍ୱରରୁ ହିଁ ନିଜର ଟିପାଖାତାରେ ସେ ଲେଖିବା ଆରମ୍ଭ କଲା। ଟ୍ରେନରେ ଗୋଟିଏ ପରେ ଗୋଟିଏ ଷ୍ଟେସନ ଅତିକ୍ରମ କଲାବେଳେ ସେ ସବୁ ଷ୍ଟେସନର ନାଁ ଲେଖି ଚାଲିଥିଲା ସାନୁ। ପ୍ରତି ଷ୍ଟେସନ ପରେ ଜେଜେଙ୍କୁ କହୁଥିଲା, ସେ ଷ୍ଟେସନର ନାଁ। ଯେତେବେଳେ ଟ୍ରେନରେ ଯାତ୍ରା ସମୟରେ ରାତି ହୋଇଗଲା, ସାନୁର ବଡ଼ ମନଦୁଃଖ। କାହିଁକି ନା ଏଣିକି ଆଉ ରାତିରେ କେଉଁ ଷ୍ଟେସନ୍ ଗଲା, ତାହା ଜାଣି ହେବନି। ତେଣୁ ସେ ବାପାଙ୍କୁ କହୁଥିଲା, ରାତି ପାହିଲା ବେଳକୁ କେଉଁ ସବୁ ଷ୍ଟେସନ ଗଲା, ତାହା ଜଣେଇବା ତମ କାମ। ମୋ ତାଲିକା ପୂରଣ ହେବା ଦରକାର। ବାପା ତାକୁ ବୁଝାସୁଝା କରି ଶୁଆଇ ଦେଲେ। ପାଖାପାଖି ଦେଢ଼ ଦିନର ଯାତ୍ରା ପରେ ଗାଡ଼ି ପହଞ୍ଚିଲା ଦିଲ୍ଲୀରେ। ସାନୁ ଯେତିକି ଖୁସି ନଥିଲା, ତାଠୁ ବେଶୀ ଖୁସି ଥିଲେ ଦେବୀଚରଣ। ଦିଲ୍ଲୀରେ ପ୍ରଥମ ଥର ପାଇଁ ସେ ପହଞ୍ଚିଛନ୍ତି। ସେ କହିଲେ, ଦେଶ ସ୍ୱାଧୀନ ହେଲାବେଳକୁ ଜବାହରଲାଲ ଏଇଠି ହିଁ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ସେତେବେଳେ ବଡ଼ ଇଚ୍ଛାଥିଲା, ଦିଲ୍ଲୀ ଆସି ଦେଶର ସ୍ୱାଧୀନତା ଉତ୍ସବ ଦେଖିବା ପାଇଁ। ହେଲେ ଆମେ ଗାଁ ଗହଳିଆ ଲୋକ। ତା’ ଛଡ଼ା ଗାଡ଼ି ମୋଟରର କୋଉ ଏଭଳି ବ୍ୟବସ୍ଥା ଥିଲା ଯେ, ମୁଁ ଆସିପାରିଥାନ୍ତି। ସେଥିପାଇଁ ତ, ଯେତେବେଳେ ନେହରୁ ଭୁବନେଶ୍ୱର ଆସିଥିଲେ, ତାଙ୍କୁ ଦେଖିବା ପାଇଁ ମୁଁ ଗାଁରୁ ଚାଲି ଚାଲି ଆସି ଯାଇଥିଲି। ସାନୁ କହୁଥିଲା, ଗାଁକୁ ଫେରିଲେ ମୁଁ ସମସ୍ତଙ୍କୁ କହିବି, ମୋର ଦିଲ୍ଲୀ ଯାତ୍ରା ସମ୍ପର୍କରେ।
ପ୍ରାୟ ଦୁଇ ଦିନର ଟ୍ରେନ୍ ଯାତ୍ରା ପରେ ଶେଷରେ ହରିଦ୍ୱାରରେ ପହଞ୍ଚିଲେ ସାନୁ, ବାପା ଓ ଜେଜେ। ତିନିହେଁ ଗୋଟିଏ ଧର୍ମଶାଳାକୁ ଚାଲିଲେ। ସେଠାରେ ସେମାନଙ୍କ ପାଇଁ ଗୋଟିଏ କୋଠରୀ ପୂର୍ବରୁ ନିର୍ଦ୍ଧାରିତ ହୋଇ ରହିଥିଲା। ଅବଶ୍ୟ ଏଥିପାଇଁ ଚିଠି ଲେଖି ପୂର୍ବରୁ ଜଣାଇଥିଲେ ସାନୁର ବାପା। ଧର୍ମଶାଳାରେ ନିତ୍ୟକର୍ମ ସାରି ସେମାନେ ପହଞ୍ଚିଲେ ଗଙ୍ଗାକୂଳରେ। ହରକିପୌଡ଼ିରେ ଥିବା ଗଙ୍ଗାମାତା ମନ୍ଦିରରେ ଗଙ୍ଗା ଆରତୀ ଦେଖି ଆନନ୍ଦରେ ଗଦଗଦ ହୋଇଯାଇଥିଲେ ଦେବୀଚରଣ। ସେଦିନ ଗଙ୍ଗା ଦର୍ଶନ ଓ ଗଙ୍ଗା ଆରତୀ ଦର୍ଶନ ପରେ ସେହି ଅଞ୍ଚଳରେ ହିଁ କିଛି ଖାଇପିଇ ଧର୍ମଶାଳାକୁ ଫେରିଗଲେ ସେମାନେ। ପରଦିନ ସକାଳୁ ସେମାନେ ପୁଣି ଗଙ୍ଗାକୂଳକୁ ଆସିବେ ଗଙ୍ଗାସ୍ନାନ, ତର୍ପଣ ଏବଂ ପୂଜାପାଠ ପାଇଁ। ଧର୍ମଶାଳାର କୋଠରୀ ଭିତରେ ସାନୁ ଓ ବାପା ଶୋଇଯାଇଥିଲେ। କିନ୍ତୁ ଦେବୀଚରଣଙ୍କ ଆଖିରେ ନିଦ ନଥିଲା। ସେ ଭାବୁଥିଲେ କେବଳ ଗଙ୍ଗା କଥା। ତାଙ୍କ ମନଟା ଏକପ୍ରକାର ଅବ୍ୟକ୍ତ ଆନନ୍ଦରେ ପୂରି ଉଠୁଥିଲା। ତାଙ୍କ ବାପା ଜେଜେବାପା କେବେ ଗଙ୍ଗାଦର୍ଶନ ଓ ଗଙ୍ଗାସ୍ନାନ ପାଇଁ ଆସିପାରିନଥିଲେ। ଆଜି ତାଙ୍କୁ ସେ ସୁଯୋଗ ମିଳିଛି । ସେହି ଆନନ୍ଦକୁ ନେଇ କେତେବେଳେ ତାଙ୍କ ଆଖିରେ ନିଦ ଆସିଯାଇଥିଲା ସେ ଜାଣିନାହାନ୍ତି। ସକାଳୁ ସୂର୍ଯ୍ୟୋଦୟ ପୂର୍ବରୁ ଉଠି ତିନିହେଁ ଚାଲିଲେ ଗଙ୍ଗାକୂଳକୁ। ପ୍ରଥମ ଥର ପାଇଁ ତିନି ପୀଢ଼ିର ତିନି ଜଣ ଏକାସାଙ୍ଗରେ ଗଙ୍ଗାରେ ବୁଡ଼ ପକାଇଲେ। ପାଣି ଭିତରୁ ବୁଡ଼ି ଉପରକୁ ଉଠିବା ପରେ କାନ୍ଦି ଉଠିଲେ ଦେବୀଚରଣ। କହିଲେ, ହେ ମାଆ ପତିତପାବନୀ, ମୋର କି ସୌଭାଗ୍ୟଥିଲା ଯେ, ମୁଁ ଆଜି ତୋ ପବିତ୍ର ଜଳରେ ସ୍ନାନ କରିପାରୁଛି। ମାଆ ଲୋ .. ମୋ ବାପା, ଜେଜେବାପା ସମସ୍ତଙ୍କ ଇଚ୍ଛାଥିଲା ତୋ କୋଳକୁ ଆସି ଏଇଠି ତୋର ଦର୍ଶନ କରି ସ୍ନାନ କରିବାକୁ। ଆଜି ସେମାନଙ୍କ ଉଦ୍ଦେଶ୍ୟରେ ମୁଁ ଏ ଜଳାଞ୍ଜଳି ଅର୍ପଣ କରୁଛି। ମାଆ .. ମୋ ପିତୃପୁରୁଷଙ୍କୁ ତୁ ମୋକ୍ଷ ପ୍ରଦାନ କରିବୁ ମାଆ। ସେମାନଙ୍କ ଉଦ୍ଦେଶ୍ୟରେ ସମର୍ପିତ ମୋର ଏ ଜଳାଞ୍ଜଳି ସେମାନଙ୍କୁ ଅର୍ପଣ କରିଦେବୁ ମାଆ। ଏତିକି କହି, ପୁଣି ପାଣିରେ ବୁଡ଼ ପକାଇଲେ ଦେବୀଚରଣ। ତା’ ପରେ କଣ ଭାବିଲେ କେଜାଣି, ସେହି ଓଦା ଜୁଡୁବୁଡୁ ଦେହରେ କୂଳକୁ ଉଠିଆସି ନିଜ ଝୁଲାମୁଣିରୁ ବାହାର କଲେ ସେହି ଡବାଟି। ଯେଉଁ ଡବାରେ ଥିଲା ତାଙ୍କର ଝଡ଼ି ପଡ଼ିଥିବା ବାରଟି ଦାନ୍ତ। ସେହି ଦାନ୍ତଗୁଡ଼ିକୁ ଗଙ୍ଗାର ଧାର ଭିତରକୁ ଫିଙ୍ଗିଦେଇ ପୁଣି ଗୋଟିଏ ମୁଣ୍ଡିଆ ମାରିଲେ ଦେବୀଚରଣ। ଏ ଦୃଶ୍ୟ ଦେଖି ଜୋରରେ ହସିଉଠିଲା ସାନୁ। କହିଲା, ଜେଜେ ତମେ ଗଙ୍ଗାସ୍ନାନ କଲ, ପିତୃପୁରୁଷଙ୍କୁ ଜଳାଞ୍ଜଳି ଦେଲ, ସେ ସବୁ ଠିକ୍ ଅଛି। ହେଲେ ତମେ ଯେଉଁ ନିଜ ଦାନ୍ତଗୁଡ଼ିକୁ ଗଙ୍ଗାରେ ବିସର୍ଜନ କଲ, ତାର କାରଣ କଣ? ଏହା ଶୁଣି ପାକୁଆ ପାଟିରେ ହସି ହସି ଉତ୍ତର ଦେଲେ ଜେଜେ, କହିଲେ ତୁ ବୁଝିପାରିବୁନି। ଯଦି କାହାର ବିୟୋଗ ହୁଏ, ତେବେ ତାର ଅସ୍ଥିକୁ ଗଙ୍ଗାରେ ବିସର୍ଜନ କରିବା ପରମ୍ପରା ରହିଛି ଆମ ଶାସ୍ତ୍ରରେ। ସେହି ଅନୁସାରେ ମୁଁ ମୋର ବିୟୋଗ ପୂର୍ବରୁ ହିଁ ମୋର ଏ ଦାନ୍ତସବୁକୁ ଗଙ୍ଗାଜଳରେ ବିସର୍ଜନ କରୁଛି। ଏଇଟା ମୋର ଆନନ୍ଦ। ମୁଁ ମରିବା ପୂର୍ବରୁ ଅନ୍ତତଃ ଏହି ସନ୍ତୁଷ୍ଟିର ସହ ମରିବି ଯେ, ମୋର ଅସ୍ଥି ଗଙ୍ଗାରେ ପୂର୍ବରୁ ହିଁ ବିସର୍ଜିତ ହୋଇଛି। ଏହି କଥା ଶୁଣି ପୂର୍ବରୁ ଜୋରରେ ହସୁଥିବା ସାନୁ ଓ ବାପା ଉଭୟେ ଚୁପ୍ ହୋଇଯାଇଥିଲେ। ଗଙ୍ଗାସ୍ନାନ ଏବଂ ଗଙ୍ଗାଦର୍ଶନକୁ ନେଇ ଦେବୀଚରଣଙ୍କ ଭିତରେ ଥିବା ଆବଗକୁ ସେମାନେ ଅନୁଭବ କରିବାକୁ ଚେଷ୍ଟା କରୁଥିଲେ।
ମିଡିଆ ଷ୍ଟଡିଜ୍
ବିଭାଗୀୟ ମୁଖ୍ୟ
ୟୁନିଭରସିଟି ଇନଷ୍ଟିଚ୍ୟୁଟ୍ ଅଫ୍ ମିଡିଆ ଷ୍ଟଡିଜ୍
ଚଣ୍ଡୀଗଡ଼ ୟୁନିଭରସିଟି, ମୋହାଲି, ପଞ୍ଜାବ
ପିନ୍-୧୪୦୪୧୩
ଫୋନ୍- ୯୯୩୭୨୫୨୪୬୪
Comments are closed.