Latest Odisha News

BREAKING NEWS

ସୌରଭଙ୍କ ଆକଳନ ଏହି ୪ଟି ଟିମ୍ ଟି-୨୦ ବିଶ୍ବକପ ସେମିଫାଇନାଲରେ ଖେଳିବେ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଟି-୨୦ ବିଶ୍ୱକପରେ ଭାରତ ପାକିସ୍ତାନକୁ ହରାଇ ବିଜୟ ଅଭିଯାନ ଆରମ୍ଭ କରିଛି। ବିରାଟ କୋହଲିଙ୍କ ‘ବିରାଟ’ ଇନିଂସ ଦଳକୁ ଜିତାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି। ଆରମ୍ଭରୁ ଭାରତ ଗୋଟିଏ ପରେ ଗୋଟିଏ ଓ୍ୱିକେଟ ହରାଇବା ପରେ ମ୍ୟାଚରେ ପରାଜୟ ହେବ ବୋଲି ଆଶା କରାଯାଉଥିଲା। କିନ୍ତୁ ଶେଷ ଓଭରରେ ଟିମ୍ ଇଣ୍ଡିଆର ପ୍ରଦର୍ଶନ ବିଶ୍ବକପ ପାଇଁ ଭାରତ କେତେ ଫିଟ୍ ରହିଛି ତାହା ଦର୍ଶାଇଛି। ଏହାକୁ ନେଇ ଅନେକ ଏକ୍ସପର୍ଟ ପ୍ରତିକ୍ରିୟା ରଖୁଥିବା ବେଳେ ଇଣ୍ଡିଆ ଚୁଡେ ଚ୍ୟାନେଲକୁ ପ୍ରତିକ୍ରିୟା ଦେଇଛନ୍ତି ବିସିସିିଆଇର ପୂର୍ବତନ ସଭାପତି ସୌରଭ ଗାଙ୍ଗୁଲି। ଏଥିସହ ସେ ଆକଳନ କରିଛନ୍ତି ୪ଟି ଟିମ୍ ବିଶ୍ବକପ ସେମିଫାଇନାଲରେ ଖେଳିବେ।

ସେ କହିଛନ୍ତି, ଏବେ ଯାହା ଅତୀତ ହୋଇଯାଇଛି ତାକୁ ଧ୍ୟାନ ଦେବା ପରିବର୍ତ୍ତେ ଆଗାମୀ ସମୟ ଉପରେ ଗୁରୁତ୍ୱ ଦେବାକୁ ହେବ। ତେଣୁ ଏବେ ଟୁର୍ଣ୍ଣାମେଣ୍ଟ ଜିତିବା ପାଇଁ ଭାରତୀୟ ଟିମ୍ ପ୍ରସ୍ତୁତ ହେବା ଉଚିତ। ଏବେ କହିବା କଷ୍ଟକର ହେବ, କିନ୍ତୁ ଆମ ଦଳ ବହୁତ ଶକ୍ତିଶାଳୀ, ଦଳରେ ଆମର ବଡ଼ ହିଟର୍ ରହିଛନ୍ତି। ଟି -୨୦ କ୍ରିକେଟରେ ଫର୍ମରେ ରହିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

ସେ କହିଛନ୍ତି, ‘ମୋ ଆକଳନ ଅନୁଯାୟୀ ଭାରତ, ଦକ୍ଷିଣ ଆଫ୍ରିକା, ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ସେମିଫାଇନାଲରେ ପହଞ୍ଚିବେ। ଦକ୍ଷିଣ ଆଫ୍ରିକାର ଭଲ ବୋଲିଂ ରହିଛି, ଯାହା ସେମାନଙ୍କୁ ଅଷ୍ଟ୍ରେଲିଆରେ ବଡ ସାହାଯ୍ୟ କରିବ। ଆଶ୍ଚର୍ଯ୍ୟର କଥା ହେଉଛି ଗତ ବର୍ଷ ଫାଇନାଲରେ ପ୍ରବେଶ କରିଥିବା ନ୍ୟୁଜିଲ୍ୟାଣ୍ଡ ଦଳକୁ ସୌରଭ ଗାଙ୍ଗୁଲି ସେମିଫାଇନାଲ ତାଲିକାରେ ରଖି ନାହାନ୍ତି। କିନ୍ତୁ କିଓ୍ୱି ଟିମ୍ ଘରୋଇ ଟିମକୁ ପ୍ରଥମ ମ୍ୟାଚରେ ୮୯ ରନରେ ପରାସ୍ତ କରି ସାରିଛି।

ଉଲ୍ଲେଖଯୋଗ୍ୟ, ଅଷ୍ଟ୍ରେଲିଆ ପ୍ରଥମ ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡଠୁ ହାରାଛି। ଅନ୍ୟପକ୍ଷରେ ଇଂଲଣ୍ଡ ଏକ ରୋମାଞ୍ଚକର ମ୍ୟାଚରେ ଆଫଗାନିସ୍ତାନକୁ ପରାସ୍ତ କରିଛି। ଭାରତ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ଚାରି ୱିକେଟରେ ପରାସ୍ତ କରିଥିବାବେଳେ ଦକ୍ଷିଣ ଆଫ୍ରିକା ଦଳ ସୋମବାର ପ୍ରଥମ ମ୍ୟାଚରେ ଜିମ୍ବାୱେ ସହିତ ଖେଳିବାକୁ ଯାଉଛି।

Leave A Reply

Your email address will not be published.