Latest Odisha News

କଳିଙ୍ଗା ଘାଟି ଦୁର୍ଘଟଣା;୧୨ ଆହତଙ୍କୁ ଘରକୁ ପଠାଇଲା ଗଞ୍ଜାମ ପ୍ରଶାସନ

ବ୍ରହ୍ମପୁର: କଳିଙ୍ଗା ଘାଟିରେ ଟୁରିଷ୍ଟ ବସ୍‌ ଦୁର୍ଘଟଣାରେ ଆହତଙ୍କ ଚିକିତ୍ସା ବ୍ରହ୍ମପୁର ବଡ଼ ମେଡ଼ିକାଲରେ ଚାଲିଥିଲା । ଗୁରୁବାର ପଶ୍ଚିମବଙ୍ଗ ସରକାରଙ୍କ ଏକ ଉଚ୍ଚ ସ୍ତରୀୟ ଟିମ୍‌ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ଆସି ଆହତଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ । ଏହି ଟିମ୍‌ରେ ଥିଲେ ହାଓଡ଼ା ଜିଲା ଉଲବେରିଆ ଉପଖଣ୍ଡିୟ ବିପର୍ଯ୍ୟୟ ପରିଚାଳନା ଅଧିକାରୀ ଲକ୍ଷ୍ମୀକାନ୍ତ ଦେ ଏବଂ ଡିଏସ୍‌ପି ସୁବ୍ରତ ଭୌମିକ୍।

ବ୍ରହ୍ମପୁର ଉପଜିଲାପାଳ ୱି.କିର୍ତ୍ତି ଭାସନ, ସହାୟକ ଜିଲ୍ଲାପାଳ ବିଦୋନ ବେହେରା, ସର୍ଜରୀ ବିଭାଗ ମୁଖ୍ୟ ପ୍ରଫେସର ଡା. ଚରଣ ପଣ୍ଡା, ପ୍ରଫେସର ଡା.ଏସ୍ ବି ଦାଶଙ୍କ ସହ ବହୁ ଅଧିକାରୀଙ୍କ ସହ ଆହତଙ୍କୁ ଭେଟିଥିଲେ। ଜିଲା ପ୍ରଶାସନର ଅଧିକାରୀ ଏବଂ ଚିକିତ୍ସା କରୁଥିବା ଡାକ୍ତରଙ୍କ ସହ ଆଲୋଚନା କରିଥିଲେ ।

ଯେଉଁମାନେ ସୁସ୍ଥ ହେଲେଣି, ସେମାନଙ୍କୁ ଘରକୁ ପଠାଇବା ନେଇ ଗୁରୁତ୍ବ ଦିଆଯାଇଥିଲା । ଆହତମାନେ ଚିକିତ୍ସା ବ୍ୟବସ୍ଥା ଏବଂ ସ୍ଥାନୀୟ ପ୍ରଶାସନର ଦାୟିତ୍ବବୋଧତାକୁ ପ୍ରଶଂସା କରିଥିଲେ । ଅପରାହ୍ନରେ ପଶ୍ଚିମବଙ୍ଗରୁ ଆସିଥିବା ଦୁଇ ଅଧିକାରୀ, ସହକାରୀ ଜିଲାପାଳା ବିନୋଦ ବେହେରା ଏବଂ ହସ୍ପିଟାଲ୍ ମ୍ୟାନେଜର ଅମିତାଭ ମହାନ୍ତି ଆହତଙ୍କୁ ଭେଟି କେଉଁ ମାନେ କୋଲକାତା ଯିବାକୁ ଚାହୁଁଛନ୍ତି ପଚାରି ବୁଝିଥିଲେ ।

୧୨ଜଣଙ୍କୁ କୋଲକାତା ସ୍ଥାନାନ୍ତର କରିବାକୁ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଥିଲା । ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଓ ବ୍ରହ୍ମପୁର ଉପଜିଲାପାଳ ୱି.କିର୍ତ୍ତି ଭାସନ ହସ୍ପିଟାଲ୍‌ରେ ପହଞ୍ଚି ସେମାନଙ୍କୁ ବିଦାୟ ଦେଇଥିଲେ। ପ୍ରଶାସନ ପକ୍ଷରୁ ଆମ୍ବୁଲାନ୍ସ ଓ ବସ୍‌ର ବ୍ୟବସ୍ଥା କରାଯାଇଥିଲା। ଏହା ପୂର୍ବରୁ ବୁଧବାର ୩ଜଣଙ୍କୁ ଘରକୁ ପଠାଯାଇଥିଲା । ଆଉ ୩ଜଣଙ୍କ ଚିକିତ୍ସା ଚାଲିଛି।

Leave A Reply

Your email address will not be published.