ଗଞ୍ଜାମ:ଦୁର୍ଗମ ଅଞ୍ଚଳରେ ବସବାସ କରୁଥିବା ଗର୍ଭବତୀ ମହିଳା ଓ ଶିଶୁଙ୍କ ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଅଭିନବ ସେବା ଆରମ୍ଭ କରାଯାଇଛି। ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକର ଅପହଞ୍ଚ ଅଞ୍ଚଳରେ ‘ନିରୀକ୍ଷଣ ସାଥୀ’ ନାମକ ଏହି ଯୋଜନା ମାଧ୍ୟମରେ ଏବେ ମାଗଣା ଅଟୋ ଆମ୍ବୁଲାନ୍ସ ସେବା (Free Auto Ambulance Service) ଉପଲବ୍ଧ ହେବ।
ଗଞ୍ଜାମ ଜିଲ୍ଲାରେ ମୋଟ ୨୪୭ଟି ଅପହଞ୍ଚ ଅଞ୍ଚଳ ଚିହ୍ନଟ କରାଯାଇଛି। ଧରାକୋଟ ପରେ ଏହି ମାଗଣା ଅଟୋ ଆମ୍ବୁଲାନ୍ସ ସେବା ପାତ୍ରପୁର, ସୋରଡ଼ା ଏବଂ ଜଗନ୍ନାଥ ପ୍ରସାଦ ଭଳି ବ୍ଲକରେ ମଧ୍ୟ କାର୍ଯ୍ୟକାରୀ କରାଯିବ।
ଧରାକୋଟ ବ୍ଲକର ବଳରାମପୁର ଏବଂ ସାବା ପଞ୍ଚାୟତ ଭଳି ଅନେକ ସ୍ଥାନରେ ଭଲ ରାସ୍ତା ନଥିବାରୁ ଆମ୍ବୁଲାନ୍ସ କିମ୍ବା ବସ୍ ସେବା ପହଞ୍ଚିବା କଷ୍ଟକର ହୁଏ । ତେଣୁ ଜରୁରୀ ସମୟରେ ଗର୍ଭବତୀ ମହିଳାଙ୍କୁ ଖଟିଆରେ ବୋହି ମେଡିକାଲ ନିଆଯାଉଥିଲା। ଅନେକ ସମୟରେ ବିଳମ୍ବ ହେତୁ ଅତ୍ୟଧିକ ରକ୍ତସ୍ରାବ (Excessive bleeding) କାରଣରୁ ମାଆ ଓ ଶିଶୁଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହେଉଥିଲା। ଏହି ସମସ୍ୟାର ସମାଧାନ ପାଇଁ ‘ନିରୀକ୍ଷଣ ସାଥୀ’ ଯୋଜନା ଏବେ ଏକ ବଡ଼ ସାହାରା ପାଲଟିବ।
ଏହି ସେବାକୁ ସୁବ୍ୟବସ୍ଥିତ କରିବା ପାଇଁ ପ୍ରଶାସନ ପକ୍ଷରୁ ଏକ ସ୍ୱତନ୍ତ୍ର ନିରୀକ୍ଷଣ ଆପ୍ (Nirikhya App) ଏବଂ ହେଲ୍ପଲାଇନ ନମ୍ବର ଜାରି କରାଯାଇଛି। ଗର୍ଭବତୀ ମହିଳାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଠାରୁ ଆରମ୍ଭ କରି ପ୍ରସବ ଏବଂ ଶିଶୁକୁ ଏକ ବର୍ଷ ହେବା ଯାଏଁ ସବୁ ସମୟରେ ମାଗଣା ପରିବହନ ସେବା ମିଳିବ। ଏହି ବ୍ୟବସ୍ଥା ଦ୍ୱାରା ଉଭୟ ମାତୃ ମୃତ୍ୟୁ ହାର (MMR) ଏବଂ ଶିଶୁ ମୃତ୍ୟୁ ହାର (IMR) ହ୍ରାସ କରିବାକୁ ଲକ୍ଷ୍ୟ ରଖାଯାଇଛି ।