ଛତ୍ରପୁର: ପାର୍ବଣ ଋତୁରେ ଜୁଆ ଖେଳ ଉପରେ ଗଞ୍ଜାମ ପୋଲିସର କଡ଼ା କାର୍ଯ୍ୟାନୁଷ୍ଠାନ । ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରେ ଚଢ଼ାଉ କରି ୨୨ଟି ଜୁଆ ମାମଲା ରୁଜୁ କରାଯାଇଥିବାବେଳେ ମୋଟ ୧୧୫ ଜଣଙ୍କୁ ଗିରଫ କରାଯାଇଛି। ଏହି ସୂଚନା ଦେଇଛନ୍ତି ଗଞ୍ଜାମ ଏସପି ହରିଶ ବିଶି । କେ.ଏସ୍.ନଗର, ପୋଲସରା, ଆସିକା, ସୋରଡ଼ା, ବଡ଼ଗଡ଼, ଶେରଗଡ଼, ଧରାକୋଟ, ଗଞ୍ଜାମ, ରମ୍ଭା, ଭଞ୍ଜନଗର, ଗାଙ୍ଗପୁର, ଜେ.ଏନ୍.ପ୍ରସାଦ ଓ ତାରସିଂ ଥାନା ଅଞ୍ଚଳରେ ଏହି ଚଢ଼ାଉ କରାଯାଇଥିଲା ।
ସୂଚନାନୁସାରେ, ପୋଲିସ ପକ୍ଷରୁ ହୋଇଥିବା ଚଢ଼ାଉରେ ଜୁଆ ଖେଳରେ ୨ ଲକ୍ଷ ୮ ହଜାର ୩୪୫ ଟଙ୍କା, ୩୬ଟି ମୋବାଇଲ ଫୋନ୍ ଏବଂ ୧୪ଟି ମୋଟରସାଇକେଲ ଜବତ କରାଯାଇଛି। ଏଥିସହ ବହୁ ପରିମାଣର ତାସ ମଧ୍ୟ ଜବତ ହୋଇଛି।
ଜୁଆ ଓ ବେଆଇନ ଗତିବିଧି ବିରୋଧରେ ଆଗାମୀ ଦିନରେ ମଧ୍ୟ ଅଭିଯାନକୁ ଅଧିକ ଜୋରଦାର କରାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।

