Latest Odisha News

BREAKING NEWS

ମାଗଣା ଖିଆ

(ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’)

ବୃନ୍ଦାବନ ବାଡ଼ତ୍ୟାଙ୍କ ପାଞ୍ଚ ପୁଅ । ସବା ସାନକୁ ୧୭ ବର୍ଷ, ଆଉ ସବା ବଡ଼କୁ ୨୩ । ତା ମାନେ କହିବାକୁ ଗଲେ ବର୍ଷେ ଲେଖାଏଁ ଅନ୍ତରରେ ପାଞ୍ଚ ପୁଅ ଜନ୍ମ ଦେଇଥିଲେ ବୃନ୍ଦାବନଙ୍କ ସ୍ତ୍ରୀ । ଖାଲି ସେତିକି ନୁହେଁ, ବଡ଼ ପୁଅ ଆଗରୁ ଦୁଇଟା ଝିଅ, ଆଉ ସାନ ପୁଅ ପରେ ତିନିଟା ଝିଅ । ଏମିତି ଦଶ ଦଶଟା ପିଲା କବିଲାଙ୍କୁ ନେଇ ତାଙ୍କ ପରିବାର । ହେଲେ ପରିବାର ସିନା ବଢ଼ିଯାଇଛି, ସେ ଅନୁସାରେ କିନ୍ତୁ ଆୟ କାହିଁ । ପିଲାଙ୍କୁ ଠିକ୍ ରେ ଦିଓଳି ଖାଇବାକୁ ଦେବାକୁ ସମ୍ବଳ ନାହିଁ  ବୃନ୍ଦାବନଙ୍କର ।  ନିଜର ଚାରିଗୁଣ୍ଠ ଜମିରୁ ବା କେତିକି ମିଳିବ? ତେଣୁ ଏହି ପିଲାଙ୍କୁ ମଣିଷ କରିବାକୁ ଯାଇ ଉଭୟ ଦମ୍ପତି ଅନ୍ୟର ଜମିବାଡ଼ିରେ ମୂଲ ଲାଗନ୍ତି । ସେଥିରୁ ଯାହା ବି କିଛି ମୂଲ ମିଳେ ସେଥିରେ ଚାଉଳ, ଆଳୁ, ଶାଗ, ଶୁଖୁଆ କିଣି ଘର ଚଳେ । ଡାଲି ଖାଇବା ତ ସପନ ।

ବୃନ୍ଦାବନ ଭାବିଥିଲେ ଅଭାବୀ ସଂସାର । ଆଜି ଯଦି ଅଧିକ ପିଲା ଥିବେ, ହୁଏତ ସେମାନଙ୍କୁ ବଡ଼ କରିବାରେ କଷ୍ଟ କରିବାକୁ ପଡ଼ିବ, ହେଲେ ଥରେ ସେମାନେ ବଡ଼ହେଇଗଲେ ଦୁଃଖ ସରିଲା । ଯୋଉ କାମଟା ସେ ସ୍ୱାମୀ ସ୍ତ୍ରୀ କରିପାରୁନଥିଲେ ତାକୁ ତ ଦଶ ଜଣଙ୍କ କୋଡ଼ିଏ ହାତ ଲାଗିଲେ ସହଜରେ କରିହେବ । ଏମିତି କେତେ ଆଶା ନେଇ ଉଭୟେ ବଡ଼ କରିଥିଲେ ପିଲାଙ୍କୁ । ହେଲେ ପିଲାମାନେ ବଡ଼ ହେଇ ବୃନ୍ଦାବନଙ୍କ ଦୁଃଖ ନେବା ତ ଦୂରର କଥା, ଓଲଟା ବୋଝ ଉପରେ ନଳିତା ବିଡ଼ା ଲଦିଛନ୍ତି । ପର ଜମିରେ ଖଟି ଖଟି ଆରପାରିକୁ ଚାଲିଗଲେଣି ବୃନ୍ଦାବନଙ୍କ ପତ୍ନୀ । ଏବେ ମାତ୍ର ପଞ୍ଚାବନ ବର୍ଷ ବୟସରେ ବୃନ୍ଦାବନ ବୁଢ଼ା । ଆଉ କାମ କରିବାକୁ ବଳ ପାଉନି । ଦୁଃଖ କହିବେ ତ, କାହା ଆଗରେ କହିବେ ? ଅନ୍ୟମାନଙ୍କ ଅଲକ୍ଷ୍ୟରେ କେବଳ ନିଜ ଲୁହ ନିଜ ହାତ ପଛରେ ପୋଛିବା ବ୍ୟତୀତ ଆଉ କିଛି ଉପାୟ ନାହିଁ ।

ଦଶ ପିଲାଙ୍କ ଭିତରୁ କେବଳ ସାନଝିଅଟା ଗାଁ ସ୍କୁଲକୁ ଯାଉଛି । ତା ପୁଣି ଖରାବେଳେ ଖାଇବା ଛୁଟିରେ ମଧ୍ୟାହ୍ନ ଭୋଜନ ମିଳୁଛି ବୋଲି । ତା ନହେଲେ ତାର ପାଠ ପଢ଼ିବାର କୌଣସି ଲକ୍ଷଣ ନାହିଁ । ଅନ୍ୟ ଚାରି ଝିଅ ପର ଲୋକଙ୍କ ଜମିରେ ମୂଲ ଲାଗିବାକୁ ଯାଉଛନ୍ତି । ହେଲେ ପାଞ୍ଚ ପୁଅଙ୍କ କାହାଣୀ ଅଲଗା । ଗାଁ ମୁଣ୍ଡ ବରଗଛ ଚାନ୍ଦିନୀ ଉପରେ ଦିନ ତମାମ ତାସ୍ ବାଡ଼ିଆ ଚାଲୁଛି । କିଏ ପାଟିରେ ଗୁଟୁଖା ଚୋବାଉଛି ତ ଆଉ କିଏ ମାଛି ଅନ୍ଧାରିଆରେ ଦେଶୀ ଭାଟିରୁ ଦି ଗିଲାସ ଚଢ଼େଇ ଦେଇ ଟୋକାଙ୍କ ସାଙ୍ଗରେ ମାତିଛି । ଏମିତି ଭେଣ୍ଡିଆ ପିଲାଙ୍କ ଫାଇଦା ଉଠାଇବା ପାଇଁ ତ କାଳ କାଳରୁ ନେତାଏ ଅନାଇ ବସିଛନ୍ତି । କରାଣ୍ଡି ପକାଇ ବାଳିଆ ଛାଟିବା ନ୍ୟାୟରେ କେବେ ବେକାର ଭତ୍ତାର ପ୍ରଲୋଭନ ଦେଖାଇ ତ ଆଉ କେତେବେଳେ ମାଗଣାରେ ଭୋଜି ଭାତ ପାର୍ଟି ପିକନିକର ବାହାନା ଦେଖାଇ ଏଇ ଟୋକାଙ୍କୁ କାମରେ ଲଗାଉଛନ୍ତି ସେମାନେ । ହେଲେ ଟୋକାପିଲାଏ ଜାଣିପାରୁନାହାନ୍ତି ଯେ, ସେମାନଙ୍କ କାନ୍ଧରେ ବନ୍ଧୁକ ରଖି ନେତାମାନେ ତପ୍ତ ବୈତରଣୀ ପାର୍ ହୁଅନ୍ତି । ଆଉ କାମ ସରିଗଲା ପରେ କେହି କାହାକୁ ପଚାରନ୍ତି ନାହିଁ ।

ସେଦିନ ଗାଁ ଜଙ୍ଗଲରୁ ଜାଳକାଠ ବିଡ଼ାଏ ମୁଣ୍ଡାଇ ଆଣିଲା ବେଳେ ଧଇଁସଇଁ ହୋଇଯାଉଥିଲେ ବୃନ୍ଦାବନ । ସକାଳୁ ନଖାଇ ବଣକୁ ଯାଇଥିବା ବୃନ୍ଦାବନଙ୍କ ହଂସା ଉଡ଼ିଯାଉଥିଲା ।  ହେଲେ ଗାଁ ମୁଣ୍ଡରେ ତାସ୍ ବାଡ଼ଉଥିବା ବଡ଼ପୁଅ କିନ୍ତୁ ଏସବୁ ଦେଖି ବି ଅଣଦେଖା କରିଦେଲା । ହତାଶ ବୃନ୍ଦାବନ କାଠ ବିଡ଼ାଟିକୁ ଘର ପନ୍ଦାଡ଼ ତଡ଼େ ପକେଇ ଦେଇ ଫାଁ ଗାଳି ପଡ଼ିଗଲେ । ବଡ଼ଝିଅ ଦୌଡ଼ି ଆସି ବାପା ମୁହଁରେ ପାଣି ଛିଞ୍ଚିଲା । ଢାଳେ ପାଣି ଢକ ଢକ ପିଇଗଲେ ବୃନ୍ଦାବନ । ହେଲେ ବହୁ ଦିନରୁ ମନ ଭିତରେ ଜମାଟ୍ ବାନ୍ଧି ରହିଥିବା କ୍ରୋଧକୁ ସେ ଆଉ ସମ୍ଭାଳି ପାରିଲେ ନାହିଁ । ସେହି କାଠବିଡ଼ାରୁ ବାଡ଼ିଖଣ୍ଡେ ଭିଡ଼ି ଆଣି ମାଡ଼ିଗଲେ ଗାଁ ମୁହଁ ଆଡ଼େ, ଯେଉଁଠି ଦୁଇଟି ଭିନ୍ନ ଭିନ୍ନ ଗୋଷ୍ଠୀ ସାଙ୍ଗରେ ତାଙ୍କ ପାଞ୍ଚ ପୁଅ ବାଡ଼ଉଥିଲେ ତାସ୍ । ରାଗ ତମ୍ ତମ୍ ବୃନ୍ଦାବନ ବଡ଼ପୁଅର ପିଠିକୁ ଦି ପାହାର କଷିଦେଲେ ବାଡ଼ିରେ । ତୃତୀୟ ପାହାର ପିଟିବା ଆଗରୁ ବଡ଼ ମଝିଆ ପୁଅ ଧରିଦେଲା ବାଡ଼ିଟାକୁ । ଏମିତି ଟାଣିନେଲା ଯେ, ପଡ଼ିନପଡ଼ି ହେଇଗଲେ ବୃନ୍ଦାବନ । ହେଲେ ସେ କିଛି କହିବା ପୂର୍ବରୁ ତାଙ୍କ ବଡ଼ ପୁଅ ଉଠିପଡ଼ି ଛାତି ଉପରକୁ ଧକ୍କାଟିଏ ମାରିଲା । ତଳେ ପଡ଼ିଗଲେ ବୃନ୍ଦାବନ । ଗାଁର ଅନ୍ୟ ଭେଣ୍ଡିଆ ପିଲାଏ ଏ ଦୃଶ୍ୟ ଦେଖୁଥାନ୍ତି ସିନା, କିନ୍ତୁ କେହି ଅଟକାଉ ନଥାନ୍ତି ।

ବୃନ୍ଦାବନଙ୍କ ବଡ଼ପୁଅ କହିଲା, ତମକୁ କିଏ କହିଥିଲା ଦଶଟା ପିଲା ଜନ୍ମ କରିବାକୁ? ଆମକୁ କଣ ଦେଇଛ ତମେ? ତମ କଥା କାହିଁକି ଶୁଣିବୁ ଆମେ? ତମେ କେବେ ଭାବିଛ, ତମଠୁ ଆମ ସରକାର କେତେ ଗୁଣରେ ଭଲ? ଆମକୁ ଟଙ୍କାକିଆ ଚାଉଳ ମିଳୁଛି । ମିଟୁ ଭାଇ (ଗାଁର ଯୁବନେତା) କହୁଥିଲେ, ଆମକୁ ଏଥର ଭୋଟ୍ ବେଳେ ଟିଭି, ଘର, ସମସ୍ତଙ୍କ ପାଇଁ ଡ୍ରେସ୍ ମିଳିବ । ଗ୍ୟାସ୍ ତ ଦେବେ ଦେବେ ବୋଲି ଅନେକ ଥର କହିଲେଣି । କୋଉ ଦିନ ବି ଗ୍ୟାସ୍ ମିଳିଯିବ । ଆଉ ତମ ପାଇଁ କାମ କରିବୁ କଣ ପାଇଁ? ହଁ .. ଝିଅ ବାହାଘର କଥା । ସେ କାମରେ ବି ସାହାଯ୍ୟ କରିବେ ସରକାର । ଶାଢ଼ୀ ଶଙ୍ଖାଠୁ ଆରମ୍ଭ କରି ଯୌତୁକ ବରଯାତ୍ରୀ ଖର୍ଚ୍ଚ ସବୁ କଥା ପାଇଁ ସରକାର ଅଛନ୍ତି । ଆଉ ଚିନ୍ତା କଣ ? ଯୋଉଠେ ମାଗଣାରେ ସବୁ ମିଳିବ, ସେଇଠେ କାମ କରିବା କଣ ଦରକାର? ହଁ .. ମନେରଖ, ଆଜି ଶେଷଥର ପାଇଁ ବାଡ଼େଇଦେଲ, ଆଉ ଦିନେ ଯଦି ହାତ ଉଠେଇଛ, ତାହେଲେ ସେଦିନ ଦେଖିବ । ଏ ବାପା ପଣିଆ ଆଉ କାହାକୁ ଦେଖେଇବ । ଇଛା ହେଲେ ରୁହ, ନହେଲେ ତମେ ବି ଘର ଛାଡ଼ି ଯାଇପାର । ଏତିକି କହି ପୁଣି ତାସ୍ ବାଡ଼େଇବାକୁ ବସିପଡ଼ିଲେ ପାଞ୍ଚ ଭାଇ । ଆଉ ଏପଟେ ଭୂଇଁରେ ପଡ଼ି ଏତେ ସମୟ ଧରି ପୁଅ କୁଳନନ୍ଦନର ଦୀକ୍ଷାନ୍ତ ଭାଷଣ ଶୁଣୁଥିବା ବୃନ୍ଦାବନ ମୁଣ୍ଡକାନ ଆଉଁସି ଝାଡ଼ିଝୁଡ଼ି ହୋଇ ଉଠିଲେ । ତାଙ୍କ ପେଟର ଭୋକ କୁଆଡ଼େ ଉଭେଇ ଯାଇଥିଲା । ସେ ମନେ ମନେ କହୁଥିଲେ, ହଁ .. ଯିଏ ମାଗାଣା ଖିଆ (ମାଗିଖିଆ) ହେଇ ଆନନ୍ଦ ପାଇସାରିଛି, ସିଏ ଲାଗିଖିଆ ହେବା କଥା କାହିଁକି ବା ଚିନ୍ତା କରିବ? …

ବିଭାଗୀୟ ମୁଖ୍ୟ, ୟୁନିଭରସିଟି ଇନଷ୍ଟିଚ୍ୟୁଟ୍ ଅଫ୍ ମିଡିଆ ଷ୍ଟଡିଜ୍, ଚଣ୍ଡୀଗଡ଼ ୟୁନିଭରସିଟି, ମୋହାଲି, ପଞ୍ଜାବ । ଫୋନ୍- 9937252464           

Leave A Reply

Your email address will not be published.