ବାହୁଡ଼ିବ କି ବୋହୂଚୋରି?

(ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’)

ଅନେକ ଦିନ ପରେ ଏଥର ମୁଁ ଗାଁକୁ ଯାଇଥିଲି । ଗାଁରେ ପହଞ୍ଚିଲା ବେଳକୁ ବେଳ ନଇଁ ଆସୁଥିଲା। ଗାଁ ଛକରେ ବସରୁ ଓହ୍ଲାଇଲା ବେଳକୁ ବଡ଼ ଉତ୍କଣ୍ଠାର ସହିତ ଅପେକ୍ଷା କରିଥିଲେ ମୋ ସାନଭାଇ ଆଉ ଭଣଜା । ଭଣଜାର ନାଁ ଯଦିଓ ଧର୍ମଦତ୍ତ, ମୋ ବାପା କିନ୍ତୁ ତାକୁ ଗେଲାରେ ଡାକନ୍ତି ଚୁଙ୍ଗା । ତେଣୁ ତାକୁ ତା ନାଁରେ କେହି ଡାକନ୍ତିନି । ସମସ୍ତେ ତାକୁ ସେହି ଚୁଙ୍ଗା ବୋଲି ହିଁ ଡାକନ୍ତି। ବଡ଼ ଚଞ୍ଚଳିଆ ପିଲାଟେ । ପାଠପଢ଼ା ଯେମିତି ଖେଳକୁଦ ବି ସେମିତି । ଏଇ ନଅ-ଦଶ ବର୍ଷର ହେବ । ମୋ ସୁଟକେସଟିକୁ ମୋ ସାନଭାଇ ଉଠେଇଲା ବେଳକୁ, ଚୁଙ୍ଗା ମୋ ହାତରୁ ହାତବ୍ୟାଗଟା ଧରିବାକୁ ଟାଣିଲାଣି । ମୁଁ କହିଲି, ଆରେ ଚୁଙ୍ଗା, ତୁ ଏତେ ତରତର ହେଉଛୁ କାହିଁକି? ତୋର କିଛି କାମ ଅଛି କି ? ରହ, ଟିକିଏ ଧୀରେ ଧୀରେ ଚାଲିଲେ ହେବନି ?

ଚୁଙ୍ଗା କହିଲା, କଥା କଣ କି ମାମୁ, ଆଜି ଅଣ୍ଡରଟେକର୍ ଆଉ ଗ୍ରେଟ୍ ଖଲିର ଫାଇଟିଂ ଅଛି ତ । ସେଥିପାଇଁ ଟିକେ ଜଲଦି ଯିବାକଥା କହୁଛି । ମୁଁ ହଠାତ୍ କିଛି ବୁଝିପାରିଲିନି । କୋଉ ଅଣ୍ଡରଟେକର, କୋଉ ଖଲି, କାହା କଥା କହୁଛି ଚୁଙ୍ଗା? ପୁଣି କୋଉ ଫାଇଟିଂ କଥା କହୁଛି ଇଏ? ମୁଁ ପଚାରିଲି କି ଫାଇଟିଂ କଥା କହୁଛୁ?ଚୁଙ୍ଗା ବଡ଼ ଜୋରରେ ହସିଲା । କହିଲା, ମାମୁ .. ତମେ ଦିଲ୍ଲୀରେ ରହୁଛ, ଅଥଚ ଅଣ୍ଡରଟେକର କି ଗ୍ରେଟ୍ ଖଲିକୁ ଜାଣିନ? ଟିଭିରେ ଦେଉଛି ସନ୍ଧ୍ୟା ୫ଟାରେ । କି ଫାଇଟିଂ ମାମୁ । ତମେ ଦେଖିଲେ ଆଉ ଛାଡ଼ିବନି । ତା ପରେ ଅଣ୍ଡରଟେକର ଆଉ ଖଲି ବିଷୟରେ ଭାଷଣ ଦେଇଚାଲିଲା ଚୁଙ୍ଗା । ମୁଁ କହିଲି, ଆଛା ହଉ ବାବା, ମତେ ଜଣାନାହିଁ । ଠିକ୍ ଅଛି । ତୁ ତ ଜାଣିଛୁ ନା । ଆଉ ଅସୁବିଧା କଣ? ତୁ ମତେ କହିଦେବୁନି । ଏତିକି କଥା ହେବା ଭିତରେ ଆମେ ଘରେ ପହଞ୍ଚି ଯାଇଥିଲୁ । ମୁଁ ଧୁଆଧୋଇ ହୋଇ ଗାଁ ସ୍କୁଲ ପଡ଼ିଆ ଆଡ଼େ ଟିକିଏ ବୁଲି ଆସିବାକୁ ବାହାରିପଡ଼ିଲି । ସେଠାରେ ପହଞ୍ଚିଲା ବେଳକୁ କେହି ଗୋଟିଏ ପିଲାର ଦେଖାନାହିଁ । ପଡ଼ିଆ ଖାଁ ଖାଁ । ପଡ଼ିଆର ଗୋଟିଏ କଡ଼ରେ ସ୍କୁଲ କାନ୍ଥକୁ ଲାଗି ଦଳେ ବୟସ୍କ ଲୋକ ଗପ କରୁଛନ୍ତି । ସେମାନଙ୍କ ପାଖକୁ ଗଲି । ଏତେ ଦିନ ପରେ ଗାଁକୁ ଫେରିଥିବାରୁ ମୋତେ ଦେଖି ସେମାନେ ବି ଖୁସି ହୋଇଗଲେ । ଭଲମନ୍ଦ କଥା ପଚାରିଲେ । ତେବେ ମୋ ପ୍ରଶ୍ନଟା ସେମାନଙ୍କୁ କାହିଁକି ଟିକିଏ ଅଡୁଆ ଲାଗିଲା । ମୁଁ ପଚାରିଲି, ପଡ଼ିଆ କଣ ଖାଁ ଖାଁ ଖାଲି । ପିଲାମାନେ ଖେଳିବାକୁ ଆସୁନାହାନ୍ତି କି? ସେମାନଙ୍କ ଭିତରୁ ଜଣେ କହିଲେ, ଆଜିକାଲି ଆଉ କେହି ଖେଳିବାକୁ ଆସୁନାହାନ୍ତି । ଗାଁରେ ଏବେ ଦଶଟା ଟିଉସନ ସାର୍ । ତେଣୁ ଅଧାପିଲା ଟିଉସନ୍ ପଢ଼ିବାକୁ ପଳାଉଛନ୍ତି । ବାକି ଯେତେକ ରହିଲେ, କିଏ ଟିଭି ଦେଖୁଛି ତ ଆଉ କିଏ ମୋବାଇଲରେ ଭିଡିଓ ଗେମ୍ ଖେଳୁଛି । ସେଥିପାଇଁ ପଡ଼ିଆକୁ ଆସି ଖେଳିବାକୁ କାହା ପାଖରେ ସମୟ ଅଛି? ମୁଁ ଆଉ କିଛି ନକହି ଘରକୁ ଫେରି ଆସିଲି । କେଜାଣି କାହିଁକି ମନଟା ଭାରି ଭାରି ଲାଗୁଥିଲା ।

ଘରେ ପହଞ୍ଚିଲା ବେଳକୁ ଟିଭିରେ ଚାଲିଥିଲା ଅଣ୍ଡରଟେକର ଆଉ ଗ୍ରେଟ ଖଲିର ଫାଇଟିଂ । ତାକୁ ଦେଖି ଖୁସିରେ କୁରୁଳି ଉଠୁଥିଲା ଚୁଙ୍ଗା । ଗୋଟେ ହାତରେ ଗିନାରେ ବାରମଜା, ଏପଟେ ଆର ହାତରେ ଟିଭିର ରିମୋଟ୍ । ସେହି ଫାଇଟିଂ ଦେଖିଲାବେଳେ ଚୁଙ୍ଗା ଥିଲା ଆଉ ଗୋଟିଏ ଦୁନିଆରେ । ତା ଅଜାଣତରେ ମୁଁ ଟିଭିର ସୁଇଚ୍ ଅଫ୍ କରିଦେଲି । ତା ପରର ଦୃଶ୍ୟ ଥିଲା କିଛି ଏମିତି । ହଠାତ୍ ଦୁଇ ହାତରେ ଥିବା ବାରମଜା ଓ ଟିଭି ରିମୋଟକୁ ଏକା ସାଙ୍ଗରେ ଫିଙ୍ଗିଦେଲା ଚୁଙ୍ଗା । କହିଲା, ଏତିକି ବେଳେ ହିଁ କରେଣ୍ଟ ଯିବାକୁ ଥିଲା । ସେ ଜାଣିନଥିଲା ଯେ, ଟିଭିଟା ମୁଁ ବନ୍ଦ କରିଦେଇଛି । ତା ରାଗ କହିଲେ ନସରେ । ସେ ଫଁ ଫଁ ହେଉଥିଲା । ଗର୍ଜି ଉଠୁଥିଲା । ମୁଁ ତାକୁ ପିଠି ଥାପୁଡ଼େଇ ବାରିପଟ ଆଡ଼େ ନେଇଗଲି । ପଚାରିଲି ତୁ ଆଉ ଖେଳିବାକୁ ଯାଉନୁ କି? ସେ ବଡ଼ ବିଚିତ୍ର ଦୃଷ୍ଟିରେ ମତେ ଦେଖିଲା । ଆଉ କହିଲା, ମାମୁ, ତମେ କୋଉ ଯୁଗରେ ଅଛ? ଏବେ କଣ ଆଉ କିଏ ଖେଳୁଛି? ଏବେ ସମସ୍ତେ ଟିଭିରେ ଫାଇଟିଂ ଦେଖୁଛନ୍ତି । କି ମଜା । ଖାଲି କଣ ସେତିକି, ମୁଁ ତ ମୋ ବାପାଙ୍କ ମୋବାଇଲରେ ଭିଡିଓ ଗେମ୍ ମଧ୍ୟ ଖେଳୁଛି । ଜାଣିଛ, ପଡ଼ିଆରେ ଖେଳିଲା ବେଳେ କେବେ କେମିତି ମୁଁ ଦଶ ବାର ରନ୍ କରିଦେଉଥିଲି । ହେଲେ ଆଜିଯାଏଁ କେବେ ବି ପନ୍ଦର ରନ୍ କରିନି । ଆଉ ମୋବାଇଲରେ ଖେଳିଲା ବେଳେ ମୁଁ ତ ସେଞ୍ଚୁରି, ହାଫ୍ ସେଞ୍ଚୁରି କେତେ ଥର ସ୍କୋର କରିଛି । ତମେ କହୁନ, ପଡ଼ିଆକୁ କାହିଁକି ଖେଳିବାକୁ ଯିବି?

ଚୁଙ୍ଗାକୁ ପାଖରେ ବସାଇ ମୁଁ ଗପିବା ଆରମ୍ଭ କଲି । କହିଲି, ଜାଣିଛୁ ତୁ, ଆମେ ପିଲାଦିନେ କଣ ଖେଳୁଥିଲୁ? ଆମ ପିଲାଦିନର ଖେଳ କଥା ଶୁଣିଲେ ତୋ ମନ ଖୁସି ହେଇଯିବ । ଚୁଙ୍ଗା ବଡ଼ ଉତ୍କଣ୍ଠାର ସହ ମୋ ଆଡ଼କୁ ଅନେଇଲା । ମୁଁ ଆରମ୍ଭ କଲି କହିବା । ଜାଣିଛୁ ଚୁଙ୍ଗା, ମୁଁ ଯେତେବେଳେ ଚାରି ପାଞ୍ଚ ବର୍ଷର ହେଇଥିଲି, ସେତେବେଳେ ଆମେ ଖେଳୁଥିଲୁ ଓଠ ଚିମୁଟା, ଲୁଣଶଗଡ଼, ବାଘ ଛେଳି, ଚାରିଗୁଲା, ଜହ୍ନିକଷି, ଧରିଧରିତା,ଲୁଚିଲୁଚିଆଣି (ଲୁଚକାଳି), ବିଷ-ଅମୃତ, ରାଜା-ମନ୍ତ୍ରୀ, ଝୁରିବଲ୍, ଖପରାର ବାସ୍କେଟବଲ୍ ଏମିତି କେତେକଣ । ଏସବୁ ଖେଳ ଖେଳିବା ପାଇଁ ଆମେ ଅନେଇ ପଡୁଥିଲୁ ସ୍କୁଲରେ । ଚାରିଟା ବେଳେ ସ୍କୁଲ ଛୁଟି ହେଉ ହେଉ ଆଖି ପିଛୁଳାକେ ଆମେ ସବୁ ଧାଉଁଥିଲୁ ଘରକୁ । ଘର ଭିତରକୁ ବସ୍ତାନିଟା ଫିଙ୍ଗି ଦେଇ, ତାପରେ ଦୌଡୁଥିଲୁ ବିଲମାଳ ପଡ଼ିଆକୁ । ତମ ପାଖରେ ଏବେ ଏତେ ବଡ଼ ସ୍କୁଲ ପଡ଼ିଆ ଅଛି । ସେମିତି ପଡ଼ିଆ ତ ଆମ ପାଖରେ ନଥିଲା । ତେଣୁ ପଡ଼ିଆ ପଡ଼ିଥିବା ବା ଫସଲ ନଥିବା ବିଲଥିଲା ଆମ ଖେଳପଡ଼ିଆ । ଯେତେବେଳ ଯାଏଁ ଜେଜେବାପା କି ଜେଜେ ମାଆ ଡାକ ପକାଉନଥିଲେ, ସେତେବେଳ ଯାଏଁ ଖେଳୁଥିଲୁ ଆମେ । ଖାଲି ସେତିକି ନୁହେଁ, ଚତୁର୍ଥ ପଞ୍ଚମ ଶ୍ରେଣୀକୁ ଗଲାପରେ ଖେଳିବା ଆରମ୍ଭ ହୋଇଯାଇଥିଲା ବାଗୁଡ଼ି, ବୋହୁଚୋରି, କବାଡ଼ି ସବୁକିଛି । ଛୁଟିଦିନରେ ଖରାବେଳେ ଖେଳିବାକୁ ଇଛା ହେଲେ, ମାଖଚିତ, ଧାଡ଼ିକି ଧୋକଡ଼ ଆଉ ବାଟିଖେଳ ଥିଲା ଆମର ପ୍ରିୟ । ଆଉ ଯେତେବେଳେ କ୍ରିକେଟ୍ ଖେଳିବାକୁ ଇଛା ହେଲା, ନଡ଼ିଆ ବାହୁଙ୍ଗାର ବ୍ୟାଟ୍ ଆଉ ପୁରୁଣା କନାର ବଲ୍ ଜିନ୍ଦାବାଦ୍ । ଆମ ପାଖରେ ଖେଳଣା ନଥିଲା, କିନ୍ତୁ ଖେଳିବା ପାଇଁ ଭରପୂର ସୁଯୋଗ ଥିଲା । ଇଚ୍ଛା ଥିଲା । ବୁଝିଲୁ ଚୁଙ୍ଗା, ଖେଳିଲେ ସିନା ତୋ ଶରୀର ଶକ୍ତିଶାଳୀ ହେବ ରେ। ନହେଲେ କଣ କରିବୁ । ମୋ କଥାଟା କାହିଁକି ଚୁଙ୍ଗାକୁ ଭଲ ଲାଗିଲା । ସେ ସଙ୍ଗେ ସଙ୍ଗେ କହିଲା, ମାମୁ, ମୋ ସାଙ୍ଗମାନଙ୍କୁ ନେଇ ମୁଁ କାଲି ପଡ଼ିଆକୁ ଯିବି । ହେଲେ ଗୋଟେ କଥା, ଆମକୁ ବୋହୂଚୋରି କଣ ଜଣା ହିଁ ନାହିଁ । ତମେ ଆମ ସାଙ୍ଗରେ ଆସିବ ନା? ଆମକୁ ବୋହୂଚୋରି ଶିଖେଇବ ନା? ମୁଁ କହିଲି ଠିକ୍ ଅଛି । ଯେତେଦିନ ଗାଁରେ ଅଛି, ନିଶ୍ଚୟ ତୁମମାନଙ୍କ ସାଙ୍ଗରେ ପଡ଼ିଆକୁ ଆସିବି । ପରଦିନ ସନ୍ଧ୍ୟାରେ ମୁଁ ଗାଁ ପଡ଼ିଆରେ ପହଞ୍ଚିଲା ବେଳକୁ ସାତ ଆଠ ଜଣ ପିଲା ଚୁଙ୍ଗା ସାଙ୍ଗରେ ସେଇଠି ପହଞ୍ଚି ସାରିଥିଲେ । ସେମାନଙ୍କ ଉତ୍ସାହ ଦେଖି ମୁଁ ଫେରିଯାଉଥିଲି ଚାଳିଶ ବର୍ଷ ତଳର ମୋ ପିଲାଦିନକୁ । ମୋ ଆଖି ଆଗରେ ନାଚିଉଠୁଥିଲେ ନଟିଆ, ମଙ୍ଗଳା, କପିଳା, ଶନିଆ, କାଶିଆ- ମୋ ପିଲାଦିନର ଯେତେ ସବୁ ସାଙ୍ଗ । …

ବିଭାଗୀୟ ମୁଖ୍ୟ, ୟୁନିଭରସିଟି ଇନଷ୍ଟିଚ୍ୟୁଟ୍ ଅଫ୍ ମିଡିଆ ଷ୍ଟଡିଜ୍, ଚଣ୍ଡୀଗଡ଼ ୟୁନିଭରସିଟି, ମୋହାଲି, ପଞ୍ଜାବ ଫୋନ୍- ୯୯୩୭୨୫୨୪୬୪