ରାୟଗଡ଼ା: ରାୟଗଡ଼ା ଜିଲ୍ଲା ସମେତ ସମଗ୍ର ଓଡ଼ିଶାରେ ବୃହତ୍ ଆଲୁମିନା ରିଫାଇନେରୀ ଏବଂ ଆନୁସଙ୍ଗିକ ଖଣିଜ ଶିଳ୍ପ ପ୍ରକଳ୍ପ ସ୍ଥାପନ ନେଇ ଚର୍ଚ୍ଚା ଜୋର ଧରିଛି। ଏହି ପରିପ୍ରେକ୍ଷୀରେ ଆଦାନୀ ଗ୍ରୁପ୍ର ଅଧ୍ୟକ୍ଷ ଗୌତମ ଆଦାନୀ ଏବଂ କରନ ଆଦାନୀଙ୍କ ରାୟଗଡ଼ା ଗସ୍ତ ଶିଳ୍ପ ମହଲରେ ନୂଆ ଉତ୍ସାହ ସୃଷ୍ଟି କରିଛି।
ଉଭୟ ଶିଳ୍ପପତି ଏବଂ କମ୍ପାନୀର ଉଚ୍ଚପଦସ୍ଥ ଅଧିକାରୀମାନେ ରାୟଗଡ଼ା ଜିଲ୍ଲା ଥେରୁବାଲି ସ୍ଥିତ ‘ଇମ୍ଫା’ କାରଖାନା ଗସ୍ତ କରିବା ସହ ଅଞ୍ଚଳର ବିପୁଳ ଖଣିଜ ସମ୍ପଦ, ଶିଳ୍ପ ସମ୍ଭାବନା ଓ ଭିତ୍ତିଭୂମି ସ୍ଥିତି ପରଖିଛନ୍ତି। ତେବେ ଗୌତମ ଆଦାନୀ ଓ କରନ୍ ଆଦାନୀ କେଉଁ କାରଣରୁ ରାୟଗଡ଼ା ଜିଲ୍ଲା ଗସ୍ତରେ ଆସିଥିଲେ ତାହାର କୌଣସି ସ୍ପଷ୍ଟୀକରଣ ମିଳିପାରିନାହିଁ।
ସୂଚନା ଅନୁଯାୟୀ, ଓଡ଼ିଶାରେ ଆଦାନୀ ଗ୍ରୁପ୍ ପକ୍ଷରୁ ଶିଳ୍ପାୟନ ଓ ପୁଞ୍ଜିନିବେଶର ଏକ ବଡ଼ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି। ଆଦାନୀ ଏଣ୍ଟରପ୍ରାଇଜେସ୍ ଏବଂ ୟୁଏଇ ଭିତ୍ତିକ କମ୍ପାନୀ ‘ଇଣ୍ଟରନ୍ୟାସନାଲ୍ ରିସୋର୍ସେସ୍ ହୋଲ୍ଡିଂ’ (ଆଇଆରଏଚ) ମଧ୍ୟରେ ମିଳିତ ଉଦ୍ୟୋଗରେ ପ୍ରାୟ ୧.୦୮ ଲକ୍ଷ କୋଟି ଟଙ୍କା ବ୍ୟୟରେ ଏକ ସମନ୍ୱିତ ଆଲୁମିନିୟମ ଇକୋସିଷ୍ଟମ (ଗ୍ରୀନଫିଲ୍ଡ ଆଲୁମିନିୟମ କମ୍ପ୍ଲେକ୍ସ) ଗଢ଼ିବାକୁ ଚୁକ୍ତି ହୋଇଛି।
ଏହି ପ୍ରକଳ୍ପରେ ବାର୍ଷିକ ୪ ମିଲିୟନ ଟନ କ୍ଷମତା ସମ୍ପନ୍ନ ଆଲୁମିନା ରିଫାଇନେରୀ, ୨ ମିଲିୟନ ଟନର ଆଲୁମିନିୟମ ସ୍ମେଲଟର, ୧ ମିଲିୟନ ଟନର ଡାଉନଷ୍ଟ୍ରିମ୍ ଆଲୁମିନିୟମ ପାର୍କ ସହ ୪,୦୦୦ ମେଗାୱାଟ୍ କ୍ଷମତାର କ୍ୟାପ୍ଟିଭ୍ ପାୱାର ପ୍ଲାଣ୍ଟ ଏବଂ ୪୦୦ ମେଗାୱାଟ୍ ଗ୍ରୀନ୍ ଏନେର୍ଜି ୟୁନିଟ୍ ସ୍ଥାପନ କରାଯିବ। ଏହା ବ୍ୟତୀତ ରାଜ୍ୟରେ ଏକ ବଡ଼ ଥର୍ମାଲ୍ ପାୱାର ପ୍ଲାଣ୍ଟ ଏବଂ ଡିଜିଟାଲ୍ ଡାଟା ସେଣ୍ଟର ପ୍ରତିଷ୍ଠା ନେଇ ମଧ୍ୟ ଗ୍ରୁପ୍ ଲକ୍ଷ୍ୟ ରଖିଛି।
ରାୟଗଡ଼ା ଓ ଏହାର ଆଖପାଖ ଅଞ୍ଚଳରେ ପ୍ରଚୁର ବକ୍ସାଇଟ୍ ମଜୁଦ ରହିଛି। ଏହି ବିପୁଳ ଖଣିଜ ସମ୍ପଦର ସଠିକ୍ ଉପଯୋଗ କରି ଆଦାନୀ ଗ୍ରୁପ୍ ପକ୍ଷରୁ ରାୟଗଡ଼ାରେ ପ୍ରାୟ ୪୧,୬୫୦ କୋଟି ଟଙ୍କା ବ୍ୟୟରେ ବାର୍ଷିକ ୪ ମିଲିୟନ ଟନ କ୍ଷମତା ସମ୍ପନ୍ନ ଆଲୁମିନା ରିଫାଇନେରୀ ଏବଂ ଆନୁସଙ୍ଗିକ ପାୱାର ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ପୂର୍ବରୁ ପ୍ରସ୍ତାବ ରହିଛି। ଥେରୁବାଲି ସ୍ଥିତ ଇମ୍ଫା ପରିସରକୁ ଆଦାନୀ ଗ୍ରୁପ୍ ଶୀର୍ଷ କର୍ତ୍ତୃପକ୍ଷଙ୍କ ଏହି ଗସ୍ତ ପରେ ଜିଲ୍ଲାରେ ପ୍ରସ୍ତାବିତ ଆଲୁମିନା ରିଫାଇନେରୀ ଓ ଆନୁସଙ୍ଗିକ ପ୍ରକଳ୍ପ ପ୍ରକ୍ରିୟା ଶୀଘ୍ର ଗତିଶୀଳ ହେବା ନେଇ ଆଶା ସଞ୍ଚାର ହୋଇଛି।
ଏହି ଗସ୍ତ ସମୟରେ କମ୍ପାନୀର ଉଚ୍ଚପଦସ୍ଥ ବୈଷୟିକ ପ୍ରତିନିଧି ଦଳ ଉପସ୍ଥିତ ରହି ଭୂମି ଓ ପରିବହନ ସୁବିଧାର ସମୀକ୍ଷା କରିଥିଲେ। ଏହି ବିଶାଳ ଶିଳ୍ପ ପ୍ରକଳ୍ପ ବାସ୍ତବ ରୂପ ନେଲେ ରାୟଗଡ଼ା ସମେତ ସମଗ୍ର ଦକ୍ଷିଣ ଓଡ଼ିଶାରେ ହଜାର ହଜାର ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଏହା ସହ ଆଞ୍ଚଳିକ ଅର୍ଥନୀତି, ଗମନାଗମନ ଏବଂ ଭିତ୍ତିଭୂମି ବିକାଶରେ ଏକ ନୂତନ ଅଧ୍ୟାୟ ଯୋଡ଼ିହେବ ବୋଲି ବୁଦ୍ଧିଜୀବୀ ଓ ଶିଳ୍ପ ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି। ସ୍ଥାନୀୟ ଅଞ୍ଚଳର ସର୍ବାଙ୍ଗୀନ ବିକାଶ ଏବଂ ପରିବେଶ ସନ୍ତୁଳନ ରକ୍ଷା କରି ଏହି ଶିଳ୍ପାୟନ ପ୍ରକ୍ରିୟା ଆଗକୁ ବଢ଼ିବ ବୋଲି ଜନସାଧାରଣ ଆଶା ବାନ୍ଧିଛନ୍ତି।