Latest Odisha News

BREAKING NEWS

ନୟାଗଡ଼ ଜିଲ୍ଲା ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକ ପତ୍ର ପ୍ରଦାନ

ନୟାଗଡ଼: ଜିଲ୍ଲା ବିକାଶ ସମ୍ମିଳନୀ (ଟ୍ରଷ୍ଟ) ପକ୍ଷରୁ,  ନୟାଗଡ ଜିଲ୍ଲାର ବହୁମୁଖୀ ବିକାଶ ଉଦ୍ଦେଶ୍ୟରେ କିଛି ପ୍ରମୁଖ ପ୍ରସଙ୍ଗ ଉପରେ ଆଲୋଚନାକରି ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ସମ୍ମିଳନୀର ସଦସ୍ୟଗଣ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।

ନୟାଗଡ଼ ଅର୍ଥନୈତିକ ଦୃଷ୍ଟିରୁ ଅନଗ୍ରସର ଆଦିବାସୀ ବହୁଳ ଜିଲ୍ଲା ଏବଂ ପାରମ୍ପରିକ କୃଷି କାର୍ଯ୍ୟ ତଥା ଜଙ୍ଗଲଜାତ ପଦାର୍ଥ ଉପରେ ନିର୍ଭର କରିନ୍ତି । ଜିଲ୍ଲାରେ ଗୋଟିଏ ବି ବୃହତ୍ କିମ୍ବା ମଧ୍ୟମ ଶିଳ୍ପୋଦ୍ୟୋଗ ନାହିଁ। କେବଳ ଅଳ୍ପ କେତେକ ଅତି କ୍ଷୁଦ୍ର ଓ କୁଟୀର ଶିଳ୍ପ ଛଡ଼ା ଏହି ଜିଲ୍ଲାରେ ବ୍ୟାବସାୟିକ ଉନ୍ନତି ଓ କର୍ମଯୋଗାଣର ସର୍ବନିମ୍ନ ବ୍ୟବସ୍ଥା ହୋଇ ପାରିନାହିଁ । ତେଣୁ ଶିକ୍ଷା, ସ୍ୱାସ୍ଥ୍ୟ, ଯୋଗାଯୋଗ ଓ କର୍ମନିଯୁକ୍ତି କ୍ଷେତ୍ରରେ ଗଭୀର ଆନ୍ତରିକତା ସହିତ ଯୋଜନାବଦ୍ଧ ଭାବେ ବିକାଶମୂଳକ କାର୍ଯ୍ୟକ୍ରମ ଯଥାଶୀଘ୍ର ହାତକୁ ନନେଲେ, ୧୯୩୬ ମସିହା ସୁଦ୍ଧା ବିକଶିତ ଓଡ଼ିଶା ଗଠନର ଲକ୍ଷପୂରଣ ସମ୍ଭବ ନୁହେଁ ।

ନୟାଗଡ଼ ଜିଲ୍ଲା ବିକାଶ ସମ୍ମିଳନୀ ପକ୍ଷରୁ ନୟାଗଡ଼ ଜିଲ୍ଲା ମୁଖ୍ୟାଳୟରେ ଏକ ମେଡିକାଲ କଲେଜ ଏବଂ ନର୍ସିଂ କଲେଜ୍ ସ୍ଥାପନ, “ପଠାଣି ସାମନ୍ତ ବିଶ୍ଵବିଦ୍ୟାଳୟ ସ୍ଥାପନ, ବନ୍ଦ ହୋଇଯାଇଥିବା ଚିନିକଳର ପୁନଃକାର୍ଯ୍ୟକାରୀ କରାଯିବା, କୃଷି ଭିତ୍ତିକ ଶିଳ୍ପ, ବୟନ ଶିଳ୍ପ, ଖଣି ଭିତ୍ତିକ ଶିଳ୍ପ, ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ ଓ  ପର୍ଯ୍ୟଟନ ଶିଳ୍ପ, ଲିଥିୟମ ବ୍ୟାଟେରୀ କାରଖାନା, ସୌରଶକ୍ତିରୁ ବିଦ୍ୟୁତ୍ ଉତ୍ପାଦନ କରିବାପାଇଁ ପ୍ୟାନେଲ୍ ଓ ସେମିକଣ୍ଡକ୍ଟର ନିର୍ମାଣ କାରଖାନା ସ୍ଥାପନ କରିବା ଲକ୍ଷରେ ରାଜ୍ୟ ସରକାର ଜିଲ୍ଲାରେ ଶିଳ୍ପ ସ୍ଥାପନ ପାଇଁ ଯୋଜନାବଦ୍ଧ ଖସଡ଼ା ପ୍ରସ୍ତୁତ କରିବାପାଇଁ ଆମେ ଜିଲ୍ଲା ବିକାଶ ସମ୍ମିଳନୀ ପକ୍ଷରୁ ଦାବିପତ୍ର ପ୍ରଦାନ କରାଯାଇଥିଲା । ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କଲାପରେ ନୟାଗଡ଼ ଗସ୍ତରେ ଆସି ଶୀଘ୍ର ଚିନିକଳ ସ୍ଥାପନ କରାଯିବ ବୋଲି ଦୃଢ଼ ଘୋଷଣା କରିଥିବାରୁ କୃତଜ୍ଞତା ପ୍ରଦାନ କରାଯାଇଥିଲା ।

ନୟାଗଡ଼ ଜିଲ୍ଲାର ଆଠୋଟି ବ୍ଲକରେ ଅନେକ ଜରୁରୀ ପ୍ରକଳ୍ପ ନିର୍ମାଣର ଆବଶ୍ୟକତା ରହିଥିବାରୁ କଣ୍ଟିଲୋ ନୀଳମାଧବପୀଠ, ରଣପୁର ମଣିନାଗ ପର୍ବତରେ ଅତ୍ୟାଧୁନିକ ପର୍ଯ୍ୟଟନ କେନ୍ଦ୍ର ସ୍ଥାପନ, ଦଶପଲ୍ଲାର ବଡ଼ମୂଳ ଘାଟିରେ ଅରଣ୍ୟ ପର୍ଯ୍ୟଟନ କେନ୍ଦ୍ର, ଓଡଗାଁ-ଶରଣକୂଳ-କଣ୍ଟିଲୋ-ଫତେଗଡ଼ ଆଧ୍ୟାତ୍ମିକ ପର୍ଯ୍ୟଟନ ସର୍କିଟ୍, ଖଣ୍ଡପଡ଼ାରେ ପ୍ଲାନେଟାରୀୟମ ଓ ପଠାଣି ସାମନ୍ତ ସ୍ମୃତିକେନ୍ଦ୍ର, ନୟାଗଡ଼ ସହରରେ ମୋ ବସ ସେବା ଯୋଜନା, ପ୍ରସ୍ତାବିତ ଚିନି କାରଖାନାରୁ ବାହାରୁଥିବା ବର୍ଜ୍ୟ ଆଖୁ-ଖଦାରୁ ଇଥାନଲ ଓ କାର୍ଡ଼ ବୋର୍ଡ୍, ମୋଲାସେସରୁ ଆଲକୋହଲ, ଦଶପଲ୍ଲା ବାଉଁଶରୁ ଟିସୁପେପର୍ ପ୍ରସ୍ତୁତି ପାଇଁ ଶିଳ୍ପ ସ୍ଥାପନ ଆଦି ଅନେକ ଦାବି କରାଯାଇଥିଲା । ମୁଖ୍ୟମନ୍ତ୍ରୀ ସମସ୍ତ ବିଷୟରେ ଧୈର୍ଯ୍ୟର ସହିତ ଶୁଣି, ସଠିକ ସମୟରେ ସଠିକ୍ ପଦକ୍ଷେପ ନେବାକୁ କହିଥିଲେ ।

ସମ୍ମିଳନୀର ଅଧ୍ୟକ୍ଷ କରୁଣାକର ପଟ୍ଟନାୟକଙ୍କ ନେତୃତ୍ବରେ ଜାନକୀଶ ବଡପଣ୍ଡା,ଡକ୍ଟର୍ ଉମାକାନ୍ତ ମିଶ୍ର ଏବଂ ଦାଶ ବେନହୁର୍ ଏହି ସାକ୍ଷାତ ଆଲୋଚନାରେ ଭାଗ ନେଇଥିଲେ ।

Comments are closed.