କେବେକେବେ ଯେଉଁ ଗୀତରୁ କିଛି ଆଶା ନ’ଥାଏ, ସେ ଗୀତ ଆଣିଦିଏ ପ୍ରସିଦ୍ଧି…

ସୂର୍ଯ୍ୟ ଦେଓଙ୍କ ‘ଗୀତ ପଛର ଗପ’…

ଲୋକପ୍ରିୟତାର ପ୍ରଥମ ସ୍ପର୍ଶ:

ଲୋକପ୍ରିୟତାର ପ୍ରଥମ ସ୍ପର୍ଶ କେବେ କେମିତି ଆସିବ ଜାଣିବା ମୁସକିଲ୍ । କେବେକେବେ ଯେଉଁ ଗୀତକୁ ନେଇ ଗାୟକ ବା ଗୀତିକାର ବା ସଂଗୀତକାର ଯେତିକି ଆଶା ବାନ୍ଧିଥାନ୍ତି, ତାହାର କାଣିଚାଏ ବି ଫଳେ ନାହିଁ । ଆଉ କେବେକେବେ ଯେଉଁ ଗୀତରୁ କିଛି ଆଶା ନ ଥାଏ, ସେ ଗୀତ ଆଣିଦିଏ ପ୍ରସିଦ୍ଧି । ଗାୟକ ଚିତ୍ତ ରଞ୍ଜନ ଜେନାଙ୍କ କ୍ଷେତ୍ରରେ ଏହା ହିଁ ହୋଇଥିଲା ।

ଦେଖି ସେ ବଣ ମଲ୍ଲୀ

ଚିତ୍ତ ରଞ୍ଜନ ଜେନା ଯାହା କହିଥିଲେ:

‘ମମତା’ ଫିଲ୍ମର ଗୀତ କମ୍ପୋଜିସନ ପ୍ରଫୁଲ୍ଲ ଭାଇନା ମନଧ୍ୟାନ ଦେଇ କରୁଥାଆନ୍ତି । ସେଇଟା ଥିଲା ତାଙ୍କର ପ୍ରଥମ ଫିଲ୍ମ । ମୁଁ ଆରମ୍ଭରୁ ତାଙ୍କ ସହିତ ଥାଏ ଏବଂ ମନେମନେ ନିଜ ପାଇଁ ଭଲ ଗୀତ ଗାଇବାର ସୁଯୋଗ ପାଇବି ବୋଲି ଭାବୁଥାଏ । ମୁଁ ଏହା ପୂର୍ବରୁ ଉପେନ୍ଦ୍ର କୁମାରଙ୍କ ସଂଗୀତ ନିର୍ଦ୍ଦେଶନାରେ ‘ମନ ଆକାଶ’ ଓ ‘ଧରିତ୍ରୀ’ରେ ଗାଇ ସାରିଥାଏ । ‘ମନଆକାଶ’ର ‘ମୋର କନିଆଁ ସୁନା ପାନିଆଁ’ ଆଉ ‘ଧରିତ୍ରୀ’ର ‘ପିରତୀ ତୋର ଦୂରୁ ଜୁହାର ଅଠାକାଠି ପରି ଲାଗୁଛି’ ଗୀତ ଦୁଇଟି ଫୋକ୍ ଟ୍ୟୁନ୍ ଆଧାରିତ ଥିଲା । ସେ ଦୁଇଟି ଗୀତ ହେଉଛି ଡୁଏଟ୍ । ମୁଁ ଭାବୁ୍ଥାଏ ‘ମମତା’ରେ ମୋତେ ଜବରଦସ୍ତ ମର୍ଡନ ଗୀତ ମିଳିବ । ସେଲୋ ଗୀତ । ଜମିଯିବ । କିନ୍ତୁ ମୋତେ ଭଲ ଲାଗୁଥିବା ସବୁତକ ଭଲ ଭଲ ଗୀତ ସିକନ୍ଦର ଆଲାମ୍ ଓ ପ୍ରଣବ ପଟ୍ଟନାୟକଙ୍କୁ ଦିଆଗଲା, ମୋ ପାଇଁ କେବଳ ‘ଦେଖି ସେ ବଣ ମଲ୍ଲୀ’ ଗୀତଟି ରହିଲା । ସେଇଟା ବି ଡୁଏଟ୍ ଗୀତ । ଜାଣିଲି ଯେ ମୋ ସହ ଗାଇବେ ମାଡ୍ରାସର ପି. ସୁଶୀଳା । ମନଟା ଚିଟା ହୋଇଗଲା । ଠକିଗଲା ଭଳି ଲାଗିଲା । ପୁଣି ଡୁଏଟ୍! ଓଡ଼ିଶୀ ଛାଞ୍ଚର ଏତେ ସ୍ଲୋ ଗୀତ କ’ଣ ହିଟ୍ କରିବ? ମୁଁ ଗାଇବିନି ବୋଲି ଜିଦ୍ ଧରି ବସିଲି । ଧୀର ଭାଇ ଓ ପ୍ରଶାନ୍ତ ନନ୍ଦଙ୍କ ବୁଝାସୁଝାରେ ଅତ୍ୟନ୍ତ ବିରକ୍ତିରେ ରେକର୍ଡିଂ କଲି । ଗୋଟିଏ ଟେକ୍ରେ ଓକେ ହେଲା । ତେବେ ‘ମମତା’ ଚଳଚ୍ଚିତ୍ର ଓ ରେକର୍ଡ ଡିସ୍କ ରିଲିଜ୍ ହେଲା ପରେ ସେ ଗୀତଟି ଏତେ ପପୁଲାରିଟି ପାଇଲା ଯେ ମୁଁ ନିଜେ ବି କଳ୍ପନା କରି ନ ଥିଲି । ଏହାପରେ ମୋର ସିଙ୍ଗିଙ୍ଗ୍ କ୍ୟାରିୟର୍ ଅଲଗା ମୋଡ଼ ନେଇଗଲା ।

ଦେଖି ସେ ବଣମଲ୍ଲୀ

ଚଳଚ୍ଚିତ୍ର : ମମତା, ୧୯୭୫
ସଂଗୀତ: ପ୍ରଫୁଲ୍ଲ କର
ଗୀତ: ଶିବବ୍ରତ ଦାସ
ଗାୟନ: ଚିତ୍ତ ରଞ୍ଜନ ଜେନା ଓ ପି. ସୁଶୀଳା
ନାୟକ: ଦେଖି ସେ ବଣମଲ୍ଲୀ
ରାଧା ହେଲେ ବାତୁଳି
ଗଭାରେ ଖୋଷିଲେ ଯତନେ ଚତୁରୀ
ଗଭାରେ ଖୋଷିଲେ ଯତନେ ଚତୁରୀ
ମଣ୍ଡିଲେ ମଥାମଣି ନୂପୁରେ ପାଦ ବେନି
ଆସିବେ ବୋଲି କୁଞ୍ଜେ ସେ ବନମାଳୀ

ରାଧା ମନ ଅଧୀର ନ ଦେଖି ଶ୍ୟାମ ସୁନ୍ଦର
କିମ୍ପା ଏତେ ଉଛୁର କଲେ ସେ ନଟବର
ଆକୁଳ ନ ହୁଅ ଆଗୋ ରାଧାରାଣୀ
ଆସିବେ ଘନଶ୍ୟାମ ଅଚିରେ କୁଞ୍ଜବନ
ଅଙ୍କରେ ନେବେ ତୋଳି ସେ ବନମାଳୀ

ନାୟିକା: ଲିଭିଲା ମିଛେ ସେ ବାସର ଦୀପାଳୀ
ଲିଭିଲା ମିଛେ ସେ ବାସର ଦୀପାଳୀ
କାହ୍ନୁଙ୍କ ପ୍ରୀତି ରୀତି ସତେ କି ଏଇମିତି
ମଲାଣି ରାଧା ଝୁରି ହେ ବନମାଳୀ!

ଆଲୋ କଳାଶାରୀ!
ସଂସାର, ୧୯୭୩
ସଂଗୀତ: ଅକ୍ଷୟ ମହାନ୍ତି
ଗୀତ: ସ୍ୱରୂପ ନନ୍ଦନ ନାୟକ
ଗାୟନ: ତୃପ୍ତି, ଗୀତା, ଜୟଶ୍ରୀ ଓ ମୀରା

ପ୍ରଥମ ନାୟିକା: ଆଲୋ କଳାଶାରୀ!
କିଏ ତୋର ଶୁଆ
ଆଲୋ କଳାଶାରୀ!
କିଏ ତୋର ଶୁଆ
ଆହା! ବର ସେ’ ତ କଲକତିଆ
ବର ସେ’ ତ କଲକତିଆ
ସମବେତ: ବର ସେ’ ତ କଲକତିଆ
ବର ସେ’ ତ କଲକତିଆ
ଦ୍ୱିତୀୟ ନାୟିକା: ଆଲୋ ସୁନାଫୁଲ!
କିଏ ତୋ ବଣିଆ
ଆଲୋ ସୁନାଫୁଲ!
କିଏ ତୋ ବଣିଆ
ସେ ତ କଟକିଆ ତାରକସିଆ
ସେ ତ କଟକିଆ ତାରକସିଆ
ସମବେତ: ସେ’ ତ କଟକିଆ ତାରକସିଆ
ସେ’ ତ କଟକିଆ ତାରକସିଆ

ପ୍ରଥମ ନାୟିକା: ପାଦେ ଅଳତା
କାନେ କାନ ଝୁମୁକା
ପାଦେ ଅଳତା
କାନେ କାନ ଝୁମୁକା
ମଥାରେ ସିନ୍ଦୂର ଟୋପା
ନାଇ କଜଳ ଆଖି କରି ସଜଳ
ନାଇ କଜଳ ଆଖି କରି ସଜଳ
ବେଦୀକୁ ଯିବୁ ନଇଁ ନଇଁକା
ଆଲୋ! ବେଦୀକୁ ଯିବୁ ନଇଁ ନଇଁକା
ପରଦେଶେ ନେବ ସେ ପରବାସିଆ
ପରଦେଶେ ନେବ ସେ ପରବାସିଆ
ଆହା ନିଶ ଯା’ର ପ୍ରଜାପତିଆ
ଆହା ନିଶ ଯା’ର ପ୍ରଜାପତିଆ
ସମବେତ: ନିଶ ଯା’ର ପ୍ରଜାପତିଆ
ନିଶ ଯା’ର ପ୍ରଜାପତିଆ

ଦ୍ୱିତୀୟ ନାୟିକା: ଦେଖି ଯାତକ
କହେ ବୁଢ଼ା ନାହାକ
ଦେଖି ଯାତକ
କହେ ବୁଢ଼ା ନାହାକ
ଆରମାସେ ବାହାଘର
ମିଠା କଥାରେ କିଣିନେବ ମନରେ
ମିଠା କଥାରେ କିଣିନେବ ମନରେ
ବାନ୍ଧିବୁ ଯା’ ସଙ୍ଗେ ଘର
ଆହା! ବାନ୍ଧିବୁ ଯା’ ସଙ୍ଗେ ଘର
ଚାନ୍ଦ ଦେଶେ ନେବ
ତୁ ଚନ୍ଦ୍ରଉଦିଆ
ଚାନ୍ଦ ଦେଶେ ନେବ
ତୁ ଚନ୍ଦ୍ରଉଦିଆ
ହସ ଯା’ର ଲକ୍ଷେ ଟଙ୍କିଆ
ହସ ଯା’ର ଲକ୍ଷେ ଟଙ୍କିଆ
ସମବେତ: ହସ ଯା’ର ଲକ୍ଷେ ଟଙ୍କିଆ
ହସ ଯା’ର ଲକ୍ଷେ ଟଙ୍କିଆ
ହସ ଯା’ର ଲକ୍ଷେ ଟଙ୍କିଆ
ହସ ଯା’ର ଲକ୍ଷେ ଟଙ୍କିଆ

(ପ୍ରଚ୍ଛଦ ଫଟୋରେ ଗାୟକ ଚିତ୍ତ ରଞ୍ଜନ ଜେନା ଓ ପି ସୁଶୀଳା ଗୀତ ରେକର୍ଡ଼ିଂ ଅବସରରେ)

LEAVE A REPLY

Please enter your comment!
Please enter your name here

This site uses Akismet to reduce spam. Learn how your comment data is processed.