ଭାରତ ପାଲଟିଲା ‘ଗ୍ଲୋବାଲ୍ ହିଟ୍ ଏପିକସେଣ୍ଟର’: ବିଶ୍ୱର ୧୦୦ ସବୁଠୁ ଉତ୍ତପ୍ତ ସହର ତାଲିକାରେ ଭୁବନେଶ୍ୱର ସମେତ ଭାରତର ୯୫ ଟି ସହର!
ନୂଆଦିଲ୍ଲୀ: ସମଗ୍ର ଭାରତବର୍ଷ ଏବେ ଭୟଙ୍କର ଗ୍ରୀଷ୍ମ ପ୍ରବାହ ଦେଇ ଗତି କରୁଛି। ଦିନକୁ ଦିନ ବଢ଼ିବାରେ ଲାଗିଛି ସୂର୍ଯ୍ୟଙ୍କ ପ୍ରକୋପ। ଏହାରି ମଧ୍ୟରେ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି ଯାହା ସମସ୍ତଙ୍କ ଚିନ୍ତା ବଢ଼ାଇଦେଇଛି। ସାମ୍ପ୍ରତିକ ପରିସ୍ଥିତିରେ ଭାରତ ସମଗ୍ର ବିଶ୍ୱର ଏକ ‘ଗ୍ଲୋବାଲ୍ ହିଟ୍ ଏପିକସେଣ୍ଟର’ (Global Heat Epicenter) ବା ସର୍ବାଧିକ ଉତ୍ତାପ କେନ୍ଦ୍ରବିନ୍ଦୁ ପାଲଟିଛି। ରିପୋର୍ଟ ଅନୁଯାୟୀ, ଦୁନିଆର ୧୦୦ଟି ସବୁଠାରୁ ଉତ୍ତପ୍ତ ସହର ତାଲିକାରେ କେବଳ ଭାରତର ହିଁ ୯୫ଟି ସହର ରହିଛି। ଏହି ପରିସଂଖ୍ୟାନ ଭାରତରେ ଜଳବାୟୁ ପରିବର୍ତ୍ତନର ଭୟାବହତାକୁ ସ୍ପଷ୍ଟ ପ୍ରମାଣିତ କରୁଛି।
ଉତ୍ତର, ମଧ୍ୟ ଏବଂ ପୂର୍ବ ଭାରତରେ ଆକାଶରୁ ଯେମିତି ନିଆଁ ବର୍ଷୁଛି। ଅନେକ ରାଜ୍ୟରେ ପାରଦ ୪୫ ଡିଗ୍ରୀ ସେଲସିୟସ୍ ଅତିକ୍ରମ କରିସାରିଲାଣି। ଲୋକଙ୍କ ସାଧାରଣ ଜୀବନଯାତ୍ରା ସମ୍ପୂର୍ଣ୍ଣ ରୂପେ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଘରୁ ପଦାକୁ ବାହାରିବା ମୁସ୍କିଲ୍ ହୋଇପଡ଼ିଥିବା ବେଳେ, ଅତ୍ୟଧିକ ଖରା ଏବଂ ଝାଞ୍ଜି ପବନ ଯୋଗୁଁ ଅନେକ ସ୍ଥାନରେ ଅଂଶୁଘାତର ଆଶଙ୍କା ଦେଖାଦେଇଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)ର ସୂଚନା ମୁତାବକ, ରାଜସ୍ଥାନ, ଗୁଜରାଟ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ ଏବଂ ଓଡ଼ିଶାର ଭୁବନେଶ୍ୱର ସମେତ ଝାରସୁଗୁଡା, ବଲାଙ୍ଗୀର, ସୁନ୍ଦରଗଡ ଆଦି ଏକାଧିକ ଜିଲ୍ଲାରେ ଏହି କିଲର୍ ହିଟ୍ୱେଭ୍ ଏବେ ନିଜର ରୁଦ୍ର ରୂପ ଦେଖାଉଛି।
ଦୁନିଆର ଅନ୍ୟାନ୍ୟ ଗ୍ରୀଷ୍ମପ୍ରଧାନ ଦେଶଗୁଡ଼ିକୁ ପଛରେ ପକାଇ ଭାରତର ସହରଗୁଡ଼ିକ ଏହି ତାଲିକାର ଶୀର୍ଷରେ ରହିଛନ୍ତି। ଏଲ୍-ନିନୋ ପ୍ରଭାବ, ସବୁଜିମା ହ୍ରାସ, ବଢ଼ୁଥିବା ପ୍ରଦୂଷଣ ଏବଂ ଅତ୍ୟଧିକ ସହରୀକରଣ ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି। ଯେଉଁଠି ପୂର୍ବରୁ ଏପ୍ରିଲ୍ ମାସରେ ତାପମାତ୍ରା ନିୟନ୍ତ୍ରଣରେ ରହୁଥିଲା, ଏବେ ତାହା ରେକର୍ଡ ସ୍ତର ଛୁଇଁଛି।
ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ପୂର୍ବାନୁମାନ ଅନୁଯାୟୀ, ଏପ୍ରିଲ୍ ୨୮ ତାରିଖ ପରେ ଉତ୍ତର ଭାରତର କିଛି ଅଞ୍ଚଳରେ ହାଲୁକା ବର୍ଷାର ସମ୍ଭାବନା ରହିଛି, ଯାହାକି ସାମାନ୍ୟ ଆଶ୍ୱସ୍ତି ଆଣିଦେଇପାରେ। କିନ୍ତୁ ଆଗକୁ ମେ’ ମାସ ବାକି ଥିବାରୁ ଏହି ତାତିର ପ୍ରକୋପ ଆହୁରି ବଢ଼ିବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି ପାଣିପାଗ ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି।
ବର୍ତ୍ତମାନର ଏହି ଅସ୍ୱାଭାବିକ ଗ୍ରୀଷ୍ମ ପ୍ରବାହ ବେଳେ ଘରୁ ନ ବାହାରିବାକୁ ଏବଂ ପର୍ଯ୍ୟାପ୍ତ ପରିମାଣରେ ପାଣି ପିଇବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତଙ୍କୁ ପରାମର୍ଶ ଦିଆଯାଇଛି।
Comments are closed.