ନୂଆଦିଲ୍ଲୀ: କରୋନା ଚିକିତ୍ସା କ୍ଷେତ୍ରରେ ଫଳପ୍ରଦ ହେଉ ନାହିଁ ରେମଡେସିଭ୍ । କୋରାନ ଆକ୍ରାନ୍ତଙ୍କ ଉପରେ ରେମଡେସିଭିରର ସ୍ୱଳ୍ପ କିମ୍ବା ଶୂନ୍ୟ ପ୍ରଭାବ ରହିଛି । ଏହି ତଥ୍ୟ ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ଏହାସହ WHO କହିଛି, କରୋନା ଆକ୍ରାନ୍ତଙ୍କୁ ବଞ୍ଚାଇ ରଖିବା ଅର୍ଥାତ ମୃତ୍ୟୁହାର ହ୍ରାସ କରିବାରେ ରେମଡେସିଭିରର ବିଶେଷ ଭୂମିକା ନାହିଁ ।
୧୧ ହଜାର ଆକ୍ରାନ୍ତଙ୍କ ଉପରେ ଗବେଷଣା
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ବିଶେଷଜ୍ଞମାନେ ଏଦିଗରେ କରିଥିବା ରିସର୍ଚ୍ଚରୁ ଏମିତି ତଥ୍ୟ ସାମନାକୁ ଆସିଛି । ୩୦ଟି ଦେଶର ୧୧ ହଜାର କରୋନା ଆକ୍ରାନ୍ତଙ୍କୁ ନେଇ ଗବେଷଣା କରାଯାଇଥିଲା । ୪ଟି ଔଷଧର ପ୍ରଭାବକୁ ନେଇ ଅନୁଧ୍ୟାନ କରାଯାଇଥିଲା । ସେଗୁଡ଼ିକ ହେଉଛି ରେମଡେସିଭିର, ହାଇଡ୍ରୋକ୍ସିକ୍ଲୋରକୁଇନ୍, ଲୋପିନାଭିର୍/ରାଇଟୋନାଭିର ଓ ଇଣ୍ଟରଫେରନ୍ ।
ରେମଡେସିଭିର୍ ପ୍ରଭାବଶୂନ୍ୟ
ଏହି ୪ଟି ଔଷଧ ବ୍ୟବହାର ଦ୍ୱାରା କରୋନା ଆକ୍ରାନ୍ତଙ୍କ ଉପରେ ସାମାନ୍ୟ କିମ୍ବା ଶୂନ ପ୍ରଭାବ ଦେଖିବାକୁ ମିଳିଛି । ପାଖାପାଖି ମାସେ ହୋଇଥିବା ଗବେଷଣା ଭିତରେ ମୃତ୍ୟୁହାର କମି ନଥିଲା । ଏପରିକି ଏହି ଔଷଧ ଦିଆଯାଇଥିବା ରୋଗୀ ଶୀଘ୍ର ସୁସ୍ଥ ବି ହୋଇ ନଥିଲେ । ପରୀକ୍ଷଣର ଫଳାଫଳ ଏଯାଏଁ ସମୀକ୍ଷା କରାଯାଇ ନାହିଁ ବୋଲି କହିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ।
Comments are closed.