ପାଣାଜୀ: ଗୋଆର ଏକ ନାଇଟ୍ କ୍ଲବ୍ରେ ଭୟଙ୍କର ଅଗ୍ନିକାଣ୍ଡରେ ୨୫ ଜଣଙ୍କର ମୃତ୍ୟୁ ହୋଇଛି । କ୍ଲବ୍ର ଜେନେରାଲ ମ୍ୟାନେଜରଙ୍କ ସମେତ ୪ ଜଣ କର୍ମଚାରୀଙ୍କୁ ଏପର୍ଯ୍ୟନ୍ତ ଗିରଫ କରାଯାଇଛି । ପୋଲିସ ନାଇଟ୍ କ୍ଲବ୍ ମାଲିକ ଲୁଥ୍ରା ବ୍ରଦର୍ସଙ୍କୁ ମଧ୍ୟ ଅଭିଯୁକ୍ତ ଭାବରେ ନାମିତ କରିଛି, କିନ୍ତୁ ସେମାନେ ଦେଶ ଛାଡି ପଳାଇବାରେ ସଫଳ ହୋଇଛନ୍ତି ।
ଗୋଆ ପୋଲିସ ସୂତ୍ର ଅନୁଯାୟୀ, ଅଗ୍ନିକାଣ୍ଡ ଘଟିବା ଦିନ କ୍ଲବ୍ ମାଲିକ ଗୌରବ ଲୁଥ୍ରା ଏବଂ ସୌରଭ ଲୁଥ୍ରା ମୁମ୍ବାଇରୁ ଥାଇଲ୍ୟାଣ୍ଡ ପଳାଇ ଯାଇଥିଲେ । ସେମାନେ ଇଣ୍ଡିଗୋ ବିମାନ 6E 1073 ରେ ଚଢ଼ି ଫୁକେଟ୍ ପଳାଇଛନ୍ତି ।
ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି, “ସୌରଭ ଏବଂ ଗୌରବ ଲୁଥ୍ରାଙ୍କୁ ଯଥାଶୀଘ୍ର ଗିରଫ କରିବା ପାଇଁ ଗୋଆ ପୋଲିସ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (CBI) ର ଇଣ୍ଟରପୋଲ୍ ବିଭାଗ ସହିତ ସମନ୍ୱୟ ସ୍ଥାପନ କରିବାକୁ ପଦକ୍ଷେପ ନେଇଛି।”
ପାଣାଜୀଠାରୁ ପ୍ରାୟ ୨୫ କିଲୋମିଟର ଦୂରରେ ଥିବା ଏକ ନାଇଟ୍ କ୍ଲବରେ ଶନିବାର ବିଳମ୍ବିତ ରାତିରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ୨୫ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୨୦ ଜଣ ନାଇଟ୍ କ୍ଲବ କର୍ମଚାରୀ ଏବଂ ପାଞ୍ଚ ଜଣ ପର୍ଯ୍ୟଟକ ଅଛନ୍ତି, ସେମାନଙ୍କ ମଧ୍ୟରୁ ଚାରି ଜଣ ଦିଲ୍ଲୀର । ପାଞ୍ଚ ଜଣ ଆହତଙ୍କୁ ସରକାରୀ ଗୋଆ ମେଡିକାଲ କଲେଜ ଏବଂ ହସ୍ପିଟାଲ (GMCH)ରେ ଚିକିତ୍ସା କରାଯାଉଛି ।