Latest Odisha News

BREAKING NEWS

‘ମମିତା ମେହେର ହତ୍ୟା ମାମଲାରେ କେବଳ ଗୋବିନ୍ଦ ସାହୁ ଅଭିଯୁକ୍ତ’

ଭୁବନେଶ୍ୱର: ବହୁଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡ ମାମଲାରେ କେବଳ ଗୋବିନ୍ଦ ସାହୁ ଅଭିଯୁକ୍ତ । ଗୃହ ବିଭାଗ ତରଫରୁ ବିଧାନସଭାରେ ଏପରି ସ୍ପଷ୍ଟୀକରଣ ରଖାଯାଇଛି। ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାର କାନ୍ତି ବେହେରା ଶୂନ୍ୟକାଳରେ ବିଜେପି ବିଧାୟକ ବିଷ୍ଣୁ ସେଠୀଙ୍କ ପ୍ରଶ୍ନର ଉତ୍ତର ଦେଇ ଗୃହକୁ ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି, ଏହି ମାମଲାରେ ପୁଲିସ ତଦନ୍ତ କରି ଗୋବିନ୍ଦ ସାହୁ ଏବଂ ରାଧେଶ୍ୟାମ ଚଣ୍ଡି (ଗୋବିନ୍ଦ ସାହୁ ଡ୍ରାଇଭର)ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଉଭୟ ବଲାଙ୍ଗୀର କଣ୍ଟାବାଞ୍ଜି ଜେଲରେ ବିଚାରଧୀନ କଏଦୀ ଭାବେ ରହିଛନ୍ତି। ମାମଲା ଏବେ ଜିଲ୍ଲା ଦୌରାଜଜଙ୍କ କୋର୍ଟରେ ବିଚାରଧୀନ ରହିଛି। ପୋଲିସ ଏହି ମାମଲାର ତଦନ୍ତ କରି ଚାର୍ଜସିଟ୍ ଦାଖଲ କରିଛି । ତଦନ୍ତ ପରେ ଜଣାପଡିଛି ଏହି ମାମଲାରେ ଅନ୍ୟ କାହାରି ସଂପୃକ୍ତି ନାହିଁ । ଗୃହ ବିଭାଗର ଏପରି ସ୍ପଷ୍ଟୀକରଣ ପରେ ସ୍ପଷ୍ଟ ହୋଇଛି ଯେ ତତ୍କାଳୀନ ଗୃହରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କର ସଂପୃକ୍ତିକୁ ନେଇ ବିରୋଧୀ ଯେଉଁ ଦାବି କରିଥିଲେ ତାର କୌଣସି ଆଧାର ନାହିଁ । ଆଉ ତଦନ୍ତରେ କୌଣସି ଲିଙ୍କ ଆସିନାହିଁ ବୋଲି ଗୃହ ବିଭାଗର ରିପୋର୍ଟରୁ ସ୍ପଷ୍ଟ ହୋଇଛି। ତେବେ ଏହି ମାମଲାର ମୁଦାଲା ଗୋବିନ୍ଦ ସାହୁର ସ୍ତ୍ରୀଙ୍କ ଦେହ ଖରାପ ରହିଛି । ତେଣୁ ସେ ହାଇକୋର୍ଟରୁ ଅନ୍ତରୀଣ ଜାମିନ୍ ପାଇଛନ୍ତି ବୋଲି ଗୃହ ବିଭାଗ କହିଛି।

ଏହି ମାମଲାରେ ଗିରଫ ହୋଇଥିବା ଅନ୍ୟତମ ଅଭିଯୁକ୍ତ ଡ୍ରାଇଭର ରାଧେଶ୍ୟାମ ଚଣ୍ଡିକୁ ହତ୍ୟାର ସହଯୋଗ କରିଥିବା ମାମଲାରେ ଗିରଫ କରାଯାଇଛି। ମମିତାକୁ ହତ୍ୟା କରିବା ପରେ ଗୋବିନ୍ଦ ସାହୁ ତାର କଲେଜ କ୍ୟାମ୍ପସ ଭିତରେ ପୋଡି ଜେଇ ପୋତି ଦେଇଥିଲା। ଏହି ସମୟରେ ରାଧେଶ୍ୟାମ ସହଯୋଗ କରିଥିବା ଜଣାପଡିଛି।

ଉଲ୍ଲେଖଯୋଗ୍ୟ, ଶିକ୍ଷୟତ୍ରୀ ମମିତା ମେହେର ହତ୍ୟା ପ୍ରସଙ୍ଗରେ ବିରୋଧୀ ଦାବି କରିଥିଲେ ଯେ ଅଭିଯୁକ୍ତ ଗୋବିନ୍ଦ ସାହୁ ଓ ସେତେବେଳର ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପର୍କ ଘନିଷ୍ଠ । ଏହି ହତ୍ୟା ଘଟଣାରେ ମଧ୍ୟ ଉଭୟଙ୍କର ସଂପୃକ୍ତି ରହିଛି । ତେଣୁ ମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ବିରୋଧୀ ଦାବି କରିଥିଲେ। ସେତେବେଳେ କିନ୍ତୁ ମନ୍ତ୍ରୀ ନିଜ ପଦରୁ ଇସ୍ତଫା ଦେଇନଥିଲେ କି ତାଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଇନଥିଲା। ପରେ କିନ୍ତୁ ଦିବ୍ୟଶଙ୍କର ମିଶ୍ର ମନ୍ତ୍ରିମଣ୍ଡଳରୁ ବାଦ୍ ପଡିଥିଲେ।

Leave A Reply

Your email address will not be published.