Latest Odisha News

BREAKING NEWS

ବୟସର ସାୟାହ୍ନରେ ଗୋମାତା ସେବା ସମର୍ପିତ ଜୀବନ…

ଲେଖକ – ଆଲୋକ ଚନ୍ଦ୍ର ବାରିକ

ସେମାନେ କଥା କହିପାରନ୍ତି ନାହିଁ । କଷ୍ଟ, ଯନ୍ତ୍ରଣା ହେଲେ ଜଣାଇପାରନ୍ତି ନାହିଁ । ହେଲେ ସେମାନଙ୍କ ବେଦନା ବୁଝିପାରନ୍ତି ଶଙ୍କର । ସେଥିପାଇଁ ତ ବୟସର ଅପରାହ୍ଣରେ ବି ଗାଈ, ଗୋରୁଙ୍କ ସେବାରେ ଲାଗିଛନ୍ତି । ଏବେ ବୃଦ୍ଧାବସ୍ଥାରେ ମଧ୍ୟ ବିଶ୍ରାମ ପରିବର୍ତ୍ତେ ଶଙ୍କର ଦିନରାତି ଗାଈ, ଗୋରୁଙ୍କ ଚିକିତ୍ସା କରିବାରେ ନିଜକୁ ନିୟୋଜିତ କରି ଚାଲିଛନ୍ତି । ଗୋମାତାର ସେବା କରିବାରେ ଶଙ୍କର ପାଆନ୍ତି ଅସରନ୍ତି ଆନନ୍ଦ ଓ ପ୍ରାଣଭରା ତୃପ୍ତି ଯାହାକି ଅବର୍ଣ୍ଣନୀୟ ।

ଶଙ୍କରଙ୍କୁ ଖୋର୍ଦ୍ଧା ଜିଲ୍ଲା ଶିଆଳିଆପାଟଣା ଅଞ୍ଚଳରେ ପ୍ରାୟ ସମସ୍ତେ ଜାଣନ୍ତି । ପୂରା ନାଁ ଶଙ୍କର ବେହେରା । ବୟସ ପାଖାପାଖି ୯୦ ବର୍ଷ ହେବ । ଧିରେ ଧିରେ ଶରୀର ତାଙ୍କର କ୍ଷୀଣ ଓ ଦୁର୍ବଳ ହୋଇ ଆସୁଛି । ହେଲେ ମନୋବଳ ଭାଙ୍ଗି ଯାଇନାହିଁ । ସ୍ଥାନୀୟ ଅଞ୍ଚଳରେ କାହାର ଗାଈ, ବଳଦ ଅସୁସ୍ଥ ହୋଇ ପଡ଼ିଲେ ଶଙ୍କରଙ୍କୁ ହିଁ ଡକରା ପଡ଼ିଥାଏ । କୌଣସି ହେଳା ନ କରି ତୁରନ୍ତ ସେ ବାହାରି ପଡ଼ନ୍ତି ଅସୁସ୍ଥ ଗାଈ ଗୋରୁଙ୍କ ନିକଟକୁ । ନିଜର ସାଧ୍ୟମତେ ଚିକିତ୍ସା କରିଥାନ୍ତି । ସବୁଠୁ ବଡ଼ କଥା ହେଲା ସେ ଏଥିପାଇଁ କାହାଠାରୁ ବି କୌଣସି ପାରିଶ୍ରମିକ ନିଅନ୍ତି ନାହିଁ । ନିସ୍ୱାର୍ଥପର ଭାବେ ଗୋରୁଙ୍କ ସେବା କରୁଥିବାରୁ ତାଙ୍କୁ ଲୋକମାନେ ବେଶ୍ ପ୍ରଶଂସା କରିଥାଆନ୍ତି ।

ବହୁ ବର୍ଷ ଧରି ଶଙ୍କର ଗୋମାତାର ଚିକିତ୍ସା କରିଆସୁଛନ୍ତି । ଏବେ ବହୁ ଡାକ୍ତରୀବିଦ୍ୟା ବାହାରିଥିବା ସତ୍ତେ୍ୱ ସେ ଚେରମୂଳି ଔଷଧ ବ୍ୟବହାର କରିଥାନ୍ତି । ପାଖରେ ଥିବା ବରୁଣେଇ ପାହାଡ଼ରୁ ଔଷଧୀୟ ଗୁଣ ଥିବା ଚେର ସଂଗ୍ରହ କରି ବିଭିନ୍ନ ରୋଗ ପାଇଁ ଭିନ୍ନ ଭିନ୍ନ ଔଷଧ ପ୍ରସ୍ତୁତ କରି ଚିକିତ୍ସା କରିଥାନ୍ତି ।

ଶଙ୍କରଙ୍କ ପୁଅବୋହୁ, ନାତିନାତୁଣିରେ ତାଙ୍କ ସଂସାର ଭରପୁର । ହେଲେ ସେ ନିଜ କାମ ପାଇଁ କାହା ଉପରେ ନିର୍ଭର କରନ୍ତି ନାହିଁ । ସବୁ ସେ ନିଜେ କରନ୍ତି । ଯୁଆଡ଼େ ଯାଆନ୍ତି ଏକା । ଚାଲି ଚାଲି ପାଦରେ ।

ଶଙ୍କର କହନ୍ତି, ଗୋମାତାର ଚିକିତ୍ସା କଲେ ତାଙ୍କୁ ଖୁସି ମିଳେ । ବରୁଣେଇ ପାହାଡରୁ ମିଳୁଥିବା ଔଷଧୀୟ ଚେରମୂଳି ତାଙ୍କୁ ଚିକିତ୍ସାରେ ବହୁତ ସାହାଯ୍ୟ କରିଥାଏ । ଗାଈର ଗୋଡ଼ ଭାଙ୍ଗିଗଲେ-ରକ୍ତଖାଇ ମୂଳ, ଗମ୍ଭାରିଛେଲି, ଫିକା ସିନ୍ଦୁର, ଚାନ୍ଦସରା ମଞ୍ଜି, ବାଖରା ଖଈର, ଜଡ଼ା ତେଲ, କୁକୁଡ଼ା ଅଣ୍ଡା ମିଶ୍ରଣରେ ଗୋଡକୁ ପ୍ଲାଷ୍ଟର୍ କଲେ ଭଲ ହୋଇଯାଏ ବୋଲି ସେ କହିଛନ୍ତି ।

ଶଙ୍କରଙ୍କ ଚିକିତ୍ସାରେ ଲୋକଙ୍କ ଭରସା ରହିଛି । ସେଥିପାଇଁ ପଶୁ ଡାକ୍ତର ବଦଳରେ ଶଙ୍କରକୁ ଲୋଡି଼ଥାନ୍ତି । ବୁଲା ଗୋରୁଗାଈଙ୍କର କିଛି ଦୁର୍ଘଟଣା କି ଦେହ ଖରାପ ହେଲେ ମଧ୍ୟ ଶଙ୍କରଙ୍କୁ ଜଣାଇଥାନ୍ତି । ଖବର ପାଇବା କ୍ଷଣି ଯେତେ ଦୂରସ୍ଥାନ ହେଲେ ବି ସେଠାକୁ ଯାଆନ୍ତି ଶଙ୍କର ।

ଶଙ୍କରଙ୍କ ଏହି କାମ ଅନେକଙ୍କୁ ପ୍ରେରଣା ଦେଉଛି । ଗୋଟେ ପଟେ ରାଜ୍ୟରେ ଗୋରୁ ଚାଲାଣ ହେଉଥିବାବେଳେ ଏପଟେ ବୃଦ୍ଧ ବୟସରେ ବି ଗୋରୁଙ୍କ ସେବା କରିବା ନିଶ୍ଚିତ ଭାବେ ପ୍ରେରଣାଦାୟୀ ।
ପୂର୍ବରୁ ଶଙ୍କର ମଇଁଷି ପାଳନ କରି ତାଙ୍କ ପରିବାରର ଭରଣପୋଷଣ କରୁଥିଲେ । ଏହି ସମୟରେ ସେ ନିଜେ ମଇଁଷିଙ୍କର ଚିକିତ୍ସା ଆରମ୍ଭ କରିଥିଲେ । ଧୀରେ ଧୀରେ ସେ ଚିକିତ୍ସା ବିଦ୍ୟା ଗ୍ରହଣ କରି ଏଥିରେ ପାରଙ୍ଗମ ହୋଇଛନ୍ତି ।

ଶଙ୍କରଙ୍କ ବିଷୟରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ଯେ, ସେ ସ୍ୱାଧୀନତା ସଂଗ୍ରାମରେ ଭାଗ ନେଇଥିଲେ ।

ହେଲେ ତାଙ୍କୁ ସ୍ୱାଧୀନତା ସଂଗ୍ରାମୀ ଭତ୍ତା ମିଳୁନଥିବାରୁ ଦୁଃଖ ପ୍ରକାଶ କରିଛନ୍ତି । ସେ ଭତ୍ତା ପାଇଁ ବହୁ ଥର ଆବେଦନ କରିଥିଲେ ।

ହେଲେ ପ୍ରଶାସନ ତାଙ୍କ କଥା ଶୁଣୁନାହିଁ ବୋଲି ଶଙ୍କର କହିଛନ୍ତି ।

 

 

(ଲେଖକ ଆଲୋକ ଚନ୍ଦ୍ର ବାରିକ ଢେଙ୍କାନାଳସ୍ଥିତ ‘ଭାରତୀୟ ଜନସଂଚାର ସଂସ୍ଥାନ’ର ଜଣେ ଛାତ୍ର)

Leave A Reply

Your email address will not be published.