Latest Odisha News

କୋରେଇ ଷ୍ଟେସନକୁ ମାଡ଼ିଗଲା ମାଲବାହୀ ଟ୍ରେନ,୩ ମୃତ

କୋରେଇ: ଯାଜପୁର ଜିଲ୍ଲା କୋରେଇ ରେଳଷ୍ଟେସନରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇ ୩ ଜଣଙ୍କ ମୃତ୍ୟୁ ହୋଇଛି ।  ଭାରସାମ୍ୟ ହରାଇ ଷ୍ଟେସନ ଭିତରକୁ ମାଲବାହୀ ଟ୍ରେନ ମାଡିଯାଇଛି । ବଗିଗୁଡିକ ଗୋଟିଏ ଉପରେ ଗୋଟିଏ ଚଢି ରହିଛି । ଷ୍ଟେସନକୁ ଟ୍ରେନଟି ହଠାତ୍ ମାଡିଯିବାରୁ ଗୋଟିଏ ବଗି ଉପରେ ଆଉ ଗୋଟିଏ ବଗି ଚଢିଯାଇଥିଲା । ଷ୍ଟେସନରେ ଥିବା ଲୋକେ ଦୌଡ଼ିବାକୁ ଉଦ୍ୟମ କରିଥିଲେ । ହେଲେ ୩ ଜଣ ଏହା ତଳେ ଚାପି ହୋଇ ପ୍ରାଣ ହରାଇଛନ୍ତି । ସେଠାରେ ଉପସ୍ଥିତ ଅନେକ ଆହତ ହୋଇଥିବା ସୂଚନା ମିଳିଛି । ସେମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମୃତକଙ୍କ ମଧ୍ୟରେ ଜଣେ ମହିଳା ଓ ଶିଶୁ ଥିବା ସୂଚନା ରହିଛି ।

ଆଜି ସକାଳ ୬ଟା ୪୪ମିନିଟରେ ଭଦ୍ରକ ଜିଲ୍ଲାରୁ କଟକ ଅଭିମୁଖେ ଏହି ମାଲବାହୀ ଟ୍ରେନ ଯାଉଥିଲା । ଟ୍ରେନଟି ହଠାତ୍ କୋରେଇ ରେଳ ଷ୍ଟେସନ ଉପରେ ଚଢିଯାଇଥିଲା  । ଟ୍ରେନ ଚଢିଯିବାରୁ ଷ୍ଟେସନ ବିଲ୍ଡିଂ ଭାଙ୍ଗିରୁଜି ଯାଇଛି । ୮ଟି ବଗି ଲାଇନଚ୍ୟୁତ ହୋଇଛି । ଟ୍ରେନଟିର ବେଗ ଅତ୍ୟଧିକ ଥିଲା ବୋଲି ଉପସ୍ଥିତ ଲୋକେ କହିଛନ୍ତି ।  ଲାଇନଚ୍ୟୁତ ହେବାର କାରଣ ଏଯାଏଁ ସ୍ପଷ୍ଟ ହୋଇନି । ତେବେ ବର୍ତ୍ତମାନ ରେଳ ବିଭାଗ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ତଦନ୍ତ ଆରମ୍ଭ ହୋଇଛି  ।

ପୂର୍ବତନ ରେଳବାଇ ପକ୍ଷରୁ ୨ଜଣଙ୍କ ମୃତ୍ୟୁ ହୋଇଥିବା କୁହାଯାଇଛି । ଖୋର୍ଦ୍ଧାରୋଡ୍ ଡିଆରଏମ୍ ଘଟଣାସ୍ଥଳ ଅଭିମୁଖେ ଯାଇଛନ୍ତି । ରିଲିଫ୍ ଟ୍ରେନ ଓ ମେଡିକାଲ ଟିମ୍ ମଧ୍ୟ ଘଟଣାସ୍ଥଳକୁ ଯାଇଛି । ଏହି  ବାଟ ଦେଇ ଯିବାକୁ ଥିବା ୨ଟି ଦ୍ରୁତଗାମୀ ଟ୍ରେନ୍ ର ଯାତ୍ରାକୁ ଅନ୍ୟ ଲାଇନ ଦେଇ  କରାଯାଇଥିବା ସୂଚନା ରହିଛି ।

Comments are closed.