କଟକ: ଦୀର୍ଘ ବର୍ଷ ସେବା କରିବା ପରେ ପେନ୍ସନ ମନା କରିପାରିବେ ନାହିଁ ସରକାର। ଦୀର୍ଘ ଦଶନ୍ଧି ଧରି ସେବା ଯୋଗାଇବା ପରେ କୌଣସି ବୈଷୟିକ କାରଣ ଦର୍ଶାଇ ଜଣେ କର୍ମଚାରୀଙ୍କୁ ତାଙ୍କର ପ୍ରାପ୍ୟ ପେନସନ୍ରୁ ବଞ୍ଚିତ କରାଯାଇପାରିବ ନାହିଁ ବୋଲି ଓଡିଶା ହାଇକୋର୍ଟ କହିଛନ୍ତି।
ଜଷ୍ଟିସ ମାନସ ରଞ୍ଜନ ପାଠକ ଏବଂ ଜଷ୍ଟିସ ଶିବ ଶଙ୍କର ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ହିମାଦ୍ରି ଶେଖର ମହାନ୍ତିଙ୍କ ଦ୍ୱାରା ଦାୟର ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେବା ସହ ବାଲେଶ୍ବର ଜିଲା ଜଜ୍ଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି କରାଯାଇଥିବା ପେନସନ ନ ଦେବା ପତ୍ରକୁ ରଦ୍ଦ କରିଦେଇଛନ୍ତି। ଆବେଦନକାରୀଙ୍କୁ ସମସ୍ତ ପେନସନ ଓ ଅବସରକାଳୀନ ସୁବିଧା ପ୍ରଦାନ କରିବାକୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି ।
ଆବେଦନକାରୀ ୧୯୮୬ ମସିହାରେ ବାଲେଶ୍ୱର ଜିଲା ଜଜ୍ଙ୍କ କାର୍ଯ୍ୟାଳୟରେ କନିଷ୍ଠ କିରାଣି ଭାବେ ନିଯୁକ୍ତି ପାଇଥିଲେ। ପରବର୍ତ୍ତୀ ସମୟରେ ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ଦର୍ଶାଇ ତାଙ୍କୁ ଚାକିରିରୁ ବାହାର କରିଦିଆଯାଇଥିଲା। କିନ୍ତୁ କୋର୍ଟଙ୍କ ହସ୍ତକ୍ଷେପ ଓ ସରକାରୀ ନୀତି ଅନୁଯାୟୀ ୧୯୯୫ରେ ସେ ପୁନଃ ନିଯୁକ୍ତି ପାଇଥିଲେ। ୨୦୨୩ରେ ସେ ଅବସର ଗ୍ରହଣ କରିବା ପରେ ତାଙ୍କର ପ୍ରାରମ୍ଭିକ ନିଯୁକ୍ତି ସମୟରେ ‘ନିଯୁକ୍ତି ପରୀକ୍ଷା’ ଉତ୍ତୀର୍ଣ୍ଣ ହୋଇ ନଥିବା ଦର୍ଶାଇ ତାଙ୍କୁ ପେନସନ୍ ଓ ଅନ୍ୟାନ୍ୟ ସୁବିଧା ପ୍ରଦାନ କରାଯାଇ ନଥିଲା। ଫଳରେ ଆବେଦନକାରୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।
ଅଦାଲତ କହିଛନ୍ତି ଯେ ସେବା କାଳ ମଧ୍ୟରେ ଆବେଦନକାରୀଙ୍କୁ ଅନେକ ଥର ପଦୋନ୍ନତି ଦିଆଯାଇଛି ଏବଂ ତାଙ୍କ କାର୍ଯ୍ୟକୁ ସ୍ଥାୟୀ ବୋଲି ଗ୍ରହଣ କରାଯାଇଛି। ଯେତେବେଳେ ସରକାର ତାଙ୍କ ସେବାକୁ ଦଶନ୍ଧି ଦଶନ୍ଧି ଧରି ବ୍ୟବହାର କଲେ ସେତେବେଳେ ଅବସର ସମୟରେ ପୁରୁଣା ନିୟମର ଆଳ ଦେଖାଇବା ଅନ୍ୟାୟ। ଆବେଦନକାରୀଙ୍କୁ ତିନିମାସ ମଧ୍ୟରେ ପେନସନ ପ୍ରଦାନ କରିବାକୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି।