Latest Odisha News

BREAKING NEWS

ଆପଣଙ୍କ ଗାଡ଼ିର ମାଇଲେଜ୍ ହଠାତ୍ କମିଯାଉଛି କି? ପେଟ୍ରୋଲକୁ ନେଇ ସରକାର ନେବାକୁ ଯାଉଛନ୍ତି ଏକ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ: ଦେଶର ଲକ୍ଷ ଲକ୍ଷ ଗାଡ଼ି ଚାଳକଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର। ଯଦି ଆପଣ ନିଜ ଗାଡ଼ିର ଇଞ୍ଜିନ ଏବଂ ମାଇଲେଜକୁ ନେଇ କିଛି ଦିନ ହେବ ଚିନ୍ତିତ ଅଛନ୍ତି, ତେବେ ଖୁବଶୀଘ୍ର ପେଟ୍ରୋଲ ପମ୍ପଗୁଡ଼ିକରେ ଆପଣଙ୍କୁ ନିଜ ପସନ୍ଦର ତେଲ ପକାଇବାର ସ୍ୱାଧୀନତା ମିଳିପାରେ। ସାଧାରଣତଃ ଏବେ ଅଧିକାଂଶ ପମ୍ପରେ କେବଳ ଇ-୨୦ (E-20) ପେଟ୍ରୋଲ ଉପଲବ୍ଧ ହେଉଥିବା ବେଳେ, ଆଗାମୀ ଦିନରେ ଗ୍ରାହକମାନେ ଉଭୟ ନର୍ମାଲ୍ ଏବଂ ଇ-୨୦ ମଧ୍ୟରୁ ନିଜ ଆବଶ୍ୟକତା ଅନୁଯାୟୀ ଇନ୍ଧନ ବାଛିପାରିବେ ବୋଲି ସରକାର ବିଚାର କରୁଛନ୍ତି।

 

ଗତ କିଛି ସମୟ ଧରି ଇ-୨୦ ପେଟ୍ରୋଲକୁ ନେଇ ଅନେକ ଗାଡ଼ି ମାଲିକ ଅସନ୍ତୋଷ ବ୍ୟକ୍ତ କରିଆସୁଛନ୍ତି। ବିଶେଷ କରି ପୁରୁଣା ଗାଡ଼ିଗୁଡ଼ିକରେ ଏହି ଇନ୍ଧନ ବ୍ୟବହାର କଲେ ମାଇଲେଜ୍ ଲଗାତାର କମିଯାଉଥିବା ନେଇ ଅଭିଯୋଗ ହେଉଛି। କେବଳ ସେତିକି ନୁହେଁ, ପୁରୁଣା ଇଞ୍ଜିନ ଉପରେ ମଧ୍ୟ ଏହାର ଖରାପ ପ୍ରଭାବ ପଡ଼ୁଥିବା ନେଇ ବାରମ୍ବାର ଚର୍ଚ୍ଚା ହେଉଛି। ଗ୍ରାହକଙ୍କ ଏହିସବୁ ସମସ୍ୟାକୁ ଦୃଷ୍ଟିରେ ରଖି ସରକାର ଏବେ ସମସ୍ତ ପକ୍ଷଙ୍କ ମତାମତ ଲୋଡ଼ିବା ସହ ପୁଣିଥରେ ନର୍ମାଲ୍ ପେଟ୍ରୋଲ୍ ବିକଳ୍ପ ଆଣିବାକୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି।

 

ଯଦିଓ ଏହି ପ୍ରସ୍ତାବ ଗାଡ଼ି ଚାଳକଙ୍କ ପାଇଁ ବେଶ୍ ଲାଭଦାୟକ, ତଥାପି ଏହାକୁ କାର୍ଯ୍ୟକାରୀ କରିବା ସେତେଟା ସହଜ ନୁହେଁ। ଏହା ପଛରେ ଦୁଇଟି ବଡ଼ ଆହ୍ୱାନ ରହିଛି:

 

ଦର ନିର୍ଦ୍ଧାରଣ: ଉଭୟ ଇ-୨୦ ଏବଂ ସାଧାରଣ ପେଟ୍ରୋଲର ଉତ୍ପାଦନ ଖର୍ଚ୍ଚ ଏକା ନୁହେଁ। ତେଣୁ ଦୁଇଟି ଯାକର ଦାମ୍ କିପରି ଏବଂ କେତେ ସ୍ଥିର କରାଯିବ ତାହା ସବୁଠାରୁ ବଡ଼ ଆହ୍ୱାନ।

 

ଭିତ୍ତିଭୂମି ଖର୍ଚ୍ଚ: ପେଟ୍ରୋଲ ପମ୍ପଗୁଡ଼ିକରେ ଦୁଇଟି ଭିନ୍ନ ଭିନ୍ନ ତେଲ ପାଇଁ ଅଲଗା ଅଲଗା ଫ୍ୟୁଏଲ୍ ଡିସ୍ପେନ୍ସର୍ (ମେସିନ୍) ଲଗାଇବାକୁ ପଡ଼ିବ, ଯାହା ପମ୍ପ ସଞ୍ଚାଳକଙ୍କ ପାଇଁ ଅତିରିକ୍ତ ପୁଞ୍ଜିନିବେଶର ବୋଝ ବଢ଼ାଇବ।

 

ଏବେକାର ସ୍ଥିତି ଦେଖିଲେ, ପେଟ୍ରୋଲ ପମ୍ପରେ ଇ-୨୦ ବ୍ୟତୀତ କେବଳ କିଛି ପ୍ରିମିୟମ୍ ଇନ୍ଧନ ଯେପରିକି ସ୍ପିଡ୍ ବା ଟର୍ବୋଜେଟ୍ ମିଳୁଛି। ସାଧାରଣ ନର୍ମାଲ୍ ପେଟ୍ରୋଲ ପାଇଁ କୌଣସି ଅଲଗା ବିକଳ୍ପ ନାହିଁ।

 

ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ ପରିସ୍ଥିତିରେ ତୈଳ କମ୍ପାନୀଗୁଡ଼ିକ ଇ-୨୦ ପେଟ୍ରୋଲକୁ ଅଣ୍ଡର-ରିକଭରି (କମ୍ ଲାଭ) ରେ ବିକ୍ରି କରୁଛନ୍ତି। ତେବେ ବଜାର ସ୍ଥିତି ସ୍ୱାଭାବିକ ହେଲେ ଏହି ପେଟ୍ରୋଲର ଦାମରେ ବଡ଼ ଧରଣର ହ୍ରାସ ଦେଖିବାକୁ ମିଳିପାରେ। ଭବିଷ୍ୟତରେ ଇ-୨୦ ପେଟ୍ରୋଲର ଦର ଲିଟର ପିଛା ପ୍ରାୟ ୧୦ ଟଙ୍କା ପର୍ଯ୍ୟନ୍ତ କମିବାର ସମ୍ଭାବନା ରହିଛି, ଯାହା ନର୍ମାଲ୍ ପେଟ୍ରୋଲ ତୁଳନାରେ ଗ୍ରାହକଙ୍କୁ ଆର୍ଥିକ ଫାଇଦା ଦେବ।

 

ପୂର୍ବରୁ ଇ-୨୦ ଲାଗୁ ହେବା ସମୟରେ ମଧ୍ୟ ନର୍ମାଲ୍ ପେଟ୍ରୋଲ ଉପଲବ୍ଧ କରାଇବା ନେଇ ପ୍ରସ୍ତାବ ଉଠିଥିଲା, କିନ୍ତୁ ସେତେବେଳେ ତୈଳ ବିପଣନ କମ୍ପାନୀଗୁଡ଼ିକ ପ୍ରସ୍ତୁତ ନଥିଲେ। ଏବେ ବଦଳୁଥିବା ପରିସ୍ଥିତି ଏବଂ ଗ୍ରାହକଙ୍କ ପ୍ରତିକ୍ରିୟାକୁ ଦେଖି ସରକାର ଏହି ଦିଗରେ ନୂଆ ପଦକ୍ଷେପ ନେବେ ବୋଲି ଆଶା କରାଯାଉଛି। ଖୁବଶୀଘ୍ର ପେଟ୍ରୋଲ ପମ୍ପରେ ଗ୍ରାହକଙ୍କ ‘ନିଜ ମର୍ଜି’ ଚାଲିବ।

Leave A Reply

Your email address will not be published.