ଭୁବନେଶ୍ୱର: ରାଜ୍ୟର ନିଜସ୍ୱ ରାଜସ୍ୱ ଆଦାୟ ବୃଦ୍ଧି କରିବାକୁ ରାଜ୍ୟ ସରକାର କଡ଼ା ପଦକ୍ଷେପ ନେଇଛନ୍ତି। ସମସ୍ତ ରାଜସ୍ୱ ଆଦାୟକାରୀ ବିଭାଗକୁ ଚଳିତ ଆର୍ଥିକ ବର୍ଷରେ ଗତ ବର୍ଷ ତୁଳନାରେ ଅତି କମରେ ୧୦ ପ୍ରତିଶତ ରାଜସ୍ୱ ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି।
ବୈଠକରେ ବିଶେଷ କରି ଭୂ ରାଜସ୍ୱ ଆଦାୟର ନୈରାଶ୍ୟଜନକ ସ୍ଥିତିକୁ ନେଇ ଗଭୀର ଉଦବେଗ ପ୍ରକାଶ ପାଇଛି। ଗତ ବର୍ଷ ମଇ ମାସ ୨୪ ତାରିଖ ସୁଦ୍ଧା ୧୦୦ କୋଟି ଟଙ୍କା ଆଦାୟ ହୋଇଥିଲା। କିନ୍ତୁ ଚଳିତ ବର୍ଷ ସେହି ସମୟ ସୁଦ୍ଧା ମାତ୍ର ୩୭ କୋଟି ଟଙ୍କା ଆଦାୟ ହୋଇପାରିଛି। ତେଣୁ ତହସିଲ ସ୍ତରରେ ରାଜସ୍ୱ ଆଦାୟର ନିୟମିତ ସମୀକ୍ଷା କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହା ସହ ଏପ୍ରିଲ ମାସରେ ଅବକାରୀ ଶୁଳ୍କ ଆଦାୟରେ ଦେଖାଦେଇଥିବା ଘାଟାକୁ ଆଗାମୀ ମାସରେ ଭରଣା କରିବାକୁ ଅବକାରୀ ବିଭାଗକୁ କୁହାଯାଇଛି।
ଅନ୍ୟପକ୍ଷରେ କ୍ୟାପ୍ଟିଭ ପାୱାର ପ୍ଲାଣ୍ଟ ଉପରେ ଲାଗୁଥିବା ବିଦ୍ୟୁତ ଶୁଳ୍କ ହାରରେ ମଧ୍ୟ ପରିବର୍ତ୍ତନ ହେବ। ବର୍ତ୍ତମାନ ପ୍ରତି ୟୁନିଟ ପିଛା ୫୫ ପଇସା ଲାଗୁଥିବା ବେଳେ ଏହାକୁ ବଦଳାଇ ପ୍ରତିଶତ ଭିତ୍ତିକ ବ୍ୟବସ୍ଥା ଆଣିବାକୁ ଉର୍ଜା ବିଭାଗକୁ ଦାୟିତ୍ୱ ମିଳିଛି। ସେହିପରି ଶିଳ୍ପ କ୍ଷେତ୍ରକୁ ଯୋଗାଯାଉଥିବା ଜଳର ଦରକୁ ଯୁକ୍ତିସଙ୍ଗତ କରିବା ଉପରେ ଗୁରୁତ୍ୱ ଦିଆଯାଇଛି। ଜଳାଶୟ ରକ୍ଷଣାବେକ୍ଷଣ ଖର୍ଚ୍ଚକୁ ଦୃଷ୍ଟିରେ ରଖି ନୂଆ ଦର ନିର୍ଦ୍ଧାରଣ କରିବା ଏବଂ ବକେୟା ଜଳ କର ଆଦାୟ ପାଇଁ କଡ଼ା ପଦକ୍ଷେପ ନେବାକୁ ଜଳ ସମ୍ପଦ ବିଭାଗକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି।
ରାଜସ୍ୱ ଆଦାୟ ପ୍ରକ୍ରିୟା ଉପରେ ତୀକ୍ଷ୍ଣ ନଜର ରଖିବା ପାଇଁ ଏଣିକି ପ୍ରତି ମାସର ପ୍ରଥମ ସପ୍ତାହରେ ଏକ ସମୀକ୍ଷା ବୈଠକ ବସିବ। ଏହି ବୈଠକ ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ ବୋଲି ସ୍ଥିର କରାଯାଇଛି।

Comments are closed.